ଓଡିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡ଼ ତରଫରୁ  ଅନୁକମ୍ପା ରାଶି ପ୍ରଦାନ

ଭୁବନେଶ୍ୱର,୦୮ /୦୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଓଡିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡ଼ର ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ଏକ କାର୍ଯ୍ୟକ୍ରମ ରବୀନ୍ଦ୍ରମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୃତ ଡ୍ରାଇଭର ଙ୍କ ପରିବାରକୁ ଅନୁକମ୍ପାରାଶି ପ୍ରଦାନ କରାଯିବା ସହ ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡ଼ର ସଦସ୍ୟ ମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା।

          ଏହି ସମାରୋହରେ ମାନ୍ୟବର ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ମୁଖ୍ୟଶାସନ ସଚିବ ଶ୍ରୀ ପ୍ରଦୀପ ଜେନା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ଡ୍ରାଇଭର ମହାସଂଘର ସଭାପତି ଶ୍ରୀ ପ୍ରଶାନ୍ତ ମେଣ୍ଡୁଲୀ ଓ ଅନ୍ୟ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ।

          ଓଡିଶା ମୋଟର ଡ୍ରାଇଭର ମହାସଂଘ ସେମାନଙ୍କର ବିଭିନ୍ନ ଦାବି ସରକାରଙ୍କ ସମୁଖରେ ଉପସ୍ଥାପନ କରିଥିଲେ। ସେଥିମଧ୍ୟରୁ ମୃତ ଡ୍ରାଇଭରଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ଏକ ମୁଖ୍ୟଦା ଦାବି ଥିଲା। ଏହି କାର୍ଯ୍ୟକ୍ରମରେ ମୃତ ଡ୍ରାଇଭରଙ୍କ ପରିବାର ବର୍ଗଙ୍କୁ ଯଥା ଶ୍ରୀମତୀ ସୁକାନ୍ତି ପାତ୍ର, ଶ୍ରୀମତୀ ପ୍ରଭାତୀ ଭୋଇ ଓ ଶ୍ରୀମତୀ ଅନନ୍ୟ ସାହୁ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା। ଏଥିସହ ଓଡିଶା ମୋଟର ପରିବହନ ଚାଳକ କର୍ମଚାରୀ କଲ୍ୟାଣ ବୋର୍ଡ଼ର ସଦସ୍ୟ ଶ୍ରୀ ପ୍ରଶାନ୍ତ ମେଣ୍ଡୁଲୀ, ଶ୍ରୀ ଦୀପକ ନାୟକ, ଶ୍ରୀ ଆଦିତ୍ୟ ପ୍ରସାଦ ବେହେରା, ଶ୍ରୀ ପ୍ରଦୀପ କୁମାର ମହାନ୍ତି, ଶ୍ରୀ ପ୍ରଶାନ୍ତ ପ୍ରଧାନ ଓ ଶ୍ରୀ ଅକ୍ଷୟ ନାୟକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା।

          ଓଡିଶା ମୋଟର ଡ୍ରାଇଭର ମହାସଂଘର ସଦସ୍ୟମାନଙ୍କୁ ସଂଘର ଅନ୍ୟ ଦାବିଗୁଡିକୁ ଉପଯୁକ୍ତ ଫୋରମ୍  ରେ  ଉପସ୍ଥାପନା କରିବା ସହ ହଠାତ୍ ଧର୍ମଘଟ ଡାକରା କରି ଯାତ୍ରୀମାନଙ୍କ ଯାତାୟାତରେ ବାଧାନଦେବାକୁ ଅନୁରୋଧ କରାଯାଇଥିଲା।

Leave a Reply

Your email address will not be published. Required fields are marked *