କଡ଼ାକଡ଼ିଭାବେ ପାଳନ ହେବ ନିର୍ବାଚନ ଆଦର୍ଶ ଆଚରଣ ବିଧି

କେନ୍ଦ୍ରାପଡ଼ା, ୧୭/୦୩/୨୦୨୪ (ଓଡ଼ିଶା ସମାଚାର)- ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ିଭାବେ ପାଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲା ନିର୍ବାଚନ ଅଧିକାରୀ ଏବଂ ଜିଲାପାଳ  ସୂର୍ଯ୍ୟବଂଶୀ ମୟୂର ବିକାଶ । ଭାରତର ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ପ୍ରଣୀତ ଆଦର୍ଶ ଆଚରଣ ବିଧିକୁ ଅନୁପାଳନ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିବା କଥା ପ୍ରକାଶ କରିଥିଲେ । ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ବାଚନ ତାରିଖ ଘୋଷଣାବେଳଠୁ ନିର୍ବାଚନ ଆଚରଣ ବିଧ ଲାଗୁ ହୋଇସାରିଥିବା ବେଳେ ଇସ୍ୟୁ ରେଜିଷ୍ଟର୍ କୁ ସିଲ୍ କରାଯାଇଛି । ନୂତନ କାର୍ଯ୍ୟାଦେଶ ନଦେବା ଓ ନୂତନ କାର୍ଯ୍ୟ ଆରମ୍ଭ ନକରିବା ପାଇଁ ସେ ମଧ୍ୟ ନିର୍ଦ୍ଧେଶ ଦେଇଛନ୍ତି । ବ୍ୟାନର ଓ ହୋର୍ଡିଂ ହଟାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ସ୍ୱଚ୍ଛ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ । ଖବର ପ୍ରସାରଣ କରିବା ପୂର୍ବରୁ ଏହାର ସତ୍ୟତାକୁ ଯାଂଚ କରିବା ପାଇଁ ସେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆହ୍ୱାନ ଜଣାଇଥିଲେ । ଗଣମାଧ୍ୟମର ନିଷ୍ଠା ଉପରେ ସୁସ୍ଥ ଗଣତନ୍ତ୍ରର ସମୃଦ୍ଧ ପରମ୍ପରା ନିର୍ଭର କରୁଥିବାରୁ ଫେକ୍ ନ୍ୟୁଜ୍ ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ । ଚଳିତ ଥର କେନ୍ଦ୍ରାପଡ଼ା ଜିଲାରେ ଜୁନ୍ ୧ରେ ଭୋଟ୍ ଗ୍ରହଣ ହେବ । ଏଥିରେ ନିର୍ବାଚନ ପରିଚାଳନା ପାଇଁ ଜିଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ୍ ୧୪୪୫ଟି ବୁଥ୍ ପ୍ରସ୍ତୁତ କରାଯାଇଛି । ଯାହା ଭିତରେ ମଡେଲ୍ ବୁଥ୍ ସଂଖ୍ୟା ରହିଛି ୧୪୭ । ମୋଟ୍ ୯୨ଟି ସଖୀ ବୁଥ୍ ପ୍ରସ୍ତୁତ କରାଯାଇଛି ଯେଉଁଠି କି ନିର୍ବାଚନ ପରିଚାଳନା କରିବେ ସମସ୍ତ ମହିଳା କର୍ମଚାରୀ । ଅର୍ଥାତ୍ ପ୍ରିଜାଇଡିଙ୍ଗ ଅଫିସର୍, ପୋଲିଙ୍ଗ୍ ଅଫିସର, ପୋଲିସ୍ ଅଫିସରମାନେ ସମସ୍ତେ ମହିଳା ରହିବେ । ଜିଲାରେ ମତଦାନ କରିବେ ୧୨, ୬୫, ୩୭୨ ଜଣ ଭୋଟର । ମହିଳା ଭୋଟରଙ୍କ ସଂଖ୍ୟା ୬,୦୮,୬୪୨ ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୬,୫୬,୬୭୮ ଏବଂ ଅନ୍ୟାନ୍ୟ ସଂଖ୍ୟା ରହିଛି ୫୨ । ନିର୍ବାଚନା ପରିଚାଳନା ପାଇଁ ୧୦୪୪୦ ଜଣ କର୍ମଚାରୀଙ୍କୁ ନିୟୋଜନ କରାଯିବ । ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ୬୦ ପ୍ରତିଶତରୁ ଅଧିକ ବୁଥ ରେ ସିସିଟିଭି କ୍ୟାମେରାର ବନ୍ଦୋବସ୍ତ କରାଯାଇଥିବା ବେଳେ ଅନ୍ୟ ୪୦ ପ୍ରତିଶତ ବୁଥ୍ ରେ ମାଇକ୍ରୋ ଅବଜରଭର ଏବଂ ଭିଡିଓଗ୍ରାଫି ଟିମ୍ ନିୟୋଜନ କରାଯିବ । ନିର୍ବାଚନର ସ୍ୱଚ୍ଛତା ନିମନ୍ତେ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍, ଭିଡିଓ ସର୍ଭେଲାନ୍ସ ଟିମ୍, ଭିଡିଓ ଭିୟୁଙ୍ଗ୍ ଟିମ୍, ଆକାଉଟିଙ୍ଗ୍ ଟିମ୍, ସେକ୍ଟର ଅଫିସର୍, ଆସିଷ୍ଟାଂଟ୍ ଏକ୍ସପେଣ୍ଡିଚର୍ ଅବଜରଭର, ଏମସିଏମସି ଆଦି ଗଠନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ସିକ୍ୟୁରିଟି ଆରେଂଜମେଂଟ୍ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପଜିଲାପାଳ ଅଶୋକ କୁମାର ଦାସ, ଡେପୁଟି କଲେକ୍ଟର (ନିର୍ବାଚନ) ରମେଶ ଚନ୍ଦ୍ର ପଣ୍ଡା, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ସମସ୍ତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *