ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସନ୍ଧ୍ୟା

ଓଲିଉଡ କଣ୍ଠଶିଳ୍ପୀଙ୍କ ଗୀତରେ ଝୁମିଲା ତୋଷାଳୀ

ଭୁବନେଶ୍ବର,୨୬/୧୨/୨୦୨୩(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ସ୍ଥାନୀୟ ଜନତା ମଇଦାନ ଠାରେ, ଆୟୋଜିତ ଅଠର ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସନ୍ଧ୍ୟାରେ ଅତିଥି ଭାବରେ ଓଡ଼ିଶା ସରକାର ଙ୍କ ଅର୍ଥ ବିଭାଗ ର ପ୍ରମୁଖ ଶାସନ ସଚିବ, ଶ୍ରୀ ବିଶାଲ କୁମାର ଦେବ ଏବଂ  ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ, ଶ୍ରୀମତୀ ଶୁଭା ଶର୍ମା, ମଞ୍ଚରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପୁଷ୍ପ ଅର୍ପଣ ତଥା ଚନ୍ଦନ ବୃକ୍ଷରେ ଜଳ ପ୍ରଦାନ କରି ସାଂସ୍କୃତିକ ସନ୍ଧ୍ୟାକୁ ଉଦଘାଟନ କରିଥିଲେ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଅତିଥିଦ୍ୱୟଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ  କରିଥିଲେ। ତାଙ୍କ ସହିତ ମଞ୍ଚରେ ଉପସ୍ଥିତ ଥିଲେ, ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ଶୋଭନ କ୍ରୀଷ୍ଣା ସାହୁ ଏବଂ ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ହସ୍ତଶିଳ୍ପର ନିର୍ଦ୍ଦେଶିକା,ଶ୍ରୀମତୀ ପ୍ରଣତୀ ଛୋଟରାୟ।

ଏହି ଜାତୀୟ ମେଳାର, ପଞ୍ଚମ ସାଂସ୍କୃତିକ ସନ୍ଧ୍ୟା ଅବସରରେ ମେଳା ପରିସରରେ ଥିବା ମଞ୍ଚରେ ଓଲିଉଡ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀବିଷ୍ଣୁ ମୋହନ କବି, ଅନ୍ତରା ଚକ୍ରବତ୍ତୀ, ପୂଜା ପ୍ରତ୍ୟୁଶା ଓ ସ୍ଵୟମ ପାଢୀଙ୍କ ଦ୍ବାରା ପରିବେଷିତ ସଙ୍ଗୀତ ଦର୍ଶକ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କାରିଗରମାନଙ୍କ ମନରେ ଆନନ୍ଦ ଭରିଦେଇଥିଲା।

ମେଳା ପରିସରରେ ଅଧିକ ଭିଡ ପରିଲକ୍ଷିତ ହୋଇଥିଲା। ଡିସେମ୍ବର, ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଜାତୀୟ ମେଳାର ଅବଧି  ସରି ଯାଉଥିବାରୁ ଦର୍ଶକମାନେ ହସ୍ତଶିଳ୍ପ ଓ ହସ୍ତତନ୍ତର ବିଭିନ୍ନ ଷ୍ଟଲରେ ବୁଲି ବିଭିନ୍ନ ସାମଗ୍ରୀ କିଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇବ ସହିତ  ଖାଦ୍ୟ ପ୍ରାଙ୍ଗଣରେ ରାଜ୍ୟ ତଥା ରାଜ୍ୟ ବାହାରର ସୁସ୍ଵାଦ ଓ ପାରମ୍ପରିକ ବ୍ୟଞ୍ଜନ ମନଭରି ଉପଭୋଗ କରିବା  ସହିତ ଛୋଟ ଛୋଟ ପିଲାମାନେ ବିଭିନ୍ନ ପ୍ରକାରର ଦୋଳି ଖେଳି ଆନନ୍ଦ ଲାଭ କରିଥିଲେ।

ଭୁବନେଶ୍ବରର ଜନତା ମଇଦାନ ଠାରେ ଅନୁଷ୍ଠିତ ଏହି ଜାତୀୟ ମେଳାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମେଳା ମଞ୍ଚରେ ପ୍ରତ୍ୟହ ସନ୍ଧ୍ୟା ୬ ଟା ରୁ ୯.୩୦ ପର୍ଯ୍ୟନ୍ତ ପରିବେଷିତ ହେବା ସହିତମେଳା ପ୍ରତ୍ୟହ ଅପରାହ୍ନ ୨.୩୦ ଘଟିକା ଠାରୁ ରାତ୍ର ୯.୩୦ ଘଟିକା ପର୍ଯ୍ୟନ୍ତ ଦର୍ଶକ, ଗ୍ରାହକ ତଥା ସର୍ବସାଧାରଣଙ୍କ ପାଇଁ ଖୋଲା ରହୁଛି।

Leave a Reply

Your email address will not be published. Required fields are marked *