ଉନବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

ଜଗତସିଂହପୁର,୧୩/୧୨/୨୦୨୩ (ଓଡ଼ିଶା ସମାଚାର)- କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଦ୍ବାରା ୧୯ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱରର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଅମରେସ ଖୁଣ୍ଟିଆ ସଭାପତିତ୍ବ କରିଥିଲେ। ଏହି ପରିପ୍ରେକ୍ଷୀରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୂଖ୍ୟ ଡ଼ଃ ଜୀବନଜିତ୍ ସେନ୍ କୃଷି ବିଜ୍ଞାନ କେନ୍ଦ୍ରର ବିଗତ ବର୍ଷ ଏବଂ ଆଗାମୀ ବର୍ଷର କାର୍ଯ୍ୟାବଳୀ ସମ୍ପର୍କରେ ସବିଶେଷ ଭାବରେ ଆଲୋଚନା କରିଥିଲେ। ଅଟାରୀର ପ୍ରଧାନ ବୈଜ୍ଞାନିକ ଡ଼ଃ ଏସ୍. କେ. ମଣ୍ଡଲ ଯୋଗଦେଇ କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟାବଳୀ ବିଷୟରେ ବିଶେଷ ଉପଦେଶ ପ୍ରଦାନ କରିବା ସହିତ ଗୋଟିଏ ଜିଲ୍ଲା ଗୋଟିଏ ପ୍ରଧାନ ଫସଲ ଉପରେ ଗୁରୁତ୍ୱାରୋପ କରିଥିଲେ।  ଜିଲ୍ଲା କୃଷି ମୂଖ୍ୟ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମୁଦାଲି ଏବଂ ଏ.ଡି.ଓ. ଶ୍ରୀଯୁକ୍ତ ପୂର୍ନେନ୍ଦୂ ଶେଖର ଆଚାର୍ଯ୍ୟ ତିର୍ତ୍ତୋଲ ଯୋଗଦେଇ ମାଟିଆ ଗୁଣ୍ଡି ପୋକର ନିରାକରଣ, ନାନୋ ୟୁରିଆର ପ୍ରୟୋଗ, ଅର୍ଥକାରୀ ଫସଲ ଏବଂ ମାଣ୍ଡିଆ ଉପରେ ବିଶେଷ ଗୁରୁତ୍ବ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ। ଜିଲ୍ଲା ପ୍ରାଣୀସମ୍ପଦ ବିଭାଗର ମୂଖ୍ୟ ଡ଼ଃ କୈଳାସ ଚନ୍ଦ୍ର ମଲ୍ଲିକ ଯୋଗଦେଇ ଘାସଚାଷ, ଆଜୋଲା ଚାଷ ଏବଂ ପ୍ରାଣୀ ସମ୍ପଦର ବିକାଶ ନିମନ୍ତେ ଗବେଷଣା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ମୂଖ୍ୟ ଉଦ୍ୟାନ ଅଧିକାରୀ ଶ୍ରୀଯୁକ୍ତ ଅନିଲ କୁମାର ସେଠୀ ଯୋଗଦେଇ ୱାଇ.ଏମ୍.ଭି.ର  ପନିପରିବା ଚାଷରେ ନିରାକରଣ ପଦ୍ଧତି ଉପରେ କୃଷି ବିଜ୍ଞାନ କେନ୍ଦ୍ର ଧ୍ୟାନ ଦେବା ନିମନ୍ତେ ଉପଦେଶ ପ୍ରଦାନ କରିବା ସହିତ ଛତୁ, ମସଲା ଜାତୀୟ ଶସ୍ୟ ଏବଂ ଫୁଲଚାଷ ଉପରେ ଗୁରୁତ୍ବ ଦେବା ନିମନ୍ତେ ଉପଦେଶ ପ୍ରଦାନ କରିଥିଲେ। ଜିଲ୍ଲା ମୂଖ୍ୟ ମତ୍ସ୍ୟ ଅଧିକାରୀ ରେଶ୍ମାରାଣୀ ସିଂହ ଯୋଗଦେଇ ବାୟୋଫ୍ଲକ୍, ଖାଦ୍ୟର ଉପଯୁକ୍ତ ପରିଚାଳନା ଏବଂ ବଜାର ସଂଯୋଜନା ଉପରେ ବିଶେଷ ଆଲୋକପାତ କରିଥିଲେ। ଜିଲ୍ଲାର ସୋସିଆଲ ୱେଲଫେୟାର ଅଫିସର୍ ଶ୍ରୀଯୁକ୍ତ ଲୋଚନ ପୃଷ୍ଟି ଯୋଗଦେଇ ଚାଷୀମାନଙ୍କ ମଧ୍ୟରେ ଉନ୍ନତ କୃଷି ପ୍ରଣାଳୀର ସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀଗୋପାଳର ଉଦ୍ୟାନ ବିଭାଗର ବୈଜ୍ଞାନିକ ଡଃ ବିଷ୍ଣୁପଦ ଗିରି ବିଭିନ୍ନ ଉନ୍ନତ ପନିପରିବା କିସମ ସମ୍ପର୍କରେ ଆଲୋକପାତ କରିଥିଲେ ଓ କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବୈଜ୍ଞାନିକ ଶ୍ରୀଯୁକ୍ତ ମାନସ ରଞ୍ଜନ ବେହେରା ବିଭିନ୍ନ ଉନ୍ନତ ମତ୍ସ୍ୟଚାଷ ପ୍ରଣାଳୀ ବିଷୟରେ ଆଲୋକପାତ କରିଥିଲେ। ଜିଲ୍ଲାର ଚାରିଜଣ ଅଗ୍ରଣୀ ଚାଷୀ ଯଥା ସୌରଭ ପଟ୍ଟନାୟକ, କୈଳାସ ଜୟସିଂହ, ନୃସିଂହ ବେହେରା ଓ ନମିତା ବେହେରା ଆଦି ଯୋଗଦେଇ ସେମାନଙ୍କର ମନ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ଅତିଥିମାନଙ୍କ ଦ୍ଵାରା ପତ୍ରିକା ‘କୃଷିଶ୍ରୀ’ ର ଉନ୍ମୋଚନ ହେବା ସହିତ ବିଭିନ୍ନ ଚାଷ ସମ୍ବନ୍ଧୀୟ ପୁସ୍ତିକାମାନ ଉନ୍ମୋଚିତ ହୋଇଥିଲା। ସର୍ବଶେଷରେ ପ୍ରଫେସର୍ ଅମରେସ ଖୁଣ୍ଟିଆ କୃଷି ବିଜ୍ଞାନ କେନ୍ଦ୍ର ଆଗାମୀ ଦିନରେ କିପରି ଉନ୍ନତ ବୈଜ୍ଞାନିକ ପ୍ରଣାଳୀ ସମ୍ବନ୍ଧରେ ଜିଲ୍ଲାର ଚାଷୀମାନଙ୍କୁ ଅବଗତ କରାଇପାରିବ ସେ ସମ୍ବନ୍ଧରେ ବିଶେଷ ଦୃଷ୍ଟିପାତ କରିଥିଲେ ଏବଂ ଜିଲ୍ଳାର ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଅଗ୍ରଣୀ ଚାଷୀ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଏବଂ ସମସ୍ତ କର୍ମଚାରୀଙ୍କ ଯୋଗଦାନରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

Leave a Reply

Your email address will not be published. Required fields are marked *