ପୂର୍ବ ଶତ୍ରୁତାକୁ ନେଇ ମହିଳାଙ୍କୁ ମାରାଣାନ୍ତକ ଆକ୍ରମଣ : ଅଭିଯୁକ୍ତ କୁ ଗିରଫକଲା ପୋଲିସ

ସାଲେପୁର ,୨୮/୦୩/୨୦୨୪(ଓଡିଶା ସମାଚାର /ଅଭୟ ଜେନା )- ପୂର୍ବ ଶତ୍ରୁତାକୁ ନେଇ ଆଜି ଜନୈକା ମହିଳାଙ୍କ ଘରେ ପଶି ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ ହୋଇଥିଲା । ମହିଳା ଜଣକ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିଲେ ମଧ୍ୟ ସ୍ଥାନୀୟ ଲୋକେ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିବା ସୂଚନା ମିଳିଛି । କଟକ ଜିଲ୍ଲା ମାହାଙ୍ଗା ଥାନା ଗୁଣୁପୁର ଗାଁର ଏହି ଲୋମ ଟାଙ୍କୁରା ଘଟଣା ସମ୍ପର୍କରେ ଖବର ମିଳିବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳୀରେ ପହଂଚି ଅଭିଯୁକ୍ତକୁ କାବୁ କରିଛି ।
କୈଳାଶ ଚନ୍ଦ୍ର ସାହୁ ନାମକ ଅଭିଯୁକ୍ତ ବ୍ୟକ୍ତି ଜଣକ ବିଭୀଷଣ ମହାନ୍ତିଙ୍କ ଘର ଭିତରେ ପଶି ଏକ ଧାରୁଆ ଅସ୍ତ୍ର ଦ୍ୱାରା ବିଭୀଷଣଙ୍କ ପତ୍ନୀ ରଶ୍ମିତାଙ୍କୁ ଆକ୍ରମଣ କରିଥିଲା । ରଶ୍ମିତାଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଅଭିଯୁକ୍ତ କୈଳାଶକୁ କାବୁକରି ଏକ ଖୁଣ୍ଟରେ ବାନ୍ଧି ପକାଇଥିଲେ । ବିଭୀଷଣଙ୍କ ପତ୍ନୀ ରଶ୍ମିତା ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତେବେ ନିଶାସକ୍ତ କୈଳାଶକୁ ଏହି ଅପରାଧ ଘଟାଇବା ପାଇଁ ତାଙ୍କ ପତ୍ନୀ ଓ ପରିବାର ସଦସ୍ୟ ମାନେ ସହଯୋଗ କରିଥିବା ଆହତ ବିଭୀଷଣଙ୍କ ପତ୍ନୀ ରଶ୍ମିତା ଅଭିଯୋଗ କରିଛନ୍ତି । ପୋଲିସ ମୁଖ୍ୟ ଅଭିଯୁକ୍ତ କୈଳାଶ ଏବଂ ତାଙ୍କ ପତ୍ନୀ ଓ ପୁଅ ଝିଅକୁ ଥାନାକୁ ଉଠାଇ ନେଇଛି । ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ପଛରେ କେବଳ ପୂର୍ବ ଶତ୍ରୁତା ନାଁ’ ଆଉ କ’ଣ କାରଣ ଥାଇପାରେ ତଦନ୍ତ ପରେ ସେନେଇ ପୋଲିସ ସ୍ପଷ୍ଟ କରିବ ବୋଲି ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *