ସ୍ବର୍ଗତ କୁନ୍ତଳା କୁମାରୀ ସାମନ୍ତଙ୍କ  ଏକାଦଶାହ ରେ ସ୍ମୃତି ଚାରଣ

ଖୋର୍ଦ୍ଧା,୨୭/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ରାଜବନ୍ଦୀ, ଖଦି ପ୍ରେମୀ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ବିଶ୍ୱନାଥ ସାମନ୍ତ ଙ୍କ ମଧ୍ୟମା କନ୍ୟା ସ୍ୱାଭିମାନୀ କୁନ୍ତଳା କୁମାରୀ ସାମନ୍ତ ଙ୍କର ଗତ ୧୫ ଡିସେମ୍ବର ଶୁକ୍ରବାର ଦିନ ସକାଳ ୭.୧୫ ଘଟିକା ସମୟରେ ତାଙ୍କ ବାସଭବନ ଠାରେ ବିୟୋଗ ହୋଇଛି । ସ୍ବର୍ଗତ କୁନ୍ତଳା କୁମାରୀ ସାମନ୍ତ ବାପା ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଆଜୀବନ କଂଗ୍ରେସ ନେତ୍ରୀ ଥିଲେ । ଅଞ୍ଚଳ ର ଜଣେ ସ୍ନେହବତ୍ସଳା ମହିଳା ଥିଲେ । ବଡ଼ ଭଉଣୀ ଙ୍କ ବିବାହ ପରେ ପ୍ରଥମେ ମାଆ ଙ୍କର ବିୟୋଗ ହୋଇଥିଲା । ପରେ ପରେ ବାପା ଙ୍କ ବିୟୋଗ ଘଟିଲା । ସାନ ଭଉଣୀ ବସନ୍ତ କୁମାରୀ ଏବଂ ଜଣେ ଭିନ୍ନକ୍ଷମ ଭାଇ ରବୀନ୍ଦ୍ର ଙ୍କ ଦାୟିତ୍ୱ, ସେବା ଯତ୍ନ ପାଇଁ ସେ ଆଜୀବନ ଅବିବାହିତ ରହି ନିଜ ଜନ୍ମ ମାଟି ଚମ୍ପାଇଲୋ ରେ ରହିଲେ । ବାପା ଙ୍କ ଜମିଦାରୀ ଥାଇ ମଧ୍ୟ ବ୍ରିଟିଶ ସରକାର ପାଖରେ ନିଲାମ ହୋଇଗଲା ପରେ ବହୁତ ଅଭାବ ଅସୁବିଧା ଭିତରେ ସେ ଭିନ୍ନକ୍ଷମ ଭାଇ ର ସେବା କରୁଥିଲେ ଏବଂ ସାନ ଭଉଣୀ କୁ ବିବାହ କରିଥିଲେ ।  ଗାନ୍ଧୀଙ୍କ ଆଦର୍ଶ ରେ ତାଙ୍କ ବାପା ସ୍ବର୍ଗତ ବିଶ୍ୱନାଥ ସାମନ୍ତ ଅନୁପ୍ରାଣିତ ହୋଇ ଗାଁ ରେ ଏକ ସୁତା କଟା କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଗାଁ ତଥା ଅଞ୍ଚଳ ର ମହିଳାମାନେ ସେଇ ସୂତାକଟା କେନ୍ଦ୍ର ରେ ସୂତା କାଟି ପେଟ ପୋଷୁଥିଲେ । କିଛି ବର୍ଷ ସେଇ କେନ୍ଦ୍ର ରେ କାମ କରି ସେ ମଧ୍ୟ ନିଜ ପେଟ ପୋଷୁଥିଲେ । ଭିନ୍ନକ୍ଷମ ଭାଇ ମାତ୍ର ୪୨ ବର୍ଷ ବୟସ ରେ ମୃତ୍ୟୁ ବରଣ କରିଗଲେ । ସାନ ଭଉଣୀ ଶାଶୁ ଘର ଛାଡି ଚମ୍ପାଇଲୋ ରେ ରହିଲେ । ସାନ ଭଉଣୀ ବସନ୍ତ କୁମାରୀ ମଧ୍ୟ କିଛି ଦିନ ପୂର୍ବେ ମୃତ୍ୟୁବରଣ କରିଥିଲେ  ।

ସ୍ବର୍ଗତ କୁନ୍ତଳା କୁମାରୀ ଆଜୀବନ କଂଗ୍ରେସ ନେତ୍ରୀ ଭାବେ କାମ କରିଥିଲେ । ଅଞ୍ଚଳର ସାନ ଠାରୁ ବଡ଼ ଯାଏଁ ସମସ୍ତଙ୍କର ସେ କୁନ୍ତା ଅପା ନାମରେ ପରିଚିତ ଥିଲେ  ।

ବାପା ଜେଜେ ବାପାଙ୍କର ଅମାପ ଧନ ସମ୍ପତି ଥିଲେ ହେଁ ସେ ଭୋଗ କରିପାରିନଥିଲେ । ବହୁତ ସ୍ୱାଭିମାନୀ ଥିଲେ ସ୍ବର୍ଗତ କୁନ୍ତଳା କୁମାରୀ ସାମନ୍ତ । ଜଣେ ସଂଗ୍ରାମୀ ପରିବାର ର ଦାୟଦ ହିସାବରେ ସେ କାହା ଦୁଆରକୁ କେବେ ଦୟା ଭିକ୍ଷା ପାଇଁ ପାଦ ପକାଇନଥିଲେ । ତେବେ ସଂଗ୍ରାମୀ ପରିବାର ଙ୍କ ପାଇଁ ସରକାର ଙ୍କର ବିଭିନ୍ନ ପ୍ରକାର ଯୋଜନା ଥିଲେ ମଧ୍ୟ ତାଙ୍କ ପ୍ରତି କେବେ ହେଲେ ସରକାରଙ୍କର ଶୁଭ ଦୃଷ୍ଟି ପଡ଼ିନଥିଲା । ସଭା ସମିତି ରେ କେବଳ ତାଙ୍କ ନାଁ ଜପି ବାଃ ବାଃ ନେଉଥିଲେ ମାତ୍ର । ତାଙ୍କ ଏକାଦଶାହ ତିଥି ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ତାଙ୍କ ପ୍ରତି ଅକୁଣ୍ଠ ଭଲ ପାଇବା ଥିବା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ  ।

Leave a Reply

Your email address will not be published. Required fields are marked *