ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପ୍ରଶିକ୍ଷଣ ପରିଦର୍ଶନ

ଭୁବନେଶ୍ୱର, ୨୦/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଏକ ସଫଳ ନିର୍ବାଚନ ପରିଚାଳନାର ମୂଳବିନ୍ଦୁ ହେଉଛି ଉପଯୁକ୍ତ ନିର୍ବାଚନ ପ୍ରଶିକ୍ଷଣ । ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ‘ଭାରତ’ର ସଫଳ ନିର୍ବାଚନ ପରିଚାଳନା ହେଉଛି ସମଗ୍ର ବିଶ୍ୱ ପାଇଁ ଏକ ବିସ୍ମୟ । ଏହି ବିସ୍ମୟର ଆଧାର ବିନ୍ଦୁ ହେଉଛି ‘ବୁଥ୍‌ ପରିଚାଳନା’ । ପ୍ରତିଟି ବୁଥ୍‌ରେ ମତଦାନ କରାଇଥାନ୍ତି ପି୍ରଜାଇଡିଂ ଅଫିସର, ପୋଲିଂ ଅଫିସର ଓ ସୁରକ୍ଷା କର୍ମୀ । ଏହି ପି୍ରଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କ ନିର୍ବାଚନ ପ୍ରଶିକ୍ଷଣ ହେଉଛି ନିର୍ବାଚନ ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ଅଂଶ । ଭୁବନେଶ୍ୱରର ଆଇ.ଟି.ଇ.ଆର୍‌ ଠାରେ ପୋଲିଂ ଅଫିସରମାନଙ୍କୁ ସମ୍ବୋଧନ କରିବା ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏଭଳି ମତ ରଖିଛନ୍ତି । ପ୍ରଶିକ୍ଷଣ ପ୍ରାପ୍ତ ହେଉଥିବା ଅଧିକାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ଧଳ ନିର୍ବାଚନର ଗୁରୁଦାୟିତ୍ୱକୁ ଜାତୀୟ କର୍ତ୍ତବ୍ୟ ରୂପେ ଗ୍ରହଣ କରିବା ପାଇଁ ପ୍ରେରିତ କରିଛନ୍ତି ।

          ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଶିକ୍ଷଣ ପ୍ରାପ୍ତ ହେଉଥିବା ଅଫିସରମାନଙ୍କ ସହ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ‘ନିର୍ବାଚନର ପର୍ବ: ଆମ ଦେଶର ଗର୍ବ’ ଥିମ୍‌କୁ ନିର୍ବାଚନ ପରିଚାଳନାର ମୂଳମନ୍ତ୍ର ରୂପେ ଗ୍ରହଣ କରିବା ପାଇଁ ସେ ସଭିଙ୍କୁ ପ୍ରେରିତ କରିଥିଲେ । ନିର୍ବାଚନ ପ୍ରକ୍ରିୟାରେ ‘ମତଦାତା’ମାନଙ୍କୁ କେନ୍ଦ୍ରରେ ରଖି ସେମାନଙ୍କ ସୁବିଧାକୁ ଅଗ୍ରାଧିକାର ଦେବା ପାଇଁ ଶ୍ରୀ ଧଳ ମତ ରଖିଥିଲେ ।

          ଏହା ସହ ବିଭିନ୍ନ ବର୍ଗର ମତଦାତାମାନେ କେଉଁଭଳି ଭାବରେ ଭୋଟ ଦେବେ, ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଭୋଟର ଆଦିଙ୍କୁ କେଉଁସବୁ ସୁବିଧା ଯୋଗାଇ ଦିଆଯିବ, ମଡେଲ ବୁଥ୍‌: ସଖିବୁଥ୍‌ (ସଂପୂର୍ଣ୍ଣ ରୂପେ ମହିଳା ପରିଚାଳିତ ବୁଥ୍‌), ଯୁବ କର୍ମଚାରୀ ପରିଚାଳିତ ବୁଥ୍‌, ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍‌ ଆଦିର ଲକ୍ଷ୍ୟ ବିଷୟରେ ଆଲୋଚନା କରି ଶ୍ରୀ ଧଳ ବୁଥ୍‌ ସ୍ତରରେ ସମସ୍ତ ଗାଇଡ୍‌ଲାଇନ୍‌କୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

          ‘ନିର୍ବାଚନ ଏହି ଦେଶର ଜାତୀୟ ପର୍ବ । ଏହାକୁ ସଂପୂର୍ଣ୍ଣ ଦାୟିତ୍ୱବୋଧତାର ସହ ସଫଳ କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ଆପଣମାନେ ତୃଣମୂଳ ସ୍ତରରେ ନିର୍ବାଚନ କମିଶନଙ୍କ ପ୍ରତିନିଧି । ମୁକ୍ତ, ଅବାଧ, ନିରପେକ୍ଷ, ସମସ୍ତଙ୍କ ପାଇଁ ଅଂଶଗ୍ରହଣକାରୀ ଏକ ନିର୍ବାଚନ ପ୍ରକ୍ରିୟାର ଆପଣମାନେ ସମର୍ଥ ସାରଥି । ସେହି ଦାୟିତ୍ୱବୋଧ ସହ ଆପଣମାନଙ୍କୁ କାମ କରିବାକୁ ପଡ଼ିବ । ନିର୍ବାଚନ କମିଶନଙ୍କ ସ୍ୱଚ୍ଛତା, ନିରପେକ୍ଷତା ଓ ବିଶ୍ୱସନୀୟତା ଆପଣମାନଙ୍କ କାର୍ଯ୍ୟରେ ପ୍ରତିଫଳିତ ହେବା ଉଚିତ । ଏଭଳି ଗୁରୁଦାୟିତ୍ୱକୁ ନିର୍ବାହ କରିବା ହିଁ ଆମ ଗଣତନ୍ତ୍ର ପ୍ରତି ଆମର ଉତ୍ତରଦାୟିତ୍ୱ ।’ ପ୍ରଶିକ୍ଷଣ ପ୍ରାପ୍ତ ହେଉଥିବା ସମସ୍ତ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଏହି ଭଳି ଭାବରେ ପ୍ରେରିତ କରିଥିଲେ ।

          ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାଏକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ପ୍ରଶିକ୍ଷଣ ପ୍ରାପ୍ତ ହେଉଥିବା ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *