ତ୍ରିଦିବସୀୟ ପତଞ୍ଜଳି ଯୋଗ ଓ ଧ୍ୟାନ ଶିବିର ଉଦଯାପିତ ।

ଭୁବନେଶ୍ୱର, ୧୮/୦୩/୨୦୨୪ (ଓଡ଼ିଶା ସମାଚାର)- ରାଧାକୃଷ୍ଣ ଯୋଗଶାଳା ଓ ଲିଙ୍ଗରାଜ ବିହାର ୱେଲ ଫେୟାର ଆସୋସିଏସନ୍ ସହଯୋଗରେ ଭୁବନେଶ୍ୱର ଲିଙ୍ଗରାଜ ବିହାର ଦୁର୍ଗା ମଣ୍ଡପ ପଡ଼ିଆରେ ଏକ ତ୍ରିଦିବସୀୟ ପତଞ୍ଜଳି ଯୋଗ ଓ ଧ୍ୟାନ ଶିବିର ଆୟୋଜିତ ହୋଇ ଯାଇଛି । ଶିବିରର ଉଦଯାପନୀ ଦିବସରେ ଏଗାର କୁଣ୍ଡୀୟ ପ୍ରାତଃ ଯଜ୍ଞ ଓ ମଙ୍ଗଳାଚରଣ ରାଷ୍ଟ୍ର ବନ୍ଦନା ଗାନ ସହ ଯୋଗ ସାଧନା ଆରମ୍ଭ ହୋଇଥିଲା । ଏକ ଭବ୍ୟ ଓ ଦିବ୍ୟ ବାତାବରଣ ମଧ୍ୟରେ ଯୋଗ ବିଶାରଦ ତଥା ପତଞ୍ଜଳି ଯୋଗପୀଠ ଓଡ଼ିଶା ରାଜ୍ୟ ପ୍ରଭାରୀ ଶ୍ରୀଯୁକ୍ତ ସୁଧାଂଶୁ ଅଧିକାରୀଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଯୋଗ ଓ ଧ୍ୟାନ ଶିବିରର ଅନ୍ତିମ ଦିନର ସାଧନା ସମାପନ ହୋଇଥିଲା । ଏହି ଅବସରରେ ସେ ଆମ ସମସ୍ତଙ୍କର ଦୈନନ୍ଦିନ ଜୀବନରେ ଯୋଗ, ଯଜ୍ଞ ଓ ଧ୍ୟାନର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ଏକ ସଙ୍ଗୀତମୟ ବାତାବରଣ ମଧ୍ୟରେ ଉପସ୍ଥିତ ଯୋଗାଭ୍ୟାସୀମାନେ ଏହି ଶିବିରକୁ ଖୁବ୍ ଉପଭୋଗ କରିଥିଲେ । ମାମି ମମତା ମହାନ୍ତି, ମଧୁସ୍ମିତା ସେଠୀ ଓ ନମିତା ମିଶ୍ର ମଞ୍ଚ ଉପରେ ଗୀତା ପାଠ କରିଥିଲେ । ପତଞ୍ଜଳି ଯୋଗପୀଠ ହରିଦ୍ଵାର ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଏହି ତ୍ରିଦିବସୀୟ ଯୋଗ ଶିବିରରେ ପାଞ୍ଚ ଶହରୁ ଉର୍ଦ୍ଧ୍ବ ଯୋଗାଭ୍ୟାସୀ ଯୋଗ ଦେଇଥିଲେ । ରାଧାକୃଷ୍ଣ ଯୋଗ କେନ୍ଦ୍ର ପରିଚାଳିକା ଶ୍ରୀମତୀ ମାମି ମମତା ମହାନ୍ତି, ସୁଜାତା ରାଓ, ବିଜୟଲକ୍ଷ୍ମୀ ବେହେରା ଓ ଅନ୍ୟ ସହଯୋଗୀ ଭଉଣୀମାନେ ଶିବିରର ସମସ୍ତ ଆୟୋଜନରେ ସହଭାଗୀ ହୋଇଥିଲେ । ଶିବିରାର୍ଥୀଙ୍କ ପାଇଁ ନିଃଶୁଳ୍କ ବୈଦ୍ୟ ପରାମର୍ଶ ସହ ଆକ୍ୟୁପ୍ରେସର୍ ବ୍ୟବସ୍ଥା କରାଯାଇଥିଲା। ଏହି ତ୍ରିଦିବସୀୟ ଯୋଗ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ଚୌଧୁରୀ, ଶିଖା ନାୟକ, ଏନ୍ କେ ମିଶ୍ର , ଏନ୍ କେ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ । ଆଗାମୀ ଯୋଗ ଶିବିର ମାର୍ଚ୍ଚ ୨୯ ରୁ ଆରମ୍ଭ ହୋଇ ୩୧ ପର୍ୟ୍ୟନ୍ତ ବିଜେବି ନଗର ସ୍ଥିତ ବକ୍ସି ଜଗବନ୍ଧୁ ଯୋଗ କେନ୍ଦ୍ର ବିଡିଏ ପାର୍କରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *