ଶ୍ରୀ ମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ପାଇଁ ୧୭ ତାରିଖକୁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪ /୦୧/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଆଉମାତ୍ର ତିନିଦିନ ପରେ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ବିଶ୍ୱବାସୀ ଦେଖିବେ କେମିତି ନୂଆରୂପ ପାଇଛି ବଡ଼ଦେଉଳ ଚୌହଦୀ । ତା’ ସହିତ ବିକଶିତ ବିକଶିତ ଶ୍ରୀକ୍ଷେତ୍ରର ନୂଆରୂପର ଅନୁଭୂତି ପାଇବେ । ଇତିମଧ୍ୟରେ ଲୋକାର୍ପଣ ଉତ୍ସବର ଆଦ୍ୟପର୍ବ ଯଜ୍ଞକର୍ମର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ୧୭ ତାରିଖରେ ପୂର୍ଣ୍ଣାହୁତି ସାଙ୍ଗକୁ ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଭବ୍ୟ ଆୟୋଜନା କରାଯାଇଥିବା ବେଳେ ନବବଧୂଟିଏ ଭଳି ସଜେଇ ହୋଇଛି ଶ୍ରୀକ୍ଷେତ୍ର ପୁରୀ । ସହରର ପ୍ରବେଶ ପଥଠୁ ଆରମ୍ଭ କରି ସାହିଗଳିରେ ଲୋକାର୍ପଣ ଉତ୍ସବର ଛିଟା ଦେଖିବାକୁ ମିଳୁଛି । ବଡ଼ଦାଣ୍ଡରୁ ବେଳାଭୂମି ପୁଣି ସିଂହଦ୍ୱାରରୁ ଶରଧାବାଲି ସବୁ କିଛି ଲାଗୁଛି ନୂଆ ନୂଆ । ବଡ଼ଦାଣ୍ଡରେ ଏକରଙ୍ଗୀ କୋଠା, ଆଖି ଝଲସାଇବା ଦେବାଭଳି ଆଲୋକୀକରଣ, ରାସ୍ତାଘାଟ, କାନ୍ଥ ଓ ପ୍ରାଚୀରେ ଜୀବନ୍ତ ଲାଗୁଥିବା ଚିତ୍ର ସତେଯେମିତି ସମସ୍ତଙ୍କୁ ସ୍ୱାଗତ କରିବା ଲାଗି ଚାହିଁରହିଛନ୍ତି । ଶ୍ରୀକ୍ଷେତ୍ରର ପ୍ରତି ରାସ୍ତାକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି । ଭଳକି ଭଳି ରଙ୍ଗରେ ଆଖି ମିଟିବା ମାରୁଥିବା ଲାଇଟ୍ ଭିନ୍ନ ଆକର୍ଷଣ ସୃଷ୍ଟି କରୁଛି । ସଞ୍ଜ ନଇଁଲେ ଗଛପତ୍ର ରଙ୍ଗୀନ ଆଲୋକମାଳାରେ ଝଲସିଉଠୁଛି ।

ଆସନ୍ତା ୧୭ ତାରିଖରେ ପୂର୍ଣ୍ଣାହୁତି ସାଙ୍ଗକୁ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ । ପୁରୀ ଆସି ହେଉ ବା ଟେଲିଭିଜନ୍ ରେ ହେଉ ଦେଖିବା ପାଇଁ ରାଜ୍ୟର ଜନସାଧାରଣ ଙ୍କ ଉତ୍ସୁକତା ପ୍ରକାଶ ପାଇଛି । ଏହାକୁ ନଜରରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୧୭ ତାରିଖକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି। ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ୟ୍ୟାଳୟ , ସ୍କୁଲ ଓ କଲେଜ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *