ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ

ନିମାପଡ଼ା,୧୪/୧୨/୨୦୨୩ (ଓଡ଼ିଶା ସମାଚାର)-ଉତ୍ତରାଖଣ୍ଡର ଡେରାଡୁନ ଠାରେ ଅନୁଷ୍ଠିତ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ କରି ନିମାପଡ଼ାର ଶ୍ରେୟାଶ୍ରୀ ପ୍ରୀୟୁକ୍ତା ଏବଂ ଜ୍ୟୋତିପ୍ରକାଶ ମଲ୍ଲିକ ଓଡିଶାର ଟେକ ରଖିବା ସହ ନିମାପଡ଼ାକୁ ଗୌରବାନ୍ୱିତ କରିଛନ୍ତି। ଡେରାଡୁନ ଠାରେ ଅନୁଷ୍ଠିତ ସବ୍ ଜୁନିଅର କିରୋଗୀ ଓ ୧୧ତମ ପୁମସି ଏବଂ ୬ଷ୍ଠ କ୍ୟାଡେଟ ଜାତୀୟ ପ୍ରତିଯୋଗିତାରେ ଓଡିଶା ସବ୍-ଜୁନିଅର ଓ କ୍ୟାଡେଟ ଉଭୟ ବାଳକ ବାଳିକା ୫୩ ଜଣିଆ ଟିମ ଅଂଶଗ୍ରହଣ କରିଥିଲେ। ପୁମସି ଇଭେଣ୍ଟରେ ଓଡିଶା ଟିମ ୧୮ଟି ସ୍ବର୍ଣ୍ଣପଦକ ଓ ୨ଟି ରୌପ୍ୟ ପଦକ ଜିତି ଚାମ୍ପିଅନ୍ ଟ୍ରଫି ହାସଲ କରିଥିବା ବେଳେ କିରୋଗୀ ଇଭେଣ୍ଟ ରେ ୬ଟି ରୌପ୍ୟ ପଦକ ଓ ୧୪ଟି ବ୍ରୋଞ୍ଜ ପଦକ ଜିତି ଉପବିଜେତା ଟ୍ରଫି ହାସଲ କରିଥିଲେ। ଓଡିଶା ଟିମ ଓଭର ଅଲ ୪୦ଟି ପଦକ ହାସଲ କରିଥିଲେ। ନିମାପଡ଼ା ଟାଏକୋଣ୍ଡୋ ଏକାଡେମୀ କୋଚ ପ୍ରଶାନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ଭାଗ ନେଇଥିବା ୩ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଜ୍ୟୋତି ପ୍ରକାଶ ରୌପ୍ୟ ଏବଂ ଶ୍ରେୟାଶ୍ରୀ ବ୍ରୋଞ୍ଜ ପଦକ ଜିତି ନିମାପଡାକୁ  ଗୌରାବାନ୍ୱିତ କରିଥିଲେ। ଓଡିଶା ପୋଲିସରେ କାର୍ଯ୍ୟରତ ମନୋରଞ୍ଜନ ମଲ୍ଲିକ ଏବଂ ରଶ୍ମିତା ମଲ୍ଲିକଙ୍କ ପୁତ୍ର ଜ୍ୟୋତିପ୍ରକାଶ ନିମାପଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ସ୍ବେଛାସେବୀ ଅନୁଷ୍ଠାନ ‘ହେଲ୍ପଲାଇନ’ର ପୂର୍ବତନ ସମ୍ପାଦକ ତଥା ସମାଜସେବୀ ପ୍ରତାପ ପାତ୍ର ଏବଂ ଶିକ୍ଷୟତ୍ରୀ ଶଶୀକଳା ନନ୍ଦଙ୍କ କନ୍ୟା ଶ୍ରେୟାଶ୍ରୀ ନିମାପଡ଼ା ଡ଼ିଏଭି ପବ୍ଲିକ ସ୍କୁଲରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ପୁରସ୍କାର ଲାଭକରି ଓଡିଶା ଫେରିବା ପରେ କୃତୀ ପ୍ରତିଯୋଗୀ ଏବଂ କୋଚଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ଓଡିଶା ଟାଏକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଅଭିନନ୍ଦନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *