ଜଗତସିଂହପୁର ଜିଲ୍ଲା ରେ ଲୋକାର୍ପିତ ହେଲା ୫୭ ଟି ରୂପାନ୍ତରିତ ବିଦ୍ୟାଳୟ

ଜଗତସିଂହପୁର, ୧୧/୦୧/୨୦୨୪ (ଓଡ଼ିଶା ସମାଚାର)-ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ପର୍ୟ୍ୟାୟରେ ୫ ଟି ଅନ୍ତର୍ଗତ ଗଞ୍ଜାମ୍, ଝାରସୁଗୁଡ଼ା, ଜଗତସିଂହପୁର ,କେନ୍ଦ୍ରାପଡା ଓ ବରଗଡ଼ ଜିଲ୍ଲା ର ୩୮୯ ଗୋଟି ରୂପାନ୍ତରିତ ହାଇସ୍କୁଲ ର ଲୋକାର୍ପଣ କରିଛନ୍ତି। ଏଥିମଧ୍ୟରେ ଜଗତସିଂହପୁର ଜିଲ୍ଲାର ୫୭ ଗୋଟି ରୂପାନ୍ତରିତ ହାଇସ୍କୁଲ ରହିଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ର ବିକାଶ ଦିଗରେ ଆସିଥିବା ଉଲ୍ଲେଖନୀୟ ପରିବର୍ତ୍ତନ ସହ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲେ।ରୂପାନ୍ତରିତ ବିଦ୍ୟାଳୟ ର ବିଭିନ୍ନ ଅତ୍ୟାଧୁନିକ ସୁବିଧାସୁଯୋଗ ର ସଦୁପଯୋଗ କରି ଜୀବନ ରେ ଉନ୍ନତି କରିବାପାଇଁ କହିଥିଲେ। ୫ ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ମଧ୍ୟ ରୁପାନ୍ତରିତ ହାଇସ୍କୁଲ ର ସଫଳତା ବିଷୟରେ କହିଥିଲେ ଏବଂ ଅଭିଜ୍ଞତା ବାଣ୍ଟିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କର ଭବିଷ୍ୟତ ର ଲକ୍ଷ୍ୟ ପଚାରିଥିଲେ।ଜିଲ୍ଲା ପକ୍ଷରୁ ବିରିଡି ବ୍ଲକ ଅନ୍ତର୍ଗତ ଅଷ୍ଟଶମ୍ଭୁ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ହାଜିପୁର ପରିସରରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ୟ୍ୟକ୍ରମରେ ଜିଲ୍ଲାପାଳ ୫ ଟି ରୂପାନ୍ତରୀକରଣ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପର୍ୟ୍ୟାୟରେ ୧୯୬ ଟି ବିଦ୍ୟାଳୟ ର ରୂପାନ୍ତରିକରଣ ହୋଇସାରିଛି ଏବଂ ଆଜି ଚତୁର୍ଥ ପର୍ୟ୍ୟାୟରେ ୫୭ ଟି ରୁପାନ୍ତରିତ ବିଦ୍ୟାଳୟ ର ଲୋକାର୍ପଣ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଏଥି ମଧ୍ୟରେ ବାଲିକୁଦା ରେ ୧୨ ଟି, ବିରିଡ଼ି ରେ ୫ ଟି ,ଏରସମା ୮ ଟି,ଜଗତସିଂହପୁର ବ୍ଲକ୍ ଓ ମୁନିସିପାଲିଟି ରେ ୭ ଟି,କୁଜଙ୍ଗ ଓ ପାରାଦ୍ଵୀପ ମୁନିସିପାଲିଟି ରେ ୬ ଟି (ଗୋଟିଏ ଓଏଭି),ନାଉଗାଁ ର ୫ ଟି ,ରଘୁନାଥପୁର ର ୪ ଟି ଏବଂ ତିର୍ତ୍ତୋଲ ବ୍ଲକ୍ ର ୧୦ ଟି ବିଦ୍ୟାଳୟ ଅନ୍ତର୍ଭୁକ୍ତ। ପରେ ଅଷ୍ଟଶମ୍ଭୁ ବାଳିକା ଉଚ୍ଚ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ପଣ୍ଡା ବିଦ୍ୟାଳୟ ରୂପାନ୍ତରିକରଣ ଓ ନିଜର ଅଭିଜ୍ଞତାର ପରିପ୍ରକାଶ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ ଟି ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଜଗତସିଂହପୁର ଜିଲ୍ଲା କୁ ଶିକ୍ଷା ଓ ସଚେତନତା କ୍ଷେତ୍ରରେ ଏକ ଆଗୁଆ ଜିଲ୍ଲା ଭାବେ ଅଭିହିତ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓଡିଶା ରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ବୋଲି ଶ୍ରୀ ମୁଦୁଲି କହିଥିଲେ। ଏହି ୫ ଟି ରୂପାନ୍ତରିକରଣ ଯୋଜନା ଅନୁସାରେ ଶିକ୍ଷା ର ମାନବୃଦ୍ଧି ନେଇ ତଥା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଭିତ୍ତିଭୂମି ବିକାଶ ସହ ଅତ୍ୟାଧୁନିକ ଇ ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ, ବିଜ୍ଞାନ ପରୀକ୍ଷାଗାର ,ସ୍ଵଚ୍ଛ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, କ୍ରୀଡା ଭିତ୍ତିଭୂମିର ବିକାଶ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି।ଚତୁର୍ଥ ପର୍ୟ୍ୟାୟ କୁ ମିଶାଇ ଜିଲ୍ଲା ର ମୋଟ ୨୬୨ ଟି ବିଦ୍ୟାଳୟ ମଧ୍ୟରୁ ୨୫୩ ଟି ବିଦ୍ୟାଳୟ ର ରୂପାନ୍ତରିକରଣ ହୋଇ ସରିଛି। ଏହି ୫ ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ ଉତ୍ସବରେ, ବିରିଡି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମମତା ପାତ୍ର,ଜିଲ୍ଲାପରିଷଦ ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ରବିନାରାୟଣ ଜେଠି,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା, ସିନିଅର ଟି ସି ଶୁଭେନ୍ଦୁ ବରାଳ,ପୁରାତନ ଛାତ୍ର ଛାତ୍ରୀ, ବିଦ୍ୟାଳୟ ର ତଥା ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ଆଲୁମିନି ମେମ୍ବର,ଜିଲ୍ଲା ର ବରିଷ୍ଠ ବୁଦ୍ଧିଜୀବୀ, ଶିକ୍ଷାବିତ, ବରିଷ୍ଠ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *