ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ର ଜିଲ୍ଲା ସ୍ତରୀୟ ସମନ୍ଵୟ ବୈଠକ

ଜଗତସିଂହପୁର, ୦୮/୦୨/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ଦ୍ଵାରା ଆୟୋଜିତ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ର ଜିଲ୍ଲା ସ୍ତରୀୟ ସମନ୍ଵୟ ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ସମସ୍ତ ସରକାରୀ, ବେସରକାରୀ, ଇଂରାଜୀ ମାଧ୍ୟମ ବିଦ୍ୟାଳୟ , ଶିଶୁ ସୁରକ୍ଷା ଅନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ୧ ରୁ ୧୯ ବର୍ଷ ବୟସର ଶିଶୁ, କିଶୋର ଏବଂ ୨୦ ରୁ ୨୪ ବର୍ଷ ବୟସ୍କ ପ୍ରଜନନ କ୍ଷମ ମହିଳା ମାନଙ୍କୁ କୃମି ନାଶକ ବଟିକା ଏବଂ ଶିରପ ପ୍ରଦାନ କରାଯିବ। ଚଳିତ ଫେବୃଆରୀ ମାସରେ ୧୦ ତାରିଖ ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ଓ ଏହାର ମପ ଆପ ରାଉଣ୍ଡ ୧୭ ତାରିଖରେ ଅନୁଷ୍ଠିତ ହେବ ଯାହା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଏବଂ ବିଦ୍ୟାଳୟ ମାନଙ୍କରେ ଦିଆଯିବ। ସମୂହ ଭାବେ ଏହି ଦିନ  ୧ ରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଏହି ବଟିକା ଓ ଶିରପ ଦିଆଯିବ। ଜିଲ୍ଲା ର ସରକାରୀ ବିଦ୍ୟାଳୟ ର ୧୧୬୧୩୧, ବେସରକାରୀ ବିଦ୍ୟାଳୟ ର ୪୪୦୪୪,ଅଙ୍ଗନବାଡି କେନ୍ଦ୍ର ର ୫୭୪୬୭ ଜଣ ପିଲା ଏବଂ ୨୦ ରୁ ୨୪ ବର୍ଷ  ବୟସ୍କ ୧୯୮୦୭ ଜଣ ପ୍ରଜନନ କ୍ଷମ ମହିଳା ଙ୍କୁ ଏହି ଅଭିଯାନ ରେ କୃମି ନାଶକ ଔଷଧ ଦିଆଯିବ।ଜିଲ୍ଲାପାଳ ଶ୍ରୀମତୀ ପଟାୱରି ଏହି ସଭାରେ ସମସ୍ତ ଅଭିଭାବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କୃମି ନିରାକରଣ ଦିଗରେ ସହଯୋଗ  କରିବା ପାଇଁ କହିଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କ୍ଷେତ୍ରବାସୀ ଦାଶ ,ଏହି ବଟିକା ର ବିଶେଷ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ସୁଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ପ୍ରମୋଦ କୁମାର ବାରିକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନମିତା ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ମୁନିସିପାଲିଟି ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ବଡୁ, ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଅଂଶୁପା ସାହୁ, ସହକାରୀ ପରିଚାଳିକା ସୋନିଆ ବୋଷ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *