ଜଗତସିଂହପୁର ଜିଲ୍ଲା ରେ ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜଗତସିଂହପୁର, ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଆସନ୍ତା ତା ୧୬.୦୧.୨୪ ରିଖ ଠାରୁ ତା ୩୦.୦୧.୨୪ ରିଖ ପର୍ୟ୍ୟନ୍ତ ଜିଲ୍ଲା ରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବ। ଏ ନେଇ ଆଜି ଜିଲ୍ଲପାଳ ଙ୍କ କାର୍ୟ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବିଶ୍ଵାଳ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ ଚାଷୀ ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି କାର୍ୟ୍ୟକ୍ରମ ର ସଫଳ ରୂପାୟନ ପାଇଁ ସହଯୋଗ ର ସହ କାମ କରିବା ପାଇଁ କହିଥିଲେ। ପ୍ରତିବର୍ଷ ପରି ଜିଲ୍ଲାରେ ଏବର୍ଷ ମଧ୍ୟ ଜାନୁଆରୀ ୧୬ ତାରିଖ ରୁ ୩୦ ତାରିଖ ପର୍ୟ୍ୟନ୍ତ ଏହି ପକ୍ଷ ପାଳନ କରାଯିବ। ଏବର୍ଷ ତିର୍ତ୍ତୋଲ ବ୍ଲକ୍ ର ମଣିଜଙ୍ଗା ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଶ୍ରୀମତୀ ବିଶ୍ଵାଳ ପ୍ରତ୍ୟେକ ବିଭାଗର ଅଧିକାରୀ ମାନଙ୍କୁ ସେମାନଙ୍କର ଦାୟିତ୍ଵ ସମ୍ପର୍କରେ ବୁଝାଇଥିଲେ ଓ ବିଭିନ୍ନ ବ୍ଲକ ରୁ ଆସିଥିବା ପାଣି ପଞ୍ଚାୟତ ର ପ୍ରତିନିଧି ମାନଙ୍କ ସହିତ ସେମାନଙ୍କ ସୁବିଧା ଅସୁବିଧା ନେଇ ଆଲୋଚନା କରିଥିଲେ।ଏବର୍ଷ ଜଗତସିଂହପୁର ଜଳ ସେଚନ ବିଭାଗ ଏବଂ ମହାନଦୀ ସାଉଥ ଡିଭିଜନ ଦ୍ଵାରା ଏହି ପକ୍ଷ ଆୟୋଜନ କରାଯିବ ବୋଲି ଶ୍ରୀମତୀ ବିଶ୍ଵାଳ ସୂଚନା ଦେଇଥିଲେ। ପରେ ସେ ଜଗତସିଂହପୁର ଜଳ ସେଚନ ବିଭାଗ ଓ ମହାନଦୀ ସାଉଥ ଡିଭିଜନ ର ଦୁଇ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ କାର୍ୟ୍ୟସୂଚୀ ଅନୁସାରେ ଆଲୋଚନା କରିବା ପାଇଁ କହିଥିଲେ। ଜଗତସିଂହପୁର ଜଳ ସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ନାୟକ ଓ ମହାନଦୀ ସାଉଥ୍ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ରାଜେଶ କୁମାର ମହାନ୍ତି ମାନ୍ୟବର ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ,ପଂଚାୟତ ସମିତି ଅଧ୍ୟକ୍ଷ, ବି ଡି ଓ, ତହସିଲଦାର, ଓ ୟୁ ଏ ଟି ର ପ୍ରଫେସର, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ଚାଷୀ ମାନଙ୍କୁ ଉତ୍ସବ କୁ ନିମନ୍ତ୍ରଣ କରାଯିବ।ଜାନୁଆରୀ ୧୬ ତାରିଖରେ ପକ୍ଷ ପାଳନ ର ଉନ୍ମୋଚନ ଉତ୍ସବ ଦିନ ଠାରୁ ପାଣି ପଞ୍ଚାୟତ ରଥ ପ୍ରତ୍ୟେକ ବ୍ଲକ୍ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିବ ଯାହାକୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟାୱରି ପତାକା ଦେଖାଇ ଶୁଭାରମ୍ଭ କରିବେ।ଏହି ରଥର ଗତିପଥ ନିରୂପଣ ଓ ନିରାପତ୍ତା ବ୍ୟବସ୍ଥା ଗ୍ରହଣ ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିଲା। ଜିଲ୍ଲା ର ସମସ୍ତ ବିଦ୍ୟାଳୟର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭାଜନ ସ୍ତରୀୟ ଓ ଜିଲ୍ଲାସ୍ତରୀୟ ବକ୍ତୃତା, ଚିତ୍ରାଙ୍କନ, ରଚନା, କୁଟ (କୁଇଜ )ପ୍ରଶ୍ନ ଓ ଆଦର୍ଶ ପ୍ରଦର୍ଶନୀ ପ୍ରତିଯୋଗିତା ଆୟୋଜିତ ହେବ।ଜିଲ୍ଲା ସ୍ତରୀୟ ଏହି ପକ୍ଷ ପାଳନ ରେ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ସହିତ ଅଗ୍ରଣୀ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ସମ୍ପୃକ୍ତ ବିଭାଗ ଯଥା -କୃଷି, ପଶୁ ପାଳନ ଓ ପଶୁଚିକିତ୍ସା, ଜଙ୍ଗଲ,ମୃତ୍ତିକା ସଂରକ୍ଷଣ, ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମୀଣ ଉନ୍ନୟନ ବ୍ୟାଙ୍କ୍ (ନାବାର୍ଡ), ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓ ୟୁ ଏ ଟି), ମତ୍ସ୍ୟ ,ଉଦ୍ୟାନ ଆଦି ମାନଙ୍କ ଦ୍ଵାରା ପାଣି ପଞ୍ଚାୟତ ସମ୍ବନ୍ଧୀୟ ସମସ୍ତ କାର୍ୟ୍ୟକଳାପ ର ପ୍ରଦର୍ଶନୀ ବିଷୟ ରେ ବୈଠକରେ ଆଲୋଚନା ହୋଇଥିଲା ।ଏଥି ସହିତ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ଉତ୍ସବ ପାଳନ ର ନୀତି ନିର୍ଦ୍ଧାରଣ, ପାଣି ପଞ୍ଚାୟତ ପକ୍ଷ ଆରମ୍ଭ ରୁ ଶେଷ ପର୍ୟ୍ୟନ୍ତ କାର୍ୟ୍ୟ ସମ୍ପାଦନ ନିମନ୍ତେ କର୍ମଚାରୀ ମାନଙ୍କ ଦାୟିତ୍ଵ ବଣ୍ଟନ ଇତ୍ୟାଦି ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ପ୍ରକାଶ ଥାଉକି, ଜଗତସିଂହପୁର ଜିଲ୍ଲାରେ ଜଳ ସେଚନ ବିଭାଗ ର ୭୨ ଟି ଏବଂ ମହାନଦୀ ସାଉଥ ଡିଭିଜନ ର ୫୮ ଟି ପାଣି ପଞ୍ଚାୟତ କାର୍ୟ୍ୟରତ ।ଏହି ପ୍ରସ୍ତୁତି ବୈଠକରେ ବିଭାଗୀୟ ଅଧିକାରୀ, ଚାଷୀ ପ୍ରତିନିଧି ମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *