ଜିଲା ଯୁବ ରେଡକ୍ରସର ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା, ୧୯/୧୨/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଜିଲା ଯୁବ ରେଡକ୍ରସ କାର୍ଯ୍ୟକାରୀ କମିଟି ଆନୁକୂଲ୍ୟରେ ଭାରତୀୟ ରେଡକ୍ରସ ସୋସାଇଟିର ଓଡିଶା ରାଜ୍ୟ ଶାଖା ଅଧିନ କେନ୍ଦ୍ରାପଡା ଜିଲା ଯୁବ ରେଡକ୍ରସ ର ଏକ ସମୀକ୍ଷା ବୈଠକ ଆଜି ଅପରାହ୍ନରେ କେନ୍ଦ୍ରାପଡା ମହାବିଦ୍ୟାଳୟ ମିନି କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ଜିଲା ଯୁବ ରେଡକ୍ରସ କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ତଥା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଓଡିଶା ରାଜ୍ୟ ଯୁବ ରେଡକ୍ରସ ର ଅଧିକାରୀ ଡଃ. ରମେଶ ଚନ୍ଦ୍ର ବେହେରା ଯୋଗଦେଇ କେନ୍ଦ୍ରାପଡା ଜିଲାରେ ଯୁବ ରେଡକ୍ରସ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବେଳେ ଜଣାପଡିଥିଲା ଯେ ଜିଲାରେ ଥିବା ୯୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସଂସ୍କୃତ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଲୟ ମଧ୍ୟରୁ ବୈଠକରେ ଯୋଗଦେଇଥିବା ୨୬ଟି ଶିକ୍ଷାନୁଷ୍ଠାନରେ ଯୁବ ରେଡକ୍ରସ ସଂସ୍ଥା କାର୍ଯ୍ୟକ୍ଷମ ରହିଛି । ଏଥିସହିତ ଜିଲାର ମାତ୍ର ୬ଟି ମହାବିଦ୍ୟାଳୟରେ ଏଚ.ଆଇ.ଭି. ଏଡ୍ସ ସଚେତନତା ନିମନ୍ତେ ରେଡ ରିବନ କ୍ଲବ କାର୍ଯ୍ୟ କରୁଛି । ଅଧିକାଂଶ ମହାବିଦ୍ୟାଳୟର ଯୁବ ରେଡକ୍ରସ କାଉନସିଲରମାନେ ତାଲିମପ୍ରାପ୍ତ ନୁହନ୍ତି । ଏସମସ୍ତ ବିଷୟରେ ସମୀକ୍ଷା କରାଯିବା ପରେ ରାଜ୍ୟ ଯୁବ ରେଡକ୍ରସର ଅଧିକାରୀ ଡଃ. ବେହେରା ଜିଲାର ସମସ୍ତ ୯୦ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ସଂସ୍କୃତ ମହାବିଦ୍ୟାଳୟ ଏବଂ ଡିଗ୍ରୀ ମହାବିଦ୍ୟାଳୟ ଗୁଡିକରେ ଯୁବ ରେଡକ୍ରସର ଶାଖା ଖୋାଲାଯିବା, ଯୁବ ରେଡକ୍ରସ ନିମନ୍ତେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ସ୍ୱତନ୍ତ୍ର ବ୍ୟାଙ୍କ ଆକାଉଂଟ ଖୋଲିବା ଓ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ରେଡ ରିବନ କ୍ଲବ ଖୋଲାଯିବାକୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଯୁବ ରେଡକ୍ରସ ଶାଖା ସେମାନଙ୍କ ପ୍ରବେଶ ଫିସ ସମେତ ରାଜ୍ୟ ଅଂଶ(ଷ୍ଟେଟ ଶେଆର) ତୁରନ୍ତ ରାଜ୍ୟ ଯୁବ ରେଡକ୍ରସ କାର୍ଯ୍ୟାଳୟକୁ ପଠାଇବାକୁ ଡଃ. ବେହେରା ପରାମର୍ଶ ଦେଇଥିଲେ । ଆସନ୍ତା ମାର୍ଚ୍ଚମାସ ସୁଦ୍ଧା କେନ୍ଦ୍ରାପଡା ମହାବିଦ୍ୟାଳୟରେ ଯୁବ ରେଡକ୍ରସର ଛାତ୍ରଛାତ୍ରୀ ଓ କାଉନସେଲରମାନଙ୍କ ପାଇଁ ଏକ କର୍ମଶାଳାର ଆୟୋଜନ କରିବାକୁ ଡଃ. ବେହେରା ପରାମର୍ଶ ଦେଇଥିଲେ । ଜିଲାର ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ସଂସ୍କୃତ ମହାବିଦ୍ୟାଳୟ ଏବଂ ଡିଗ୍ରୀ ମହାବିଦ୍ୟାଳୟ ଗୁଡିକର ଯୁବ ରେଡକ୍ରସରେ ସକ୍ରୀୟ ଯୋଗଦାନ ପାଇଁ ଜିଲାର ଜିଲାପାଳ, କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଏବଂ ଉଚ୍ଚଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଡଃ. ବେହେରା କହିଥିଲେ । ଯୁବରେଡକ୍ରସର ଜିଲା ଆବାହକ ତଥା ସମ୍ପାଦକ ପ୍ରାଧ୍ୟାପକ ପ୍ରଶାନ୍ତ ସାହୁ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଜିଲା ସଂଯୋଜକ ଅଧ୍ୟାପକ ରତ୍ନାକର ସେଠୀ ବିବରଣୀ ପ୍ରଦାନ କରିଥିଲେ । ଯୁବ ରେଡକ୍ରସ ର କାଉନସେଲର ଅଧ୍ୟାପକ ବିକାଶ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *