କୁଶଭଦ୍ରା ନଦୀବନ୍ଧ ରେ ଟ୍ରକ ଚାପାରେ ଯୁବକଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବି କରି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ନିମାପଡ଼ା, ୧୨/୧୨/୨୦୨୩ (ଓଡ଼ିଶା ସମାଚାର)- କୁଶଭଦ୍ରା ନଦୀବନ୍ଧ ରେ ଟ୍ରକ ଚାପାରେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଉତ୍ତ୍ୟକ୍ତ ଲୋକମାନଙ୍କ ଦ୍ୱାରା ରାସ୍ତାରୋକ କରା ଯାଇଥିଲା। ସୂଚନା ମୁତାବକ ସ୍ଥାନୀୟ ସର୍ବାପଡା ପ୍ରଧାନ ସାହିର ୪୫ ବର୍ଷ ବୟସ୍କ ଯୁବକ ରତ୍ନାକର ପ୍ରଧାନ ପରିବା କିଣି ଆସୁଥିବା ସମୟରେ କୁଶଭଦ୍ରା ନଦୀ ପଟୁ ଦ୍ରୁତ ଗତିରେ ଆସୁଥିବା ଓ ଆର ୦୫ ଏ ଜେ ୨୦୭୫ ଟ୍ରକ ତାଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲା। ରତ୍ନାକର ତଳେ ପଡିଯିବା ପରେ ତାଙ୍କ ପେଟ ଉପରେ ଟ୍ରକ ଚଢି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟିଥିବା ସ୍ଥାନଟି ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବା ସହ ରାସ୍ତା ଉପରେ ପରିବା ବିକାଳୀ ଏବଂ ଲୋକମାନଙ୍କର ଭିଡ଼ ଜମୁଥିବାରୁ ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ଘଟୁଛି। ଏ ସମ୍ବନ୍ଧରେ ଅନେକ ଥର ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲେ ମଧ୍ୟ ସାଧାରଣ ଲୋକ ସଚେତନ ହେଉନାହାନ୍ତି କିମ୍ବା ପ୍ରଶାସନର ମଧ୍ୟ ଚେତା ପଶୁନଥିବା ଅଭିଯୋଗ ହେଉଛି। ଦୁର୍ଘଟଣା ଘଟିବା ପରେ ପୋଲିସ ଟ୍ରକକୁ ଜବତ କରିଛି। ମୃତ ଯୁବକର ପରିବାରକୁ କ୍ଷତି ପୂରଣ ଦେବା ସହ ରାସ୍ତାକୁ ପ୍ରଶସ୍ଥ କରାଯାଉ, ଉଠା ଦୋକାନୀଙ୍କୁ ସେଠାରୁ ଉଠଯାଉ ଦାବି କରି ସ୍ଥାନୀୟ ଜନସାଧାରଣ ରାସ୍ତା ରୋକ କରିଥିଲେ। ନିମାପଡ଼ା ଥାନା ଆଇଆଇସି ବାମଦେବ ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତି ପୂରଣ ଦେବା ନିମନ୍ତେ ଆଲୋଚନା କରିବେ ବୋଲି ଜଣାଇଥିଲେ ।

Leave a Reply

Your email address will not be published. Required fields are marked *