ମା’ମାନଙ୍କ ସଶକ୍ତିକରଣ କେବଳ ପରିବାରକୁ ନୁହେଁ, ସାରା ସମାଜ ପାଇଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩/୦୧/୨୦୨୪(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନତା ମଇଦାନଠାରେ ‘କୃଷି ଓଡିଶା-୨୦୨୪’ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କ ଅଧିକ ଭାଗିଦାରୀ ପାଇଁ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ । ଏହି ଅବସରରେ ସାରା ରାଜ୍ୟର ଚାଷୀମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବହୁତ ଖୁସିର କଥା ଯେ ଏ ବର୍ଷର ‘କୃଷି ଓଡିଶା’ କାର୍ଯ୍ୟକ୍ରମ ରାଜ୍ୟର ମହିଳା ଚାଷୀଙ୍କ ପାଇଁ ସମର୍ପିତ । ଏହା କୃଷି କ୍ଷେତ୍ରରେ ମା’ ମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ସହ ଏହା ଏ କ୍ଷେତ୍ରରେ ସେମାନଙ୍କ ଯୋଗଦାନକୁ ଉତ୍ସାହିତ କରିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି କୃଷି କ୍ଷେତ୍ରରେ ମଧ୍ୟ ମା’ମାନଙ୍କୁ ଆହୁରି ଆଗକୁ ଯିବାର ସମୟ ଆସିଛି । କୃଷି ଉଦ୍ୟୋଗ କ୍ଷେତ୍ରରେ ସେମାନଙ୍କ ପାଇଁ ବହୁତ ସୁଯୋଗ ଅଛି । ଆମର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମିଲେଟ ମିଶନ, କଫି ମିଶନ ଆଦି ଅନେକ ଯୋଜନା ଚାଲିଛି । ସେମାନେ ଏହାର ସୁଯୋଗ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ମା’ମାନଙ୍କ ସଶକ୍ତିକରଣ କେବଳ ଏକ ପରିବାରକୁ ନୁହେଁ, ବରଂ ସାରା ସମାଜକୁ ସଶକ୍ତ କରେ ବୋଲି ମତ ଦେଇ ସେ କହିଥିଲେ ଯେ ସେମାନଙ୍କର ସଶକ୍ତିକରଣ ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ମିଶନ ଶକ୍ତି ଜରିଆରେ ମା’ମାନେ ବିକାଶର ସବୁ କ୍ଷେତ୍ରରେ ସହଭାଗୀ ହୋଇପାରିଛନ୍ତି ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଚାଷର ଉନ୍ନତି ଓ ଚାଷୀର କଲ୍ୟାଣ ଉପରେ ସେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ଚାଷୀମାନଙ୍କ ପାଇଁ କାଳିଆ ଯୋଜନା ଏକ ବହୁତ ଭଲ ଯୋଜନା ବୋଲି ପ୍ରକାଶ କରି ସେ କହିଥିଲେ ଯେ କାଳିଆ ବୃତିର ପରିସରକୁ ଆହୁରି ବ୍ୟାପକ କରାଯାଇଛି । ଏହାଦ୍ୱାରା ଆହୁରି ଅଧିକ ଚାଷୀ ପରିବାରର ପିଲା ବୃତି ପାଇପାରିବେ ବୋଲି ସେ କହିଥିଲେ । ଏହି ଅବସରରେ ସେଠାରେ ଉପସ୍ଥିତ କୃଷି ବିଜ୍ଞାନୀ ତଥା ବିଶେଷଜ୍ଞମାନଙ୍କୁ ସ୍ୱାଗତ କରି ସେ କହିଥିଲେ ଯେ ରାଜ୍ୟର କୃଷି କ୍ଷେତ୍ରର ଅଭିବୃଦ୍ଧିରେ ସେମାନଙ୍କର ଗୁରୁତ୍ୱ ୂର୍ଣ୍ଣ ଭୂମିକା ରହିଛି । କୃଷିର ଉନ୍ନତି ଓ କୃଷକ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କର ମତାମତ ଓ ପରାମର୍ଶକୁ ସ୍ୱାଗତ କରିଥିଲେ । ଅନ୍ୟପଟେ କୃଷି ଓଡ଼ିଶା- ୨୦୨୪ର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଭବନ ଏବଂ  IMAGEର ନୂଆ କ୍ୟାମ୍ପସ ପାଇଁ ଭିତି ରଖିଥିଲେ । ସୂଚନାଯୋଗ୍ୟ ଯେ ଏହି କ୍ୟାମ୍ପସ ସ୍ଥାନୀୟ ଶିରିପୁରଠାରେ ପ୍ରତିଷ୍ଠା କରାଯାଉଛି । ୧୧୩ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେଉଥିବା ଏହି କ୍ୟାମ୍ପସ କୃଷି ସଂପ୍ରସାରଣର କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ କାମ କରିବ । ସେହିପରି କୃଷି ଉଦ୍ୟୋଗ ଭବନ ନୂଆପଲ୍ଲୀଠାରେ
ପ୍ରତିଷ୍ଠା କରାଯାଉଛି । କୃଷି ଉଦ୍ୟୋଗ କ୍ଷେତ୍ରରେ ଏହା ରାଜ୍ୟର ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ କୃଷି ବିଜ୍ଞାନୀ ଡ. ସ୍ୱାତୀ ନାୟକଙ୍କୁ ସମ୍ମାନିତ କରିଥିଲେ । ଏହା ସହିତ ଅଭିନବ କୃଷି ଯନ୍ତ୍ରପାତି ପ୍ରୋତ୍ସାହନ ସହ ୧୦ ଜଣ ସଫଳ ମହିଳା ଚାଷୀଙ୍କୁ ସମ୍ମାନିତ କରିଥିଲେ । ମୁଖ୍ୟମନ୍ତ୍ରୀ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର କୃଷି ଋଣ ମଡ୍ୟୁଲର ସଫଳ ପୋର୍ଟାଲ ର ଶୁଭାରମ୍ଭ କରିଥିଲେ । ଏହା ଦ୍ୱାରା ଚାଷୀମାନେ ଖୁବ୍ ଶୀଘ୍ର ଓ ସୁବିଧାରେ ଫସଲ ଋଣ ପାଇପାରିବେ । କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ୧୯୯୯ରେ କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବ୍ୟୟ ରାଜ୍ୟ ବଜେଟ୍ ର ମାତ୍ର ୪.୬୬ ପ୍ରତିଶତ ଥିବାବେଳେ ଆଜି ଏହା ୧୧ ପ୍ରତିଶତ ହୋଇପାରିଛି ।

Leave a Reply

Your email address will not be published. Required fields are marked *