ମଇଦାନକୁ ଓହ୍ଲାଇଲେ ସତ୍ୟ ଜେନା, ରାଜନୈତିକ ହଟଚମଟ ସୃଷ୍ଟି ହେବା ସମ୍ଭାବନା

କଟକ ସଦର , ୧୭/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀର୍ଘ ଦିନର ନୀରବତା ପରେ କଟକ ସଦରର ରାଜନୈତିକ ଚାଣକ୍ୟ କୁହାଯାଉଥିବା ଵିଜେପିର ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା ସାଧାରଣ ନିର୍ବାଚନ ପୂର୍ବରୁ ମଇଦାନକୁ ଓହ୍ଲାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ ରାଜ୍ୟର ବରିଷ୍ଠ ଵିଜେଡି ନେତା ପ୍ରତାପ ଜେନାଙ୍କ ଵାଲ୍ୟ ବନ୍ଧୁ ଭାବେ ପରିଚିତ ଥିବା ତଥା ଵିଜେଡି ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଯୁବ ଵିଜେଡି ରାଜ୍ୟ ପୂର୍ବତନ ଉପସଭାପତି ସତ୍ୟ ଜେନା ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ଵିଧାୟକ ସ୍ୱର୍ଗତ କାଳିନ୍ଦୀ ବେହେରାଙ୍କ ମନୋନୀତ ପ୍ରାର୍ଥୀଙ୍କୁ ହରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇ ନେବାକୁ ସମର୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ବାପାଙ୍କ ପରେ ପୁଅ ବର୍ତମାନର ଵିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ ମଧ୍ୟ ଚକମା ଦେଖାଇ ଅନାସ୍ଥା ଭୋଟରେ ନିର୍ବାଚନ ଜିତି ଗୋଟି ଚାଳନା ର ପରାକାଷ୍ଠା ପ୍ରତିପାଦନ କରିଥିଲେ।ଏହି ସଵୁ କାରଣରୁ ତାଙ୍କୁ ଵିଜେଡିରୁ ନିଲମ୍ବିତ ହେବାକୁ ପଡ଼ିଥିଲା। ଯାହା ଫଳରେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ସତ୍ୟଙ୍କ ସହିତ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମନ୍ତିନୀ ବେହେରା, ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନାଙ୍କ ସମେତ ଵିଜେଡିର ବହୁ ଆଗଧାଡିର କର୍ମୀ ଵିଜେପିରେ ସାମିଲ ହୋଇଥିଲେ। ହେଲେ ଏମିତି କ’ଣ ହେଲା କେଜାଣି ଵିଜେପିକୁ ଯିବା ପରଠାରୁ ସତ୍ୟ କୋଣଠେସା ହୋଇଗଲେ ନାଁ ତାଙ୍କୁ କୋଣଠେସା କରିଦିଆଗଲା ତାକୁ ନେଇ ସସ୍ପେନ୍ସ ଲାଗି ରହିଛି। ହେଲେ ଏଵେ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସତ୍ୟ ମଇଦାନରେ ଉଭା ହୋଇଥିବାକୁ ନେଇ ହଟଚମଟ ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ଵୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *