ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ

ଜଗତସିଂହପୁର, ୧୫/୧୨/୨୦୨୩ (ଓଡ଼ିଶା ସମାଚାର)-ଆଜି ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ରଘୁନାଥପୁର ବ୍ଲକ ଅନ୍ତର୍ଗତ ବୟନ ଗ୍ରାମ ଜୟପୁର ଠାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ତଥା ସଂସ୍କୃତି ପି ଜି ଗ୍ରୁପ ର 150 ଜଣ ମା ମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସେ ମହିଳା ମାନଙ୍କୁ ସମାଜର ସମୃଦ୍ଧି ପାଇଁ ଉତ୍ତରଦାୟୀ ଭାବେ ଅଭିହିତ କରିବା ସହ ନାରୀ ଶକ୍ତି କୁ ସଂସ୍କୃତି ର ଆଧାର ବୋଲି କହିଥିଲେ। ବର୍ତ୍ତମାନ ସମାଜ ରେ ନାରୀ ମାନେ ପୁରୁଷ ମାନଙ୍କ ସହ କାନ୍ଧରେ କନ୍ଧ ମିଳାଇ ପରିବାର ର ମଙ୍ଗଳ କରିବା ସହ ଦେଶର ଆର୍ଥିକ ଅଭିବୃଦ୍ଧି ରେ ସହଭାଗିତା କରୁଛନ୍ତି ବୋଲି ରାଜ୍ୟପାଳ କହିଥିଲେ। ପାଠପଢ଼ା କ୍ଷେତ୍ରରେ ପୁଅ ଝିଅ ଙ୍କ ମଧ୍ୟରେ ପ୍ରଭେଦ ନକରି ,ଝିଅ ମାନଙ୍କୁ ମଧ୍ୟ ସମାନ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ।ଓଡିଶାର ସୁଦୂର ମୟୁରଭଞ୍ଜ ରୁ ରାଇସୀନା ର ରାଜଗାଦୀ ରେ ବସିଥିବା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଉଦାହରଣ ଦେଇ ମାନ୍ୟବର ରାଜ୍ୟପାଳ ମହିଳା ମାନଙ୍କୁ ଧୈର୍ଯ୍ୟ ଓ ସାହସ ର ପ୍ରତୀକ ବୋଲି କହିଥିଲେ। ସ୍ୱାବଲମ୍ବୀ ହେବା ପାଇଁ ହସ୍ତତନ୍ତ ସହ ଗୋବର ଗ୍ୟାସ,ଗୋବର ଖତ,ଅଣ୍ଡା ଉତ୍ପାଦନ, ସୌର ଶକ୍ତିର ବ୍ଯବହାର ଆଦି ଅଭିନବ ଉପାୟ ର ଅବଲମ୍ବନ ପାଇଁ ସେ ପରାମର୍ଶ ଦେଇଥିଲେ।ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ମାନ୍ୟବର ରାଜ୍ୟପାଳ , ପରିବାର, ସମାଜ, ରାଜ୍ୟ ତଥା ସର୍ବୋପରି ରାଷ୍ଟ୍ର ର ଶକ୍ତି ହେବାପାଇଁ ଆହ୍ଵାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ମହିଳାମାନେ ମଧ୍ୟ ସେମାନଙ୍କ ର ଅନୁଭୂତି ବାଣ୍ଟିଥିଲେ। ଓଡିଶା ସରକାରଙ୍କ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ବିଭିନ୍ନ ପଲ୍ଲୀଶ୍ରୀ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ହସ୍ତ ନିର୍ମିତ ଉପକରଣ ଗୁଡିକ ବିକ୍ରୀ କରି ଯଥେଷ୍ଟ ଲାଭବାନ ହୋଇଥିବା କଥା କହିଥିଲେ। ଏହାପରେ ମାନ୍ୟବର ରାଜ୍ୟପାଳ ଏହି ଗ୍ରାମରେ ଥିବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା କଥା ବୁଝିଥିଲେ। ଜନ ଧନ ଆକାଉଣ୍ଟ ପ୍ରତ୍ୟେକ ଗରିବ କୁ ସ୍ୱାଭିମାନ ଆଣିଦେଇଛି ବୋଲି ସେ କହିଥିଲେ। ଗ୍ରାମରେ ଶୌଚାଳୟ ର ବ୍ୟବସ୍ଥା, ବିଜୁଳି ଓ ପାନୀୟ ଜଳର ସୁବିଧା ବିଷୟ ରେ ରାଜ୍ୟପାଳ ହିତାଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ। ଏହାପରେ ମାନ୍ୟବର ରାଜ୍ୟପାଳ ତିର୍ତ୍ତୋଲ ବ୍ଲକ୍ ର ତରଜଙ୍ଗା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ଏହାର ପରିଚାଳନା ସମ୍ବନ୍ଧରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପରେ ତରଜଙ୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ସହ ସାକ୍ଷାତ କରି ସେମାନଙ୍କୁ ଶିକ୍ଷା ର ମହତ୍ତ୍ବ ସମ୍ପର୍କରେ ବୁଝାଇଥିଲେ। ବିଭିନ୍ନ ମହାପୁରୁଷଙ୍କ ଉଦାହରଣ ଦେଇ କଠିନ ପରିଶ୍ରମ ର ସହ ଜୀବନ ର ଲକ୍ଷ୍ୟ  ରେ ସଫଳତା ହାସଲ କରିବା ପାଇଁ ଉପଦେଶ ଦେଇଥିଲେ। ପରେ ମାନ୍ୟବର ରାଜ୍ୟପାଳ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କୁ ଦର୍ଶନ କରି ତାଙ୍କର ଆଶୀର୍ବାଦ ନେଇଥିଲେ ।ଏହାପରେ ତିର୍ତ୍ତୋଲ ବ୍ଲକ୍ ର ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରୁ ସେ ରାହାମା ଆର୍ ଏମ୍ ସି  କଲ୍ୟାଣ ମଣ୍ଡପ ଠାରେ ସ୍ଥାନୀୟ ଚାଷୀ ଏବଂ ମତ୍ସ୍ୟଜୀବୀ ପରିବାର ମାନଙ୍କ ସହ ସାକ୍ଷାତ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା କଥା ବୁଝିଥିଲେ। ‘ଗ୍ରାମର ବିକାଶ ରେ ଦେଶ ର ବିକାଶ ‘  ତେଣୁ ବିକଶିତ ଭାରତ ର ସଂକଳ୍ପ ଯାତ୍ରା ପ୍ରତ୍ୟେକ ଗ୍ରାମ କୁ ସଶକ୍ତ କରିବ ବୋଲି କହିଥିଲେ  ରାଜ୍ୟପାଳ ।ସରକାର ଙ୍କର ବିଭିନ୍ନ ଯୋଜନା ର ଲାଭ ଉଠାଇ ନିଜେ ଆତ୍ମନିର୍ଭର ହେବା ସହ ଦେଶ ର ଅର୍ଥନୈତିକ ଅଭିବୃଦ୍ଧି ରେ ସହଭାଗିତା କରିବାକୁ ସେ ପରାମର୍ଶ ଦେଇଥିଲେ। 2047 ରେ ସ୍ଵାଧୀନତା ର 100 ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରତ୍ୟେକ ଗ୍ରାମରୁ ଗରୀବି କୁ ଦୂର କରି ବିକାଶ ର ମନ୍ତ୍ର ବୁଣିବାକୁ କହିଥିଲେ। ଗ୍ରାମରେ ଡିଜିଟାଲ ସେବା ପ୍ରଦାନ ସହ ଏହାକୁ ଆଦର୍ଶ ଗ୍ରାମ ରେ ପରିଣତ କରିବା ପାଇଁ ସମସ୍ତ ଜନସାଧାରଣ ଙ୍କ ଭାଗୀଦାରୀ ଆବଶ୍ୟକ ବୋଲି ସେ କହିଥିଲେ।ପରେ ପରେ ରାଜ୍ୟପାଳ ପାରାଦ୍ଵୀପ ର ସ୍ପେଶାଲ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଶ୍ରୀମତି ପାରୁଲ ପଟାୱରି ଙ୍କ ସହ ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟପାଳ ଙ୍କ ଗସ୍ତ ସମୟରେ ରେ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ, ଅତିରିକ୍ତ ଜିଲ୍ଲାପାଳ,,ପାରାଦ୍ବୀପ ଶ୍ରୀ ନିରଞ୍ଜନ ବେହେରା,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ,ଉପଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ସିଡିଏମ ଓ ଡା.କ୍ଷେତ୍ରବାସୀ ଦାଶ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ରାଜ୍ୟପାଳ ଶ୍ରୀ ଦାସ ଆଇ ଓ ସି ଏଲ୍ ପରିଦର୍ଶନ କରି  ଏହାର ପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ।

Leave a Reply

Your email address will not be published. Required fields are marked *