କୁଦାନଗରୀ ଥାନା ନିକଟରେ ଜୁଆ ଖେଳ, ଜୁଆ ଖେଳ ଉପରେ ନକଲି ପୋଲିସ ର ଚଢ଼ାଉ

କୁଦାନଗରୀ ପୋଲିସ ର ଅକଲ ଗୁଡ଼ୁମ , ୨ ଗାଡ଼ି ଜବତ ଓ ୩ ଅଟକ
ଗରଦପୁର, ୩୧/୧୨/୨୦୨୩ (ଓଡ଼ିଶା ସମାଚାର)- କୁଦାନଗରୀ ଥାନା ନିକଟରେ ମାତ୍ର ୫୦୦ ମିଟର ଦୂର କଳାବୁଦା ବାରୁଣି ଯାତ୍ରା ରେ ଜୁଆ ଖେଳ ଚାଲୁଥିଲା । ଗତକାଲି ରାତିରେ ଚାଲୁଥିବା ଏହି ଜୁଆ ଖେଳ ଉପରେ ନକଲି ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରିଥିଲା । କିନ୍ତୁ ଥାନା ନିକଟରେ ଜୁଆ ଖେଳ ଚାଲୁଥିଲେ ମଧ୍ୟ କୁଦାନଗରୀ ଥାନା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏବେ ଜୁଆ ଖେଳ ଉପରେ ନକଲି ପୋଲିସ ର ଚଢ଼ାଉକୁ ନେଇ କୁଦାନଗରୀ ଥାନା ପୋଲିସ ର ଅକଲ ଗୁଡ଼ୁମ ହୋଇଛି । ପୋଲିସ ଲାଂଚ ନେଇ କମଳ ଘୋଡ଼େଇ ହୋଇ ଶୋଇଛି ବୋଲି ସାଧାରଣରେ ଆଲୋଚନା ହେଉଥିବାବେଳେ ପୋଲିସ ୨ ଟି ଗାଡ଼ି ସହ ୩ ଜଣଙ୍କୁ ଅଟକ ରଖିଛି । ମିଳିଥିବା ସୂଚନା ଅନୁସାରେ ପୁଲିସ ପୋଷାକ ପିନ୍ଧି ୨ ଜଣ ପୁରୁଷ ଓ ଜଣେ ମହିଳା ପୁଲିସ ସାଜି ଜିଲା ସ୍ୱତନ୍ତ୍ର ପୋଲିସ ସ୍କ୍ୱାର୍ଡ଼ କହି ଜୁଆ ଆଡ଼ା ଉପରେ ଅତର୍କିତ ଚଢ଼ାଉ କରିଥିଲା । ଏଭଳି ଘଟଣା ଦେଖି ଜୁଆ ଖେଳୁଥିବା ଏବଂ ଜୁଆ ଖେଳାଉଥିବା ବ୍ୟକ୍ତିମାନେ ଦ୍ୱନ୍ଦରେ ପଡ଼ିଥିଲେ । ଶେଷରେ ଅସଲି ପୁଲିସ କୁଦାନଗରୀ ଥାନା ଭାରାପ୍ରାପ୍ତ ଅଧିକାରିଣୀଙ୍କୁ ଫୋନ୍ କରିଥିଲେ । ଏହାପରେ ଥାନା ଅଧିକାରିଣୀ ଜିଲାର ସ୍ୱତନ୍ତ୍ର ସ୍କ୍ୱାର୍ଡ଼ କୁ ଫୋନ କରି ବୁଝିଲା ପରେ କୌଣସି ଜିଲା ପୁଲିସ ର ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ସେଠାକୁ ନଯାଇଥିବାରୁ ପ୍ରାୟ ୨ ଘଂଟା ବିଳମ୍ବରେ ଘଟଣାସ୍ଥଳରେ କୁଦାନଗରୀ ଥାନା ପୁଲିସ ପହଂଚିଥିଲେ । ଜିଲାର ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଆସିନଥିବା ଜାଣିବା ପରେ କୁଦାନଗରୀ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ନକଲି ପୁଲିସ ୨ ଯୁବକ ଓ ଜଣେ ଯୁବତୀଙ୍କୁ କାବୁ କରିଥିଲେ । ଏହି ସମୟରେ କିଏ ଅସଲି ଓ କିଏ ନକଲି ସେହି ସ୍ଥାନରେ ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ବାକ୍ ବିତଣ୍ଡା ସୃଷ୍ଟି ହେବା ସହିତ ଦୀର୍ଘ ସମୟ ଧରି ମୁହାଁ ମୁହିଁ ହୋଇଥିଲା । ଏଭଳି ଅଭାବନୀୟ ଘଟଣା ଘଟିଲା ଯେ ଏବଂ ଅତ୍ୟନ୍ତ ରୋଚକ ଦୃଶ୍ୟ ଦେଖି ଯାତ୍ରା ଦେଖୁଥିବା ଦର୍ଶକ ମାନେ ପଦାକୁ ଆସି ହୋ ହଲା କରିବା ପରେ ଯାତ୍ରା ଅଧାରୁ ବନ୍ଦ ହୋଇ ଯାଇଥିଲା ।

ଜବତ ଗାଡ଼ି

ନକଲି ଓ ଅସଲି ପୋଲିସ ମଧ୍ୟରେ ଛକା ପନ୍ଝା ପରେ କୁଦାନଗରୀ ଥାନା ପୋଲିସ ନକଲି ପୋଲିସ ର ବ୍ୟବହୃତ ଗାଡ଼ି ନଂ –ସିଜି ୧୯ବିକ୍ୟୁ ୧୦୦୮ ଓ ନଂ- ୦ଡ଼ି୦୨ସିଜି ୫୪୧୨ କୁ ଜବତ କରିଛି , ଯାହାକି ସେହି ଗାଡ଼ି କେନ୍ଦ୍ର ସରକାରଙ୍କ ଏକ ବିଭାଗର ଗାଡ଼ି ବୋଲି ଜଣାପଡ଼ିଛି । ଏହି ଅଟକଙ୍କ ମଧ୍ୟରେ ଥିବା ଜଣେ ମହିଳାଙ୍କୁ କୋରୁଆ ପଲିଶ୍ରୀ ମହିଳା ସମିତିରେ ରଖାଯାଇଥିବାବେଳେ ୨ ଜଣ ଯୁବକ କୁଦାନଗରୀ ଥାନାରେ ଅଟକ ଅଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ମହିଳା ଜଣକ ଛତିଶଗଡ଼ ରାଜ୍ୟର ରେଳ ବିଭାଗରେ ଚାକିରୀ କରୁଛନ୍ତି । ଏହି ଖବର ପାଇ ରାୟପୁର ଅଂଚଳର ଜଣେ ରେଳ କର୍ମଚାରୀ ମଧ୍ୟ ଅଚାନକ କୁଦାନଗରୀ ଥାନାରେ ପହଂଚିବା ସନ୍ଦେହକୁ ଆହୁରୀ ଘନିଭୂତ କରିଛି । ଏହି କର୍ମଚାରୀ ଜଣକ କିଛି କାରବାର କରି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବାବେଳେ ରାତି ପାହିଯାଇଥିଲା । ତେବେ ଏହି ଖବର ଗଣମାଧ୍ୟମ ପ୍ରତିନିଧି ପାଇଯିବା ପରେ ସବୁକିଛି ଓଲଟ ପାଲଟ ହେବା ସହ ରାୟପୁର ରୁ ଆସିଥିବା କର୍ମଚାରୀ କୁଆଡ଼େ ଉଭାନ ହୋଇ ଯାଇଥିଲେ । ନକଲି ପୋଲିସ କୁ ଅଟକ ରଖିଥିଲେ ମଧ୍ୟ ଏବେ କୁଦାନଗରୀ ଥାନା ପୋଲିସ ର କାର୍ଯ୍ୟ ଦକ୍ଷତା କୁ ନେଇ ନାନା ପ୍ରଶ୍ନ ଉଠିଛି । ଏହିଭଳି ଏକ ସମ୍ବେଦନଶିଳ ଘଟଣାରେ ପୋଲିସ ଉଚ କର୍ତୃପକ୍ଷ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *