ଜଗତସିଂହପୁର ରେ ଚତୁର୍ଦ୍ଦଶ ଜାତୀୟ ମତଦାତା ଦିବସ ୨୦୨୪ ପାଳିତ

ଜଗତସିଂହପୁର, ୨୫/୦୧/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ଚତୁର୍ଦ୍ଦଶ ଜାତୀୟ ମତଦାତା ଦିବସ,ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀ,କର୍ମଚାରୀ, ଛାତ୍ରଛାତ୍ରୀ ତଥା ନୂତନ ଭୋଟରଙ୍କୁ ଆଜି ଦିବସ ପାଇଁ ମତଦାତା ସଂକଳ୍ପ ପାଠ କରାଇଥିଲେ। ଯେଉଁଥିରେ ପ୍ରତ୍ୟେକ ନାଗରିକ ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି ଦେଶର ଗଣତାନ୍ତ୍ରିକ ପରମ୍ପରା ର ମର୍ୟ୍ୟାଦା ବଜାୟ ରଖି ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମା କୁ ଅକ୍ଷୁର୍ଣ୍ଣ ରଖି ମତ ଦାନ କରିବାକୁ ଶପଥ ନେଇଥିଲେ। ଏହି ଅବସରରେ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର ଙ୍କ ବାର୍ତ୍ତା ଭିଡ଼ିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଏହି ବାର୍ତ୍ତା ରେ ଶ୍ରୀ କୁମାର ୨୦୨୪ ସାଧାରଣ ନିର୍ବାଚନ କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏହି ବର୍ଷ ବିଶେଷ ଭାବେ ଯୁବ ବା ନୂତନ ଭାବେ ପଞ୍ଜୀକୃତ ହୋଇଥିବା ଭୋଟର ମାନଙ୍କୁ ଏକ ମୁକ୍ତ, ଅବାଧ ଶାନ୍ତିପୂର୍ଣ୍ଣ ମତଦାନ କରିବା ପାଇଁ ଆଶା ପୋଷଣ କରିଥିଲେ। ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଭାରତ ବର୍ଷ କୁ ବିଶ୍ଵ ର ସର୍ବ ବୃହତ ଲୋକତାନ୍ତ୍ରିକ ରାଷ୍ଟ୍ର ଭାବେ ଅଭିହିତ କରି ୨୦୨୪ ବର୍ଷ ଟି ଭାରତୀୟ ଗଣତନ୍ତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡ଼ିବାକୁ ଯାଉଛି ବୋଲି କହିଥିଲେ। ୨୦୨୪ ସାଧାରଣ ନିର୍ବାଚନ କୁ ସ୍ଵଚ୍ଛ, ଅବାଧ ଓ ନିରପେକ୍ଷ କରିବା ପାଇଁ ୨୦୨୩ ଅକ୍ଟୋବର ମାସ ଠାରୁ ନିର୍ବାଚନ ର ପ୍ରଥମ ସୋପାନ ଭୋଟର ତାଲିକା ସଂଶୋଧନ କାର୍ୟ୍ୟ ଆରମ୍ଭ ହୋଇ ଜାନୁଆରୀ ୫ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶିତ ହୋଇଛି।ଜିଲ୍ଲା ରେ ସମସ୍ତ ବି ଏଲ୍ ଓ, ବି ଏଲ୍ ଓ ସୁପର ଭାଇଜରମାନେ ଘରକୁ ଘର ବୁଲି ନୂତନ ଭୋଟର ପଞ୍ଜୀକରଣ, ମୃତ ଓ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ହୋଇଥିବା ଭୋଟର ମାନଙ୍କ ନାମ ବାଦ ଦେବା, ଓ ସଂଶୋଧନ କରିଛନ୍ତି, ସେଥିପାଇଁ ଜିଲ୍ଲାପାଳ ଜିଲ୍ଲା ର ୧୦୪୭ ବି ଏଲ୍ ଓ ଙ୍କୁ ଧନ୍ୟବାଦ ଜଣାଇଥିଲେ। ଜିଲ୍ଲା ରେ ଏବର୍ଷ ଭୋଟର ମାନଙ୍କ ଲିଙ୍ଗ ଅନୁପାତ ୯୨୯ ରେ ପହଞ୍ଚିଛି ,ଇଲେକ୍ଟୋରାଲ ପପୁଲେସନ ରେସିଓ ୭୬% ଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ। ଏହାଛଡ଼ା ଏ ବର୍ଷ ମୁଖ୍ୟ ନିର୍ବାଚନ ଅଧିକାରୀ ଅସୁସ୍ଥ ଓ ଶଯ୍ୟାଶାୟୀ ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ହୋମ ଭୋଟିଂ ର ସୁବିଧା କରିଛନ୍ତି।ଏବର୍ଷ ନିର୍ବାଚନ ର ଥିମ୍ ‘ମତଦାନ ର ନାହିଁ ବିକଳ୍ପ,ଭୋଟ ମୁଁ ଦେବି କଲି ସଂକଳ୍ପ ‘ ଉପରେ ଗୁରୁତ୍ଵ ଦେଇ ସଚେତନ ମତଦାତା ହିଁ ଭାରତ ର ଏହି ଗଣତାନ୍ତ୍ରିକ ମହାପର୍ବ ରେ ସାମିଲ ହୋଇ ମହାନ୍ ଲୋକତନ୍ତ୍ର କୁ ସୁଦୃଢ଼ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀମତୀ ପଟାୱରି ମନ୍ତବ୍ୟ ରଖିଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ କହିଥିଲେ ଯେ, ନିର୍ବାଚନ ମହାପର୍ବ ର ବିଗୁଲ ବାଜି ସାରିଛି, ତେଣୁ ପ୍ରତ୍ୟେକ ସଚେତନ ନାଗରିକ ଏହି ପର୍ବ ରେ ସାମିଲ ହୋଇ ଏକ ସୁଦୃଢ଼ ଗଣତନ୍ତ୍ର ସୃଷ୍ଟି ଦିଗରେ ପ୍ରୟାସ କରିବା ଉଚିତ୍। ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ କୌଣସି ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ବିବେକ ବୁଦ୍ଧି ସହ ସମୃଦ୍ଧ ଗଣତନ୍ତ୍ର ଗଠନ ନିମନ୍ତେ ମତଦାନ କରିବା ପାଇଁ ପରାମର୍ଶ ଦେଇଥିଲେ। ଆୟୋଜିତ ଏହି ସଭାରେ ନୂତନ ଭାବେ ପଞ୍ଜୀକୃତ ହୋଇଥିବା ଭୋଟର ମାନଙ୍କୁ ତାଙ୍କର ଏପିକ କାର୍ଡ ପ୍ରଦାନ କରିଥିଲେ ଜିଲ୍ଲାପାଳ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ହୋଇଥିବା ଓଡ଼ିଆ ଓ ଇଂରାଜୀ ବକ୍ତୃତା,ରଙ୍ଗୋଲି ଏବଂ କୁଇଜ୍ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀମାନଙ୍କୁ,ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବି ଏଲ୍ ଓ, ବି ଏଲ୍ ଓ ସୁପରଭାଇଜର ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା ର ୫ ଜଣ ଏ ଇ ଆର୍ ଓ , ଜଗତସିଂହପୁର ମୁନିସିପାଲିଟି ର ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କର୍ଣ୍ଣ, କୁଜଙ୍ଗ ବି ଡି ଓ ଦୀପକ ପ୍ରସାଦ ସ୍ଵାଇଁ, ଏରସମା ତହସିଲଦାର ସୁଶ୍ରୀ ସନ୍ଧ୍ୟାଞ୍ଜଳୀ ମାଝୀ,ସହାୟକ ଜିଲ୍ଲାପାଳ ସୁଶ୍ରୀ କଳ୍ପିତା କୁମାରୀ ଜେନା, ସହାୟକ ଜିଲ୍ଲାପାଳ ରାଜେଶ କୁମାର ସାହୁ ଙ୍କୁ ସେମାନଙ୍କ ର କଠିନ ପରିଶ୍ରମ ପାଇଁ ସମ୍ବର୍ଦ୍ଧିତ କରିଥିଲେ। ଡେପୁଟି କଲେକ୍ଟର ହରପ୍ରିୟା ପୃଷ୍ଟି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।ଶେଷରେ ସହାୟକ ଜିଲ୍ଲାପାଳ ରାଜେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ସମସ୍ତ ବିଭାଗ ର ଅଧିକାରୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଜାତୀୟ ମତଦାତା ଦିବସ ଉପଲକ୍ଷେ ଆଜି ସକାଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ଏହାର ଶୁଭାରମ୍ଭ କରିଥିଲେ। ଯେଉଁଥିରେ ଉପ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ମୁନିସିପାଲିଟି ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ସହାୟକ ଜିଲ୍ଲାପାଳ ସୁଶ୍ରୀ କଳ୍ପିତା କୁମାରୀ ଜେନା, ସହାୟକ ଜିଲ୍ଲାପାଳ ରାଜେଶ କୁମାର ସାହୁ, ବିଦ୍ୟାଳୟ ଓ ମହାବିଦ୍ୟାଳୟ, ନେହେରୁ ଯୁବ କେନ୍ଦ୍ର, ର ଛାତ୍ର ଛାତ୍ରୀ,ଶିକ୍ଷକଶିକ୍ଷୟିତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *