ଭୁବନ ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ମହୋତ୍ସବ ଉଦଯାପିତ

“ଶିକ୍ଷା ଏଭଳି ଏକ ଅସ୍ତ୍ର ଯାହା ସାରା ବିଶ୍ବକୁ ପରିବର୍ତ୍ତନ କରିଥାଏ”

ଭୁବନ ୧୦/୧୨/୨୦୨୩ (ଓଡ଼ିଶା ସମାଚାର)-ଭୁବନ ଉଚ୍ଚ ବିଦ୍ୟାଳୟ ର ପ୍ଲାଟିନମ ଜୁବୁଲି ( ୭୫ ବର୍ଷ ) ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ,ବିଦ୍ୟାର୍ଥୀ ମାନଙ୍କ ର ବିଦ୍ୟାଳୟ ପ୍ରତି ଆକର୍ଷଣ ରହିଛି ,ରହିଥିବ । ସରକାରୀ ବିଦ୍ୟାଳୟ ପ୍ରତି ଆସ୍ଥା ବଢୁଛି ,ପିଲା ମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ ଆରମ୍ଭ କରି ବିଦ୍ୟାଳୟ କୁ ରୂପାନ୍ତରିତ କରୁଛନ୍ତି ,ଆପଣ ମାନେ ବିଦ୍ୟାଳୟ ସହ ଯୋଡ଼ି ହୁଅନ୍ତୁ ବୋଲି ମତବ୍ୟକ୍ତ କରିଥିଲେ ।ପୁରାତନ ଛାତ୍ର ସଂଘ ସଭାପତି ଧନେଶ୍ଵର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଯୋଗଦେଇ ପୁରାତନ ଛାତ୍ର ମାନେ ବିଦ୍ୟାଳୟର ଅମୂଲ୍ୟ ରତ୍ନ ,ପ୍ରତିଷ୍ଠିତ ଛାତ୍ର ମାନଙ୍କୁ ଅନୁସରଣ କରିବା ଉଚିତ୍ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସାଂସଦ ମହେଶ ସାହୁ ଯୋଗଦେଇ କହିଥିଲେ ଯେ ଗଣିତ ପାଠ ରେ ଏକ ରେ ଏକ ମିଶିଲେ ଦୁଇ କିନ୍ତୁ ( ସମାଜରେ )ସାମାଜିକ ପାଠ ଅନୁସାରେ ଏକ ରେ ଏକ ମିଶି ଏକ ହେଲେ ସବୁ ଅସମ୍ଭବ ସମ୍ଭବ ହୋଇପାରିବ । ଶତ ବାର୍ଷିକ ଉତ୍ସବ ପାଳନ ସମୟରେ ଭୁବନ ଉଚ୍ଚ ବିଦ୍ୟାଳୟ କୁ ରାଜ୍ୟର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଗଢି ତୋଳିବା ବୋଲି ଆଜିର ଦିନରେ ଆପଣ ମାନେ ସଂକଳ୍ପ ନିଅନ୍ତୁ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଦୈନିକ “ପ୍ରଗତିବାଦୀ ” ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ଯୋଗଦେଇ ଏ ମାଟି ସହିଦ ବାଜି ରାଉତ ଙ୍କ ମାଟି ,ଏହି ମାଟିରେ ମୁ ଅତିଥି ଭାବେ ଯୋଗଦେଇ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଥିଲେ । ରାଜନୈତିକ ସଭା କରିବା ସହଜ କିନ୍ତୁ ଗୋଟେ ବିଦ୍ୟାଳୟର ୭୫ ତମ ଜନ୍ମ ଜୟନ୍ତୀ ଏଭଳି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ଆୟୋଜନ କରିବା ବହୁତ କଷ୍ଟ । ପୁରାତନ ଛାତ୍ର ସଂଘ ଏଥିପାଇଁ ନିଶ୍ଚିତ ଭାବେ ଧନ୍ୟବାଦର ପାତ୍ର ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷା ଏପରି ଏକ ଅସ୍ତ୍ର ଯାହା ସାରା ବିଶ୍ବକୁ ପରିବର୍ତ୍ତନ କରିଦେଇଥାଏ ବୋଲି କହିଥିଲେ । ଛାତ୍ର ଛାତ୍ରୀ ମାନେ ଦେଶ ଗଠନ ରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ। ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ମହୋତ୍ସବ ସଂଯୋଜକ ରୁଦ୍ର ନାରାୟଣ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ପଣ୍ଡିତ ମାତୃ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପୁରାତନ ଛାତ୍ର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦଯାପନୀ ଉତ୍ସବ ପରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ସାଥୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୀରାବାଇ କଳା ବିକାଶ କେନ୍ଦ୍ର ତରଫରୁ ଓଡ଼ିଶୀ ନୃତ୍ୟ,ଗୀତିନାଟ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *