ମାଣପୁର ପଞ୍ଚାୟତ ସମ୍ମୁଖରେ ମାଡ଼ପିଟ ଘଟଣା: ଵିଜେପି ଵିଜେଡିର ଗିରଫଦାରୀ ଦାଵି ଯୋର ଧରିଲା, ରାଜନୀତି ସରଗରମ

କଟକ ସଦର,୧୩/୧୨/୨୦୨୩ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ମାଣପୁର ପଞ୍ଚାୟତ ସମ୍ମୁଖରେ ଗତକାଲି ମଙ୍ଗଳବାର ଵିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନକୁ ନେଇ ଵିଜେଡି ସମର୍ଥକମାନେ ମାଡ଼ପିଟ କରି ବିକ୍ଷୋଭ ଭଣ୍ଡୁର କରିଥିବାକୁ ନେଇ କିଶନନଗର ଥାନାରେ ଅଭିଯୋଗ ପରେ ୨୯୨/୧୨.୧୨.୨୦୨୩ ରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ପଞ୍ଚାୟତ ଵିଜେଡି ସଭାପତି ରୁସ୍ତମ ମହମ୍ମଦ ଓ ତାଙ୍କ ସମର୍ଥକଙ୍କୁ ଗିରଫ ଦାବିରେ ଥାନା ସମ୍ମୁଖରେ ଵିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା। ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ଵୋଲି ପୋଲିସର ପ୍ରତିଶ୍ରୁତି ପରେ ଧାରଣା ସ୍ଥଗିତ ରଖାଯାଇଥିଲା। ଅନ୍ୟପକ୍ଷରେ ଵିଜେପି ନେତା ପ୍ରକାଶ ଚନ୍ଦ୍ର ସେଠୀ ଓ ତାଙ୍କ ସମର୍ଥକମାନେ ବିକ୍ଷୋଭ ଆଳରେ ପଞ୍ଚାୟତ ମଧ୍ୟକୁ ଅନଧିକାର ପ୍ରବେଶକୁ ସଫେଇ ପାଇଁ ଉପସ୍ଥିତ ଥିବା ମିଶନ ଶକ୍ତି ମହିଳା ମାନେ ବାରଣ କରିବାରୁ ସେମାନଙ୍କୁ ମାଡ଼ ମରାଯାଇଥିଵା ଭାରତୀ ମହାରଣା ପାଲଟା ଅଭିଯୋଗ ଉପରେ ୨୯୪/୧୨.୧୨.୨୦୨୩ ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ସେହିପରି ସରପଞ୍ଚ ରଞ୍ଜିତା ସେଠୀ ମଧ୍ୟ କରିଥିବା ଏକା ଅଭିଯୋଗ ଉପରେ ମଧ୍ୟ ମାମଲା ରୁଜୁ ହୋଇଛି। ଵିଜେଡି ନେତା ରୁସ୍ତମ ମହମ୍ମଦ ଓ ତାଙ୍କ ସମର୍ଥକଙ୍କୁ କଣ୍ଟ ପୁରିବା ପୂର୍ବରୁ ଗିରଫ କରିବାକୁ ଵିଜେପି ଦାବି ଦୋହରାଇ ଥିବା ବେଳେ ଵିଜେପି ନେତା ପ୍ରକାଶ ସେଠୀ ଓ ତାଙ୍କ ସମର୍ଥକଙ୍କୁ ଗିରଫ କରିବା ଦାଵି କରିଛନ୍ତି କଟକ ଜିଲ୍ଲା ବିଜେଡ଼ି ଉପସଭାପତି ଅଚ୍ୟୁତାନନ୍ଦ ଦାସ। କଟକ ସଦରରେ ଵିଜେପି ଵିଜେଡି ମୁହାଁମୁହିଁ ରାଜନୀତି ସରଗରମ ହୋଇଥିବା ବେଳେ ଅପ୍ରିତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ନିହାର ରଞ୍ଜନ ପ୍ରଧାନ ପୋଲିସ ବଳ ସହିତ ଥାନାରେ ସଜାଗ ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *