ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ

କେନ୍ଦ୍ରାପଡ଼ା,୨୨/୧୧/୨୦୨୩ (ଓଡ଼ିଶା ସମାଚାର)- ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ସାଉଁଟିବା ପାଇଁ କେନ୍ଦ୍ରାପଡ଼ାରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରାକୁ ପତାକା ଦେଖାଇ ଜିଲାପାଳ ଅମ୍ରିତ୍ ଋତୁରାଜ ଶୁଭାରମ୍ଭ କରିବା ସହ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ଯାତ୍ରା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପଞ୍ଜିକରଣରେ ଯୋଗ୍ୟ ବିବେଚିତ ହୋଇଥିବା ୧୩୫ ଜଣ ବରିଷ୍ଠ ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଉପସ୍ଥିତ ଥିବା ତୀର୍ଥଯାତ୍ରୀଙ୍କ ମେଡିକାଲ୍ ଚେକ୍ ଅପ୍ ପରେ ୧୧୩ ଜଣ ହରିଦ୍ୱାର-ଋଷିକେଶ ଅଭିମୁଖେ କେନ୍ଦ୍ରାପଡ଼ାରୁ ଯାତ୍ରା ଆରମ୍ଭ କରିଛନ୍ତି । ଜିଲା ପ୍ରଶାସନ ପକ୍ଷରୁ ଡା. ବୈକୁଣ୍ଠନାଥ ପଣ୍ଡାଙ୍କ ନେତୃତ୍ୱରେ ଏକ ମେଡିକାଲ୍ ଟିମ୍ ଗଠନ କରାଯାଇ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଜି ଭୁବନେଶ୍ୱରରେ ବରିଷ୍ଠ ନାଗରିକମାନେ ରାତ୍ରୀ ରହଣି କରିବେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ପରେ “ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା” ଟ୍ରେନ୍ ରେ ସେମାନେ ଭୁବନେଶ୍ୱରରୁ ହରିଦ୍ୱାର-ଋଷିକେଶ ଅଭିମୁଖେ ଯାତ୍ରା ଆରମ୍ଭ କରିବେ । ବରିଷ୍ଠ ନାଗରିକଙ୍କୁ ସହଯୋଗ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସୁପରଭାଇଜର୍ ଭାସ୍କର ଚନ୍ଦ୍ର ଦାସ, ଏସଆରଏ ଶୈଳେନ୍ଦ୍ର ନାରାୟଣ ପ୍ରଧାନ, ଏସଆରଏ ରତିକାନ୍ତ ରାଉତରାୟ, ଜେଆରଏ ଉମେଶ ଚନ୍ଦ୍ର ବେହେରା ସେମାନଙ୍କ ସହ ଯାତ୍ରା କରିଛନ୍ତି । ଏହି ଫ୍ଲାଗ୍ ଅଫ୍ ସେରିମନିରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ପର୍ଯ୍ୟଟନ ବିଭାଗ ଉପ-ନିର୍ଦ୍ଧେଶିକା ତଥା ଭାରପ୍ରାପ୍ତ କେନ୍ଦ୍ରାପଡ଼ା ପର୍ଯ୍ୟଟନ ଅଧିକାରୀ ହିମାଳୟା ତ୍ରିପାଠୀ, ଡେପୁଟି କଲେକ୍ଟର ସୁଶାନ୍ତ କୁମାର ନାୟକ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା “ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା” ଅଧିନରେ କେନ୍ଦ୍ରାପଡ଼ା ଜିଲାର ବରିଷ୍ଠ ନାଗରିକଙ୍କ ସହ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢେଙ୍କାନାଳ ଜିଲାର ବରିଷ୍ଠ ନାଗରିକମାନେ ହରିଦ୍ୱାର-ଋଷିକେଶ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ସାଉଁଟିବେ ।

Leave a Reply

Your email address will not be published. Required fields are marked *