୫ଲକ୍ଷ ୫୧ହଜାର ୬୧୧ ମାଟ୍ରିକ୍ ପରୀକ୍ଷା ଛାତ୍ରଛାତ୍ରୀ – ୨୦ରୁ ଆରମ୍ଭ ମାର୍ଚ୍ଚ ୩୦ ସୁଦ୍ଧା ଖାତାଦେଖା

କଟକ, ୦୪/୦୨/୨୦୨୪ (ଓଡ଼ିଶା ସମାଚାର)- ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେଉଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା । ଏହି ପରୀକ୍ଷାକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି । ଏହି କ୍ରମରେ କପି ରୋକିବାକୁ ନୂଆ ଫର୍ମୂଲା ଆପଣାଇଛନ୍ତି ବୋର୍ଡ କର୍ତୃପକ୍ଷ । ଏଣିକି ପରୀକ୍ଷା ପାଇଁ ଧାର୍ଯ୍ୟ ସମୟର ଦେଢ଼ ଘଂଟା ପୂର୍ବରୁ ପରୀକ୍ଷା ହଲକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ । ଅର୍ଥାତ୍ ସକାଳ ୯ଟାରେ ପରୀକ୍ଷା ଥିବା ବେଳେ ସାଢ଼େ ୭ଟାରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ଛଡ଼ାଯିବ । ୮ଟା ୧୫ମିନିଟ୍ ପରେ ଆଉ କାହାକୁ ପରୀକ୍ଷା ହଲକୁ  ପ୍ରବେଶ ଅନୁମତି ମିଳିବ ନାହିଁ । କେବଳ ସେତିକି ନୁହେଁ, ଏଥର ପ୍ରଥମଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ହେବେ ପର୍ଯ୍ୟବେକ୍ଷକ । ପ୍ରଶ୍ନପତ୍ର ଆସିବାଠାରୁ ପରୀକ୍ଷା ଶେଷ ହୋଇ ଉତରଖାତା ଯିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ପର୍ଯ୍ୟବେକ୍ଷକ ତଦାରଖ କରିବେ । ଏହି ଦାୟିତ୍ୱ ବିଇଓ, ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦିଆଯିବ । ସେଂଟର ସୁପରିଟେଣ୍ଡେଂଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ୍  ନେଇପାରିବେ ନାହିଁ । ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନୀହାର ରଞ୍ଜନ ମହାନ୍ତି କହିଛନ୍ତି, ସାଢ଼େ ୭ଟାରେ ପିଲାମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରି ନିଜ ସ୍ଥାନରେ ବସିପାରିବେ । ୮ଟା ସୁଦ୍ଧା ସମସ୍ତେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ । ତେବେ ଆଉ ୧୫ମିନିଟ୍ ଅଧିକ ସମୟ ରଖାଯାଇଛି । ପରୀକ୍ଷା କେନ୍ଦ୍ରରେ ଦେଢ଼ ଘଂଟା ପୂର୍ବରୁ ପ୍ରବେଶ ଦ୍ୱାରା ନିଜ ସିଟ୍ ଖୋଜି ବସିବା ପାଇଁ ପରୀକ୍ଷାର୍ଥୀଙ୍କୁ ସୁବିଧା ହେବ । ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ୫ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ବୋର୍ଡ ପକ୍ଷରୁ ୩ ହଜାର ୭୩ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ଥାନାକୁ ନୋଡାଲ୍ ସେଂଟର କରାଯାଇଛି । ୨୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହେବ । ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଖାତା ଦେଖା ସରିବ । ଚଳିତ ବର୍ଷଠାରୁ ପୁଣି ପୁରୁଣା ଢାଂଚାରେ ପରୀକ୍ଷା ହେବ । ଅର୍ଥାତ ୫୦ ମାର୍କ ସବଜେକ୍ଟିଭ୍ ଏବଂ ୫୦ ମାର୍କ ଅବଜେକ୍ଟିଭ୍ ପ୍ରଶ୍ନ ଆସିବ ।

Leave a Reply

Your email address will not be published. Required fields are marked *