୭ଜଣ ବିିଶିଷ୍ଟ ବ୍ୟକ୍ତିଙ୍କୁ ‘କଳିଙ୍ଗ ପ୍ରତିଭା ସମ୍ମାନ’

   ସାଂସ୍କୃତିକ ମୂଲ୍ୟବୋଧର ଅବକ୍ଷୟ ରୋକାଯିବାକୁ ଆହ୍ୱାନ
ଭୁବନେଶ୍ୱର, ୧୦/୦୧/୨୦୨୪ (ଓଡ଼ିଶା ସମାଚାର)-ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଂସ୍କୃତି ଓ ସଂସ୍କୃତି’ ଏବଂ ଶିକ୍ଷାବିତ୍ ହାଡ଼ିବନ୍ଧୁ ହାଲି ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏକ ମନୋଜ୍ଞ ଉତ୍ସବରେ ବିଭିନ୍ନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ସାତଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘କଳିଙ୍ଗ ପ୍ରତିଭା ସମ୍ମାନ-୨୦୨୪’ ପ୍ରଦାନ କରାଯାଇଛି । ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ଅତିଥି ଏବଂ ବକ୍ତାମାନେ ବିଶିଷ୍ଟ ଶିକ୍ଷାବିତ୍ ଓ ଆଇନ୍ ଜୀବୀ ହାଡ଼ିବନ୍ଧୁ ହାଲିଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂଜ୍ୟପୂଜା ଓ ପ୍ରତିଭାର ମୂଲ୍ୟାୟନ ଦିଗରେ ଅନୁଷ୍ଠାନର ନିରନ୍ତର ପ୍ରୟାସକୁ ସେମାନେ ପ୍ରଶଂସା କରିଥିଲେ । ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ମୂଲ୍ୟବୋଧର ଅବକ୍ଷୟକୁ ରୋକାଯିବା ନିମନ୍ତେ ସେମାନେ ଆହ୍ୱାନ ଦେଇଥିଲେ ।
ଏହି ଉତ୍ସବରେ ମାନ୍ୟବର ସାଂସଦ ତଥା ‘କିଟ୍’ ଓ ‘କିସ୍’ର ପ୍ରତିଷ୍ଠାତା ଡଃ ଅଚୁ୍ୟତ ସାମନ୍ତ, କଟକ ମହାନଗର ନିଗମର ମେୟର ସୁବାସ ସିଂହ, ଆଧ୍ୟାତ୍ମିକ ଗୁରୁ ରାମ ନାରାୟଣ ଦାସଜୀ ମହାରାଜ ଏବଂ ‘କାଦମ୍ବିନୀ’ ସମ୍ପାଦିକା ଡଃ ଇତି ସାମନ୍ତ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ । ଫାଉଣ୍ଡେସନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦିକା ଶିକ୍ଷାବିତ୍ ମିନାକ୍ଷୀ ଦାଶ ସ୍ୱାଗତ ଭାଷଣ ଦେଇଥିଲେ । ‘ସଂସ୍କୃତି ଓ ସଂସ୍କୃତି’ର ସମ୍ପାଦକ ଦିଲ୍ଲୀପ ହାଲି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଉଦୀୟମାନ ଭାଓଲିନ୍ ବାଦକ ରାକେଶ ବିଶ୍ୱାଳଙ୍କ ଜନ୍ମଦିନ ଉପଲକ୍ଷେ କେକ୍ କଟାଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ‘ହୋପ୍-୨୦୨୪’ ସଂଗୀତ କାର୍ଯ୍ୟକ୍ରମରେ ଶ୍ରୀ ବିଶ୍ୱାଳ ଭାଓଲିନ୍ ରେ ବିଭିନ୍ନ ସୁମଧୁର ସଂଗୀତର ସ୍ୱର ବାଦନ କରି ଉପସ୍ଥିତ ଦର୍ଶକ ଓ ଶ୍ରୋତାଙ୍କୁ ମୁଗ୍ଧ କରିଥିଲେ ।
ଏହି ଉତ୍ସବରେ ‘କଳିଙ୍ଗ ପ୍ରତିଭା ସମ୍ମାନ-୨୦୨୪’ରେ ସମ୍ମାନିତ ହୋଇଥିବା ବିଶିଷ୍ଟ ବ୍ୟକ୍ତିମାନେ ହେଲେ – ଶାସ୍ତ୍ରୀୟ ସଂଗୀତଜ୍ଞ ଡଃ ଚିତରଞ୍ଜନ ପାଣି, ସାହିତି୍ୟକ ଡଃ ଅଜୟ ସ୍ୱାଇଁ, କଣ୍ଠଶିଳ୍ପୀ ଡଃ ଅନୁସୂୟା ନାଥ, ନାଟ୍ୟ ଗବେଷକ ଡଃ ଗୌରାଙ୍ଗ ରାଉତ, ଶିକ୍ଷାବିତ୍ ଡଃ ସଞ୍ଜୁଲତା ପାତ୍ର, ଚଳଚ୍ଚିତ୍ର ନିର୍ଦ୍ଧେଶକ ରାଜଗୋପାଳ ସିଂହ ଓ ପଟ୍ଟଚିତ୍ର ଶିଳ୍ପୀ ସମୀର କୁମାର ରାଉତ । ଏହି କାର୍ଯ୍ୟକ୍ରମକୁ ପ୍ରଯୋଜକ ଲୁଟୁ ମହାନ୍ତି ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *