ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକ

ଭୁବନେଶ୍ୱର, ୧୭/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତ ନିର୍ବାଚନ ଆୟୋଗଙ୍କ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ମାନ୍ୟବର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରାଇଥିଲେ । ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ସଂପର୍କରେ ମାନ୍ୟବର ଆୟୋଗଙ୍କୁ ଅବଗତ କରାଇଥିଲେ । ପରେ ପରେ ମାନ୍ୟବର ମୁଖ୍ୟ ନିର୍ବାଚନ କମିଶନର ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଜିଲ୍ଲାୱାରୀ ସମୀକ୍ଷା କରିଥିଲେ । ହେବାକୁ ଥିବା ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ମାନ୍ୟବର ମୁଖ୍ୟ ନିର୍ବାଚନ କମିଶନର ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏତଦ୍‌ବ୍ୟତୀତ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ କୁମାର ସ୍ୱୀକୃତିପ୍ରାପ୍ତ ଜାତୀୟ, ରାଜ୍ୟ ଓ ଆଞ୍ଚଳିକ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ରାଜ୍ୟରେ ହେବାକୁ ଥିବା ସାଧାରଣ ନିର୍ବାଚନ ଯେପରି ଅବାଧ, ମୁକ୍ତ, ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରାଯାଇପାରିବ, ସେଥି ନିମନ୍ତେ ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ ଏକାନ୍ତ କାମ୍ୟ ବୋଲି ମୁଖ୍ୟ ନିର୍ବାଚନ କମିଶନର ବୈଠକରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମୀକ୍ଷା ବୈଠକରେ ଭାରତର ମାନନୀୟ ନିର୍ବାଚନ ଆୟୁକ୍ତ ଶ୍ରୀ ଅରୁଣ ଗୋଏଲ, ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଶ୍ରୀ ଧର୍ମେନ୍ଦ୍ର ଶର୍ମା ଓ ଶ୍ରୀ ନିତେଶ ବ୍ୟାସ, ଉପ ନିର୍ବାଚନ ଆୟୁକ୍ତ ଶ୍ରୀ ମନୋଜ କୁମାର ସାହୁ, ଭାରତର ନିର୍ବାଚନ ଆୟୋଗଙ୍କ ଗଣମାଧ୍ୟମ ମହାନିର୍ଦ୍ଦେଶକ ଶ୍ରୀ ବି. ନାରାୟଣନ ଏବଂ ଆୟୋଗର ଅର୍ଥନୈତିକ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ଉପସ୍ଥିତ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡା. ଏନ. ତିରୁମାଲା ନାୟକଙ୍କ ସମେତ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ, ଆରକ୍ଷୀ ଅଧୀକ୍ଷକ, ରାଜସ୍ୱ ଆୟୁକ୍ତ, ଆରକ୍ଷୀ ମହାନିରୀକ୍ଷକ, ପୋଲିସ କମିଶନର ମାନନୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *