ଉଗ୍ରତାରା ପୀଠର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହେଲା ଭିତ୍ତି ପ୍ରସ୍ତର ସ୍ଥାପନ

 ନିରାକାରପୁର, ୧୧/୦୩/୨୦୨୪ (ଓଡ଼ିଶା ସମାଚାର)-  ରାଜ୍ୟର ଅନ୍ୟତମ ଶକ୍ତି ପୀଠ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ମୁଲିଝର ଗଡ଼ ରେ ବିଦ୍ୟମାନ ମା ଉଗ୍ରତାରା ଙ୍କ ମନ୍ଦିରର ଉନ୍ନତିକରଣ ସହ ମାଙ୍କ ପୀଠ ର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟର ଶିଳାନ୍ୟାସ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ସହ ୫ ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ ଉପସ୍ଥିତ ରହି ଶିଳାନ୍ୟାସ କାର୍ଯ୍ୟ କରିଛନ୍ତି।ଏହି ଅବସରରେ ମା ଉଗ୍ରତାରାଙ୍କ ପୀଠରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବ ରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ ମଲିକ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର,ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ଗୁମାନସିଂହ, ଉପଜିଲ୍ଲପାଳ ଦୀପ୍ତି ରଞ୍ଜନ ସେଠୀ,ଟାଙ୍ଗୀ ବ୍ଳକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥ ଶର୍ମା,  ୧୨ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ , ଟାଙ୍ଗୀ ବ୍ଲକ ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ଜେନା, ପୂର୍ବତନ ଅଧ୍ୟକ୍ଷା ଗୀତାଞ୍ଜଳୀ ପାଟ୍ଟଶାଣୀ ଓ ଟାଙ୍ଗୀ ବ୍ଳକ ବିଜେଡି ଯୁବ ସଭାପତି ଚିନ୍ମୟ ପୃଷ୍ଟି ପ୍ରମୁଖ ଯୋଗଦେଇ ଥିଲେ। ମା ଙ୍କ ପୀଠ ର ନବୀ କରଣ ହେବା ଦ୍ୱାରା ଭକ୍ତ ମାନେ ନୂତନ ଅନୁଭବ ପାଇବା ସହ ବହୁ ଭକ୍ତଙ୍କର ସମାଗମ ହେବ। ଭକ୍ତ ମାନେ ପରିକ୍ରମା ମାର୍ଗ ରେ ଯାଇ ମା ଉଗ୍ରତାରାଙ୍କୁ ଦର୍ଶନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ମଲିକ କହିଛନ୍ତି। ଓଡ଼ିଶାର ଖ୍ୟାତନାମା ଉଗ୍ରତାରାଙ୍କ ମନ୍ଦିର ୧୬ନଂ ଜାତୀୟ ରାଜପଥଠାରୁ ୩ କିଲୋମିଟର ଦୂର ସହ ଭୂଷଣ୍ଡପୁର ରେଳ ଷ୍ଟେସନ ଠାରୁ ଏକ କିଲୋମିଟର ଦୂରରେ ଅବସ୍ଥିତ।ବହୁ ପୁରାତନ ମନ୍ଦିର ହୋଇଥିବାରୁ ପ୍ରତେକ ଦିନ ଏଠାରେ ଭକ୍ତଙ୍କର ପ୍ରବଳ ଭିଡ଼ ହୋଇଥାଏ। ତେଣୁ ଭକ୍ତଙ୍କ ସହ ସ୍ଥାନୀୟ ଲୋକେ ମାଙ୍କ ପୀଠର ଉନ୍ନତି ପାଇଁ ଦାବି କରିଆସୁଥିଲେ। ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ୨୦୨୨ ନଭେମ୍ବର ୨୧ ତାରିଖରେ ୫ ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନ ମା ଉଗ୍ରତାରାଙ୍କ ମନ୍ଦିରକୁ ଅଚାନକ ପରିଦର୍ଶନ କରି ଏହାର ରୂପାନ୍ତରୀଣ ଯୋଜନାର କାର୍ଯ୍ୟ କିପରି ତ୍ୱରାନ୍ୱିତ ହୋଇପାରିବ ତାହା ପରଖି ଥିଲେ। ମା ଉଗ୍ରତାରାଙ୍କ ପରିକ୍ରମା ମାର୍ଗ ସହ ସେବାୟତଙ୍କ ବିଶ୍ରାମ ଭବନ, ତୀର୍ଥ ଯାତ୍ରୀ ବିଶ୍ରାମ ଗୃହ ,ଦୋକାନ ଘର,ଭୋଗ ମଣ୍ଡପ, ସୂଚନା କେନ୍ଦ୍ର ସହ ମନ୍ଦିର ପୁଷ୍କରିଣୀ ସମୂହର କାର୍ଯ୍ୟ ପାଇଁ ୨୪ କୋଟି   ୪୫  ଟଙ୍କା ମଞ୍ଜୁର କରିଛନ୍ତି ସରକାର। ଏହାର ନିର୍ମାଣ ଦାୟିତ୍ୱ ଓବିସିସିକୁ ପ୍ରଦାନ କରାଯାଇଛି। ଏହାର ଟେଣ୍ଡର କାର୍ଯ୍ୟ ସରିଛି।ଆସନ୍ତା କାଲି ଠାରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୨୫ ଏପ୍ରିଲ ୧୯ ସୁଦ୍ଧା ସାରିବାକୁ ନିର୍ଦେଶ ଦିଆଯାଇଛି। ଆଜିର ଭିତ୍ତପ୍ରସ୍ତର ସ୍ଥାପନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଡିଓ ରେଶ୍ମା ଟେଟେ, ସମସ୍ତ ପଞ୍ଚାୟତର ଲୋକ ପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଓ ମିଶନ ଶକ୍ତି ମହିଳା ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *