ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୃଥକ ପୃଥକ ଭାବେ ଵିଜେପିର ଏସପି ଅଫିସ ଓ ମହିଳା ମାନଙ୍କ ଥାନା ଘେରାଉ

କଟକ ସଦର ,୧୧/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ମାସକ ତଳେ କଟକ ସଦର ଅନ୍ତର୍ଗତ ମାଣପୁର ପଞ୍ଚାୟତ ସମ୍ମୁଖରେ ଵିଜେପିର ବିକ୍ଷୋଭକୁ ଭଣ୍ଡୁର କରି ମାଡ଼ପିଟ କରିଥିବା ଅଭିଯୁକ୍ତଙ୍କୁ କିଶନନଗର ଥାନା ପୋଲିସ ଗିରଫ କରୁନଥିବା ଅଭିଯୋଗ କରି ପୂର୍ଵ ନିଷ୍ପତ୍ତି ଅନୁଯାୟୀ ଆଜି ଗୁରୁବାର ଦିନ ସଦର ଵିଜେପି ପକ୍ଷରୁ କଟକ ଗ୍ରାମାଞ୍ଚଳ ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ବେଳେ ସେହି ଏକା ଅଭିଯୋଗରେ‌ ମାଣପୁର ପଞ୍ଚାୟତର ମହିଳା ମାନେ ଆଜି କିଶନନଗର ଥାନା ଘେରାଉ ଓ ଧାରଣା କାର୍ଯ୍ୟକ୍ରମ କରିଥିବା ଜଣାପଡିଛି। ପ୍ରକାଶ ଯେ କେନ୍ଦ୍ର ସରକାରଙ୍କ ଭାରତ ବିକଶିତ ରଥକୁ ମାଣପୁର ପଞ୍ଚାୟତରେ ଅସମ୍ମାନ କରି ରଥ ଉପରେ ‘ ହେ ନବୀନ ଵାଵୁ ଆମେ ତମ ଫ୍ୟାନ’ଗୀତ ବଜାଇ ନୃତ୍ୟ କରିଵା ପ୍ରତିବାଦରେ ପଞ୍ଚାୟତ ସମ୍ମୁଖରେ ଵିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିଵା ସମୟରେ ବିକ୍ଷୋଭକାରୀଙ୍କୁ ମାଡ଼ ମରାଯାଇଥିଵା ଅଭିଯୋଗ ହୋଇଥିଲା। ସେହିପରି ଵିଜେପି ବିକ୍ଷୋଭକାରୀ ପଞ୍ଚାୟତରେ ଅନଧିକାର ପ୍ରବେଶ କରି ମାରପିଟ୍ କରିଥିବା ମଧ୍ୟ ପାଲଟା ଅଭିଯୋଗ ହୋଇଥିଲା। ପୋଲିସ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରି ଚୁପ୍ ହୋଇ ବସି ରହିଥିବାରୁ ଉଭୟଙ୍କ ପକ୍ଷରୁ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ଵୋଲି ଆଜିର ଅଭିଯୋଗରୁ ସ୍ପଷ୍ଟ ହୋଇଛି। ଏସ୍ ପି ଅଫିସ ଘେରାଉ କାର୍ଯ୍ୟକ୍ରମରେ ଵିଜେପି ଯୁବ ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ପ୍ରତିଭା ସତପଥି, ସୁକାନ୍ତ ବିଶ୍ୱାଳ, ସ୍ମୃତି ପଟ୍ଟନାୟକ, ରଶ୍ମିରେଖା ଦାସ, ଗୋକୁଳ ଚନ୍ଦ୍ର ପ୍ରଧାନ, ଅଶୋକ ସାହୁ, ଅଭିମନ୍ୟୁ ସାହୁ, ସଂଜୟ ସାହୁ, ପ୍ରତାପ ସାହୁ, ଚିତ୍ତରଂଜନ ସାହୁ, ପ୍ରଦୀପ ବେହେରାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଥିବା ବେଳେ ଥାନା ଘେରାଉରେ ମାଣପୁର ସରପଞ୍ଚ ରଂଜିତା ସେଠୀ, କବିତା ଦାସଙ୍କ ନେତୃତ୍ୱରେ ଭାରତୀ ମହାରଣା, ନିରୁପମା ରାଉତ, ରେଣୁବାଳା ମହାରଣା, ବନଜା ରାଉତ,ଜୈ।ଶ୍ନାରାଣୀ ସ୍ୱ।ଇଁ ପ୍ରମୁଖ ବହୁ ମହିଳା ମାନେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ ଖୁବ୍ ଶୀଘ୍ର ମାମଲାକୁ ଗୁରୁତ୍ୱ ଦିଆଯାଇ‌ କାର୍ଯାନୁଷ୍ଠାନ ନିଆଯିବ ବୋଲି ଏସ୍ ପି ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସ୍ ପି ଦେବଦତ୍ତ ବରାଳ ପ୍ରତିଶ୍ରୁତି ଦେବାପରେ ଏଵଂ ସେହି ଏକା ପ୍ରତିଶ୍ରୁତି ଥାନା ଅଧିକାରୀ ଦେବାପରେ ବିକ୍ଷୋଭ ଧାରଣା ହଟିଥିଲା। ତେବେ ଵିଜେପି ଵିଜେଡିର ଏହି ହାଇଡ୍ରାମା ଆଗକୁ କେଉଁ ମୋଡ଼ ନେଉଛି ତାକୁ କେବଳ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *