ପୁରୀ ଐତିହ୍ୟ କରିଡ଼ର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ସିଧା ପ୍ରସାରଣ ବଡ଼ ପରଦାରେ ଦେଖିଲେ

ନିମାପଡ଼ା, ୧୭/୦୧/୨୦୨୪ (ଓଡ଼ିଶା ସମାଚାର)- ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେଲା। ଆଉ ଏକ ସ୍ବର୍ଣ୍ଣିମ ପୃଷ୍ଠା ଯୋଡି ହେଲା ଗୌରବମୟ ଶ୍ରୀକ୍ଷେତ୍ରରେ। ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ମୁକ୍ତାକାଶ ମଞ୍ଚ ନିକଟରେ ଆୟୋଜିତ ହୋଇଥିଲା ବଡ଼ ପରଦାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସିଧାପ୍ରସାରଣ କାର୍ୟ୍ୟକ୍ରମ। ସକାଳ ୮ଟାରୁ ଆରମ୍ଭ ହୋଇ ଦିନ ୩ଟା ପର୍ୟ୍ୟନ୍ତ ଚାଲିଥିଲା। ଏନଏସିର ୧୧ଟି ୱାର୍ଡରୁ ପ୍ରାୟ ୨୦୦୦ ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ମାନଙ୍କର ସମାଗମ ହୋଇଥିଲା। ବେଶ୍ ଉତ୍ସବମୁଖର ହୋଇପଡିଥିଲା ସମଗ୍ର ଅଞ୍ଚଳ। ବଡ଼ ପରଦାରେ ଶ୍ରୀଜଗନ୍ନାଥଙ୍କ ମହିମା,ଧର୍ମ, କଳା, ସଂସ୍କୃତି ସହିତ ବେଦଧ୍ୱନି ଓ ଯଜ୍ଞ ମନ୍ତ୍ରୋପଚାର ପ୍ରଦର୍ଶିତ ହେଉଥିବା ସମୟରେ ଶ୍ରଦ୍ଧାଳୁ ମାନଙ୍କର ହରିବୋଲ, ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହେଉଥିଲା ଅଞ୍ଚଳ। ବେଶ୍ ଭାବ ମୁଗ୍ଧକର ପରିବେଶ ସୃଷ୍ଟି ହୋଇଥିଲା। ଏଥିସହିତ ଏନଏସି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ଆୟୋଜନ କରା ଯାଇଥିଲା। ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ, କାର୍ୟ୍ୟ ନିର୍ବାହୀ ଅଧିକାରୀ ସରୋଜ ଆଚାର୍ୟ୍ୟ, ଅଧ୍ୟକ୍ଷାଙ୍କ ପ୍ରତିନିଧି ଲୋକନାଥ ସାହୁ, ଉପ ନଗରପାଳ ସନ୍ତୋଷ ଦାଶ,ଏନଏସି ପରିମଳ ଅଧିକାରୀ ବିଜୟ ଗ୍ରହାଚାର୍ୟ୍ୟ, କାଉନସିଲର ରାଜକିଶୋର ସାହୁ, ଅନୁସୂୟା ପାଣି, ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ସୁଚାରୁରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *