ଏକାମ୍ର ହାଟଠାରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୪ ଉଦ୍‌ଘାଟିତ

ଭୁବନେଶ୍ୱର, ୧୬/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୪ ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟ ଠାରେ ଆୟୋଜନ କରାଯାଇଅଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ତନ୍ତବାୟ ସମିତି/ ସ୍ୱୟଂ ସହାୟକ ଗୋଷ୍ଠୀ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ବୁଣାକାରଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ  POHI-୨୦୨୩-୨୪ ଯୋଜନାରେ ଏହା ଅନୁଷ୍ଠିତ ହୋଇଅଛି । ଏହି ମେଳାକୁ ପ୍ରଣତି ଛୋଟରାୟ, ନିର୍ଦ୍ଦେଶକ, ବୟନ ଓ ହସ୍ତତନ୍ତ, ଓଡ଼ିଶାଙ୍କ ଦ୍ୱାରା ଆଜି ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ଶ୍ରୀମତୀ ମମତା ନାୟକ, ଯୁଗ୍ନ ସଚିବ, ଶ୍ରୀମତୀ ବୀଣାପାଣି ନାୟକ, ବିତ୍ତ ଉପଦେଷ୍ଟା ତଥା ଯୁଗ୍ନ ସଚିବ, ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ, ଶ୍ରୀ ହୃଷିକେଶ ମାହାଲି, ପରିଚାଳନା ନିର୍ଦ୍ଦେଶକ, ସମ୍ବଲପୁରୀ ବସ୍ତ୍ରାଳୟ, ଶ୍ରୀ ଦେବଜୀତ ନନ୍ଦି, ଯୁଗ୍ମ ନିର୍ଦ୍ଦେଶକ, ବୟନଶିଳ୍ପ, ଭୁବନେଶ୍ୱର, ଓ ଶ୍ରୀ ହେମନ୍ତ କୁମାର ମିଶ୍ର, ବାଣିଜ୍ୟ ଅଧିକାରୀ, ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ ଉପସ୍ଥିତ ଥିଲେ । ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ, କଟକ, ସୋନପୁର, ଆଠଗଡ, ବାରିପାଦା, ବାଲେଶ୍ୱର, ପାଟଣାଗଡ, ନୟାଗଡ, ଖୋର୍ଦ୍ଧା, କୋରାପୁଟ ଓ ବୌଦ୍ଧ ବୟନ ମଣ୍ଡଳମାନଙ୍କରୁ ୩୩ଗୋଟି ତନ୍ତବାୟ ସମିତି/ ସ୍ୱୟଂ ସହାୟକ ଗୋଷ୍ଠୀର ବୁଣାକାର ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ କରିବାପାଇଁ ଯୋଗଦାନ କରିଛନ୍ତି । ଏଥି ସକାଶେ ସେମାନଙ୍କୁ ୩୪ଗୋଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଅଛି । ଏହି ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଆସନ୍ତା ତା.୩୧.୦୩.୨୦୨୪ ପଯ୍ୟନ୍ତ ଚାଲୁରହିବ । ତା.୧୫.୦୩.୨୦୨୪ରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ମେଳାରେ ଗ୍ରାହକମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉତ୍ପାଦିତ ହସ୍ତତନ୍ତ ଲୁଗା ସୁଲଭ ମୂଲ୍ୟରେ ୧୦% ସରକାରୀ ରିହାତିରେ କିଣିପାରିବେ । ଏହାର ସୁଯୋଗ ନେବା ପାଇଁ ସମିତି ତରଫରୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଇଅଛି ।

Leave a Reply

Your email address will not be published. Required fields are marked *