ଜଗତସିଂହପୁର ରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ନିମିତ୍ତ ନିମନ୍ତ୍ରଣ ପତ୍ର ବଣ୍ଟନ

ଜଗତସିଂହପୁର,୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଆସନ୍ତା ଜାନୁଆରୀ ୧୭ ତାରିଖ ରେ ହେବାକୁଥିବା ପ୍ରସିଦ୍ଧ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ କୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ବିଭିନ୍ନ ଜିଲ୍ଲାର ପ୍ରମୁଖ ମନ୍ଦିର ମାନଙ୍କୁ ନିମନ୍ତ୍ରଣ କରାଯାଇଛି।ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଏବଂ ଗଡ଼ କୁଜଙ୍ଗ ର କୁଞ୍ଜବିହାରୀ ମନ୍ଦିର କୁ ଆଜି ପୁରୀ ରୁ ଆସିଥିବା ସେବାୟତ ଓ ସୁଆର ମାନେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ମହାନ୍ ସେବାୟତ ମାନଙ୍କୁ ସଂକୀର୍ତ୍ତନ,ଶଙ୍ଖ, ଘଣ୍ଟା, ହୁଳହୁଳି ସହ ଭବ୍ୟ ସମ୍ବର୍ଦ୍ଧନା ରେ ପାଛୋଟି ଅଣାଯାଇଥିଲା। ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ମହାପ୍ରଭୁଙ୍କ ସେବାୟତ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ମା ସାରଳା ଏବଂ ଗଡ଼ କୁଜଙ୍ଗ କୁଞ୍ଜବିହାରୀ ମନ୍ଦିର ରୁ ଆସିଥିବା ସେବକ ମାନେ ଆଜ୍ଞା ମାଳ ଓ ତିଳକ ଚନ୍ଦନ ଦେଇ ସେବାୟତ ମାନଙ୍କୁ ସ୍ଵାଗତ ଜଣାଇଥିଲେ। ନୋଡାଲ ଅଫିସର ଦାୟିତ୍ଵ ରେ ଥିବା ପୁରୀ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ସୁଶାନ୍ତ ଦାସ ଉପସ୍ଥିତ ଜନତା ଙ୍କୁ ଏହି ପ୍ରକଳ୍ପ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥିଲେ।ଏହି ଉତ୍ସବରେ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିର, ପ୍ରମୁଖ ମନ୍ଦିର ମାନଙ୍କୁ ନିମନ୍ତ୍ରଣ କରାଯିବ। ଆଜି ପ୍ରଥମେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ ପରେ ବିଭିନ୍ନ ଜିଲ୍ଲାରେ ଥିବା ଜଗନ୍ନାଥ ମନ୍ଦିର ଓ ପ୍ରସିଦ୍ଧ ମନ୍ଦିର ଗୁଡିକୁ ନିମନ୍ତ୍ରଣ କରାଯାଉଛି। ଜିଲ୍ଲା ସ୍ତରରେ ଏହି କାର୍ୟ୍ୟକ୍ରମ କୁ ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ପ୍ରମୁଖ ସଫଳ ଭାବେ ଆୟୋଜନ କରିଥିଲେ। ପରେ ସେବାୟତ ମାନେ ମହାପ୍ରଭୁ ଙ୍କର ତୁଳସୀ ଓ ପ୍ରସାଦ ଉପସ୍ଥିତ ଜନ ସମୁଦାୟ ଙ୍କୁ ବଣ୍ଟନ କରିଥିଲେ। ଏହି ଅମୃତମୟ କାର୍ୟ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା, ସହରର ବରିଷ୍ଠ ବୁଦ୍ଧିଜୀବୀ, ଦୁଇ ମନ୍ଦିର ରୁ ଆସିଥିବା ସେବକ ତଥା ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *