ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ଜଗତସିଂହପୁର, ୧୮/୧୨/୨୦୨୩ (ଓଡ଼ିଶା ସମାଚାର)- ଆଜି ଜିଲ୍ଲପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖସ୍ଥ ପଡିଆରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କୃଷକ ମାନଙ୍କୁ ଅନ୍ନଦାତା ବୋଲି ଅଭିହିତ କରିଥିଲେ। କଠିନ ପରିଶ୍ରମ କରି ସମଗ୍ର ବିଶ୍ୱ କୁ ଖାଦ୍ୟ ଯୋଗାଉଥିବାରୁ ,ସମସ୍ତ କୃଷକ ସମାଜ କୁ ଧନ୍ୟବାଦ ଜଣାଇଥିଲେ। ଓଡିଶା କୃଷି ଓ କୃଷକ ମାନଙ୍କୁ ନେଇ ଦେଖିଥିବା ସ୍ଵପ୍ନ ଆଜି ବାସ୍ତବ ରେ ପରିଣତ ହୋଇଛି ବୋଲି ସେ କହିଥିଲେ। ଓଡିଶା ସରକାର ଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଆଜି ଓଡିଶା ଏଫ୍ ସି ଆଇ କୁ ଧାନ ଯୋଗାଣ ରେ ୧ ନମ୍ଵର୍ ରାଜ୍ୟ ଭାବେ ୫ ଥର କୃଷି କର୍ମଣ ପୁରସ୍କାର ପାଇସାରିଛି। କୃଷି କ୍ଷେତ୍ରରେ ଯାନ୍ତ୍ରିକୀ କରଣ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ଓ ଜଗତସିଂହପୁର ଜିଲ୍ଲା ମଧ୍ୟ ଏହି ସଫଳତା ପାଇବାରେ ଅନ୍ୟତମ ବୋଲି ଶ୍ରୀ ମୁଦୁଲି କହିଥିଲେ। ଏକ ପ୍ରାକୃତିକ ବିପର୍ୟ୍ୟୟ ପ୍ରବଣ ଜିଲ୍ଲା ହୋଇଥିଲେ ମଧ୍ୟ ତାଳଦଣ୍ଡା ଓ ମାଛ ଗାଁ କେନାଲ ସହ ଦେବୀ ନଦୀ ଓ ମହାନଦୀ ଉନ୍ନତ ଜଳସେଚନ ଯୋଗାଇଛି ଜଗତସିଂହପୁର କୁ।ଫଳରେ କେବଳ ଧାନ ଚାଷ ନୁହଁ ବରଂ ଅନ୍ୟ ଶସ୍ୟ ସହିତ ଗୋପାଳନ, କୁକୁଡା ପାଳନ ଆଦି କ୍ଷେତ୍ରରେ ମଧ୍ୟ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଶେଷ ରେ ଜିଲ୍ଲା ର ବିଭିନ୍ନ ବ୍ଲକ୍ ରୁ ଆସିଥିବା ଚାଷୀ ମାନଙ୍କୁ ସରକାରୀ ଯୋଜନା ର ସହାୟତା ରେ ଉନ୍ନତ ଯନ୍ତ୍ରପାତି ର ବ୍ୟବହାର କରି ଜିଲ୍ଲା କୁ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା କରିବା ପାଇଁ ବିଧାୟକ ଶ୍ରୀ ମୁଦୁଲି ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ତଥା ଏରସମା-ବାଲିକୁଦା ବିଧାୟକ ଶ୍ରୀ ରଘୁନନ୍ଦନ ଦାସ ସମନ୍ଵିତ କୃଷି ବିକାଶ ଉପରେ ଗୁରୁତ୍ୱାରୋପ କରି କହିଲେ ଯେ, ଧାନ ଫସଲ ସହ ଅର୍ଥକାରୀ ଫସଲ,ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁପାଳନ କଲେ ହିଁ ସମାଜ କୁ ଆହାର ଯୋଗାଉଥିବା କୃଷକ ମାନଙ୍କର ଆର୍ଥିକ ମେରୁଦଣ୍ଡ ଶକ୍ତ ହୋଇପାରିବ। ଜଗତସିଂହପୁର ଜିଲ୍ଲା ର ବିରିଡ଼ି ବ୍ଳକ ଆଜି ମିଲେଟ ଉତ୍ପାଦନ ରେ ଅନ୍ୟତମ, ଦୁଗ୍ଧ ଉତ୍ପାଦନ ରେ ଓଡିଶାର ୧ ନମ୍ବର ଜିଲ୍ଲା ଭାବେ ପରିଗଣିତ। ତେଣୁ ଜୈବିକ ସାର ର ପ୍ରୟୋଗ ସହ ସରକାରଙ୍କ ପକ୍ଷରୁ ଦିଆଯାଇଉଥିବା ସୁବିଧା ର ଲାଭ ଉଠାଇ, ଆଧୁନିକ ଯନ୍ତ୍ରପାତି ର ବ୍ୟବହାର କରି ଜିଲ୍ଲା କୁ ଏକ ଆଗୁଆ ଜିଲ୍ଲା ରେ ପରିଣତ କରିବା ପାଇଁ ଶ୍ରୀ ଦାସ କହିଥିଲେ। ସଭାରେ ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ମଧ୍ୟ ଜୈବିକ ସାର ର ବ୍ୟବହାର କରିବାକୁ କହିଥିଲେ, ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ସମସ୍ତ କୃଷକ ସମାଜକୁ ଧନ୍ୟବାଦ ଦେବାସହ ମେଳା ରେ ଆସିଥିବା ଉନ୍ନତ ଯନ୍ତ୍ରପାତି ର ବ୍ୟବହାର କରି ଜିଲ୍ଲା ର କୃଷି କୁ ସୁଦୃଢ଼ କରିବାପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ସ୍ତରୀୟ ଏହି ମେଳା ଆସନ୍ତା ୨୨ ତାରିଖ ପର୍ୟ୍ୟନ୍ତ ଚାଲିବ। ଏଠାରେ ଉନ୍ନତ କୃଷି ଯନ୍ତ୍ରପାତି ର ପ୍ରଦର୍ଶନ ଓ ବିକ୍ରୟ, ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତା ର ସଚେତନତା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ନିମନ୍ତେ ବିଶେଷ ରିହାତି ଓ ବିକ୍ରୟ ବ୍ୟବସ୍ଥା, ବ୍ୟାଙ୍କ ସହାୟତା କେନ୍ଦ୍ର ମାଧ୍ୟମ ରେ କୃଷି ଯନ୍ତ୍ରପାତି ପାଇଁ ଋଣ ର ବ୍ୟବସ୍ଥା, ନିର୍ଦ୍ଧାରିତ ସରକାରୀ ରିହାତି ରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ତତ୍କାଳ ବୁକିଂ ବ୍ୟବସ୍ଥା ଆଦି କରାଯାଇଛି। ଏହାଛଡ଼ା ପ୍ରତ୍ୟହ ବିଭିନ୍ନ କୃଷି ବୈଜ୍ଞାନିକ ମାନଙ୍କ ଦ୍ଵାରା ଜିଲ୍ଲା ର ୧୦୦ ଅଗ୍ରଣୀ ଚାଷୀ ମାନଙ୍କୁ କୃଷି ସମ୍ବନ୍ଧୀୟ ଉନ୍ନତ ଜ୍ଞାନକୌଶଳ ର ତାଲିମ୍ ଦିଆଯିବା ସହ ସଫଳ ଚାଷୀ ମାନଙ୍କୁ ପୁରସ୍କୃତ କରାଯିବ। ଏହି ସଭାରେ କଟକ ଡିଭିଜନ ର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦେବବ୍ରତ ଦାସ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସଞ୍ଜୀବ କୁମାର ମୁଦାଲି ସରକାର ଙ୍କ ତରଫରୁ କୃଷି ଓ କୃଷକଙ୍କ ଉନ୍ନୟନ ନିମନ୍ତେ କାର୍ୟ୍ୟକାରୀ ଯୋଜନା ଓ ଏହି ମେଳାର ଅଭିପ୍ରାୟ ବିଷୟ ରେ ସୂଚନା ଦେଇଥିଲେ। ଶେଷ ରେ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ନବ କିଶୋର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ କୃଷି ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ପଣ୍ଡା, ତିର୍ତ୍ତୋଲ ବ୍ଲକ୍ ଆତ୍ମା ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର କୁମାର ମଲ୍ଲିକ, ସମସ୍ତ ବ୍ଲକ୍ କୃଷି ଅଧିକାରୀ ତଥା ସହକାରୀ କୃଷି ଅଧିକାରୀ ଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ, ସହରର ବରିଷ୍ଠ ବୁଦ୍ଧିଜୀବୀ, ସମସ୍ତ ବ୍ଲକ୍ ରୁ ଆସିଥିବା କୃଷକ,ସ୍ଵୟଂ ସହାୟକ ଗୋଷ୍ଠୀ, କୃଷି ଯନ୍ତ୍ରପାତି ର ନିର୍ମାଣ ସଂସ୍ଥା ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *