ଜିଲା ବିଜୁ ଜନତା ଦଳର ସଭାପତି ହେଲେ ଧିରେନ ସାହୁ

କେନ୍ଦ୍ରାପଡ଼ା, ୨୦/୦୨/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ ଆଜି ଜିଲା ବିଜୁ ଜନତା ଦଳର ସଭାପତି ଭାବେ ଦଳ ପକ୍ଷରୁ ନିଯୁକ୍ତ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ  ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ପଦରେ ଗତ ୨୦୧୯ ମସିହାଠାରୁ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା କାର୍ଯ୍ୟ କରି ଆସୁଥିଲେ । ଗତ କିଛି ଦିନ ହେବ ତାଙ୍କ କାର୍ଯ୍ୟକଳାପ ନେଇ ଦଳର ଉଚ୍ଚ କର୍ତୃପକ୍ଷ ସନ୍ତୁଷ୍ଟ ନଥିବାରୁ ତାଙ୍କ ସ୍ଥାନରେ ଆଜି ଶ୍ରୀ ସାହୁଙ୍କୁ ଅବସ୍ଥାପିତ କରାଯାଇଛି । ଏହି ନିଯୁକ୍ତି ପରେ ଶ୍ରୀ ସାହୁ ଜିଲାରେ ବିଜୁ ଜନତାଦଳକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିବେ ବୋଲି କହିବା ସହ ଦଳର ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି.  କାର୍ତିକେୟନ ପାଣ୍ଡିଆନ, ସାଂଗଠନିକ ସମ୍ପାଦକ ଶ୍ରୀ ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ, ମନ୍ତ୍ରୀ ପ୍ରତାପ ଦେବଙ୍କ ସମେତ ଜିଲାର ସମସ୍ତ ବିଧାୟକ ଓ କର୍ମୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *