ଅଟୋ ଉପରେ ହାଇୱା ମାଡିଯିବାରୁ ୫ ଜଣଙ୍କର ମୃତ୍ୟୁ

ସୁନ୍ଦରଗଡ଼, ୧୭/୧୨/୨୦୨୩ (ଓଡ଼ିଶା ସମାଚାର)- ସୁନ୍ଦରଗଡ଼ ସଦର ଥାନା ତେଲେନଡିହିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋ ଉପରେ ହାଇୱା ମାଡିଯିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ଅଟନ୍ତି।

ସୂଚନା ଅନୁସାରେ ସୁନ୍ଦରଗଡ଼ ସଦରଥାନା ତେଲେନଡିହିର କିଛି ଲୋକ ଆଜି ପୂର୍ବାହ୍‌ନ ରେ ତେଲେନଡିହି ସରସ୍ବତୀ ନାଳକୁ ଭୋଜି କରିବାକୁ ଯାଇଥିଲେ। ସେ‌ମାନେ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଭୋଜି ସାରି ଏକ ଅଟୋରେ ଘରକୁ ଫେରୁଥିଲେ। ଫେରିବା ବାଟରେ ଏକ ହାଇୱା ଭାରସାମ୍ୟ ହରାଇ ଅଟୋକୁ ଚାପି ଦେଇ ବିଲ ଭିତରକୁ ଓଲଟି ପିଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ହାଇୱାଟି ଅଟୋକୁ ଚାପି ଦେଇ ବିଲ ଭିତରକୁ ଓଲଟି ପିଡ଼ିବା ପରେ ଟ୍ରଲିରୁ ଏହାର ଇଞ୍ଜିନ ଛିଣ୍ଡିପଡ଼ି ଅଲଗା ହୋଇଯାଇଥିଲା। ସେହିପରି ଅଟୋଟି ଭାଙ୍ଗି ଚୁରମାର ହୋଇଯାଇଥିଲା। ଦୁର୍ଘଟଣାଗ୍ରସ୍ତ ଅଟୋ ମଧ୍ୟ ବିଲଭିତରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଶିଶୁ ଓ ମହିଳା ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଟାଉନଥାନା ବଗିଚାପଡ଼ାର ସୂଚନା। ମୃତକମାନେହେଲେ ମୁନସନ ଖାତୁନ (୪୮), ତାଙ୍କ ନାତୁଣୀ ଇନାୟତ (୪)। ଆଉ ଗୋଟିଏ ପରିବାରର ମା ଇସରତ ଖାତୁନ (୪୨), ତାଙ୍କ ଝିଅ ମୁସ୍କାନ (୧୯)। ଅଟୋ ଚାଳକ ମହମ୍ମଦ ସଜାଦ। ଇସରତଙ୍କ ଅନ୍ୟ ଏକ ଝିଅ ସୋନି (୧୪) ଗୁରୁତର ହୋଇଛନ୍ତି। ଅନ୍ୟପଟରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ସଦରଥାନା ବାଲିଯୋରି ଛକ ଓ ଦୁର୍ଘଟଣାସ୍ଥଳ (ତେଲେନଡିହି)ରେ ରାସ୍ତାରୋକ କରିଥିଲେ। ଫଳରେ ଶହଶହ ଯାନବାହନ ଅଟକି ରହିଛି। ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦେବା ନେଇ ପ୍ରତିଶ୍ରୁତି ଦେଲା ପରେ ରାସ୍ତାରୋକ ହଟିଥିଲା। ରେଡକ୍ରସ୍‌ ପାଣ୍ଠିରୁ ମୃତକଙ୍କ ପରିବାରକୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *