ପାରାଦ୍ଵୀପ ଠାରେ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ପାରାଦ୍ଵୀପ, ୦୧/୧୨/୨୦୨୩ (ଓଡ଼ିଶା ସମାଚାର)- ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହାର କୁ କମାଇବା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ଡିସେମ୍ବର ୧ ତାରିଖ ଠାରୁ ୭ ତାରିଖ ପର୍ୟ୍ୟନ୍ତ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ କରାଯିବ। ଏଥି ନିମନ୍ତେ ଗତ କାଲି ପାରାଦ୍ଵୀପ ର ସ୍ପେଶାଲ ସର୍କିଟ ହାଉସ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା
ଙ୍କ ଅଧ୍ୟକ୍ଷତାରେଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିରଞ୍ଜନ ବେହେରା କହିଲେ ଯେ, କୁଜଙ୍ଗ ପାରାଦ୍ଵୀପ ଏରିଆ ର ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକରେ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଏହି ଅସୁବିଧା କୁ ରୋକାଯାଇପାରିବ।ଏହାପରେ ଶ୍ରୀ ବେହେରା ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ କାର୍ୟ୍ୟ ସୂଚୀ ଅନୁଯାୟୀ ଆଲୋଚନା କରିବାକୁ କହିଥିଲେ।ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରି ରାଜ୍ୟ ପରିବହନ ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏସ୍ ଓ ପି ର ପ୍ରତିଟି ବିଷୟ ଉପରେ ରେ ବିଷଦ ଆଲୋଚନା କରିଥିଲେ।ସଡକ ଦୁର୍ଘଟଣା ରୋକିବାରେ ସହଯୋଗ କରିବା ପାଇଁ ସାତଟି ବିଭାଗ ର ଗୁରୁଦାୟିତ୍ବ ରହିଛି। ପ୍ରଥମେ ସେ ପରିବହନ ବିଭାଗ କୁ ଦୁର୍ଘଟଣା ର ମୁଖ୍ୟ କାରଣ ରୁପେ ଦ୍ରୁତ ଗାଡ଼ିଚାଳନା, ବିନା ହେଲମେଟ ରେ ଯାତ୍ରା, ଚାରି ଚକିଆ ଯାନ ଚଳାଇବା ସମୟରେ ସିଟ ବେଲ୍ଟ ନ ବାନ୍ଧିବା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର କରିବା,ନିଶାସକ୍ତ ଅବସ୍ଥା ରେ ଗାଡି ଚାଳନା, ପ୍ରତିଯୋଗିତା ମୂଳକ ଗାଡି ଚାଳନା, ୧୮ ବର୍ଷ ରୁ କମ୍ ବୟସର ପିଲା ମାନଙ୍କ ଦ୍ଵାରା ଗାଡି ଚାଳନା , ବେଆଇନ ପାର୍କିଂ, ଭୁଲ ଜାଗାରେ ଦୀର୍ଘ ସମୟ ଧରି ପାର୍କିଂ ଆଦି ଉପରେ ରୋକ୍ ଲଗାଇବାକୁ କହିଥିଲେ। ପୋଲିସ ବିଭାଗ ସହ ଯୋଗାଯୋଗ କରି ଦୁର୍ଘଟଣା ବ୍ଲାକ୍ ସ୍ପଟ ଚିହ୍ନଟ ଓ ଏହାର ନିରାକରଣ କରିବାପାଇଁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ।ଜିଲ୍ଲା ରେ ଥିବା ବ୍ଳାକ ସ୍ପଟ ଅଞ୍ଚଳ ରେ ସିଗନାଲ୍, ସାଇନ ବୋର୍ଡ ଓ ରମ୍ବଲର ନିର୍ମାଣ କରିବା ସହ ସମସ୍ତ ଥାନା ଅଧିକାରୀ ମାନଙ୍କୁ ଥାନା ଗୁଡିକରେ ଏ ନେଇ ସଚେତନତା ଜାରି କରିବା ଓ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି କୁ ଘଟଣା ସ୍ଥଳରେ ହିଁ ସଚେତନ କରାଇବା ପାଇଁ କୁହାଯାଇଥିଲା। ପୋଲିସ ପକ୍ଷରୁ ଆମ୍ବୁଲାନ୍ସ, ଟ୍ରମା କେୟାର ତଥା ଫାଷ୍ଟ ରେସପଣ୍ଡର ସହ ଯୋଗାଯୋଗ ରଖିବା,କୌଣସି ଜାଗାରେ ଦୀର୍ଘ ସମୟ ଧରି ଚାଳକ ବିହୀନ ଗାଡି କୁ ତୁରନ୍ତ ହଟାଇବା ସହ ନିଶାସକ୍ତ ଅବସ୍ଥା ରେ ଗାଡି ଚଳାଉଥିବା ବ୍ୟକ୍ତି ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ଆଲୋଚନା ହୋଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ରେ ସ୍ୱାସ୍ଥ୍ୟ ବିଭାଗ ର ଦାୟିତ୍ଵ ସମ୍ପର୍କରେ ଆଲୋଚନା କରିବାକୁ ଯାଇ ଆର୍ ଟି ଓ କହିଲେ ଯେ, ସ୍ୱାସ୍ଥ୍ୟ ବିଭାଗ ଦୁର୍ଘଟଣା ପ୍ରବଣ ଅଂଚଳରେ ଆମ୍ବୁଲାନ୍ସ ର ଉପସ୍ଥିତି, ଜି ପି ଏସ୍ ସୁବିଧା ସହ ୧୦୮ ଆମ୍ବୁଲାନ୍ସ ଯୋଗାଇଦେବା ସହ ଦୁର୍ଘଟଣା ର ୪୮ ଘଣ୍ଟା ମଧ୍ୟରେ ମାଗଣାରେ ଟ୍ରମା କେୟାର ଯୋଗାଇଦେବା ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ। ଅନ୍ୟ ପକ୍ଷରେ ରାସ୍ତା ନିର୍ମାଣ କ୍ଷେତ୍ରରେ ଜାତୀୟ ରାଜପଥ ପ୍ରାଧିକରଣ କୁ ରାସ୍ତା ଗୁଡିକର ପଟ୍ ହୋଲ ମରାମତି, ନିର୍ମାଣ କାର୍ୟ୍ୟ ଚାଲୁଥିବା ଜାଗା ଏବଂ ଦରକାରି ଜାଗା ଗୁଡିକରେ ରେଟ୍ରୋରିଫ୍ଲେକଟିଭ ଲଗାଇବା,ଦୃଷ୍ଟି ଆକର୍ଷଣ କରୁଥିବା ବିଜ୍ଞାପନ ଗୁଡିକୁ ହଟାଇବା ସହ ଷ୍ଟ୍ରିଟ ଲାଇଟ ଓ ସାଇନେଜ ଲଗାଇବାପାଇଁ କହିଥିଲେ। ସେହିପରି ଶିକ୍ଷା ବିଭାଗ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଚେତନତା ଶୋଭାଯାତ୍ରା ,ସାଇକ୍ଲୋଥନ,ମାରାଥନ ଆଦିର ଆୟୋଜନ ,ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇବା, ପ୍ରାର୍ଥନା ସଭାରେ ସଡକ ସୁରକ୍ଷା ସମ୍ବନ୍ଧୀୟ ଧାରଣା ଦେବା ଉପରେ ଗୁରୁତ୍ଵ ଦିଆଯାଇଥିଲା। ଗୃହ ଓ ସହର ବିକାଶ ବିଭାଗ କୁ ରାସ୍ତା କଡରେ ବୁଲା କୁକୁର ଓ ଗୋରୁଗାଈ ମାନଙ୍କୁ ହଟାଇବା, ବେଆଇନ ପାର୍କିଂ ଓ ଅଧିଗ୍ରହଣ ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଓ ଏସ୍ ଆର୍ ଟି ସି କୁ ଡ୍ରାଇଭର ମାନଙ୍କର ସେନ୍ସିଟାଇଜେସନ କରିବାପାଇଁ ନିଷ୍ପତ୍ତି ନିଆ ଯାଇଥିଲା।ଏଥି ସହିତ ଇଫକୋ,ପି ପି ଏଲ, ଆଇ ଓ ସି ଏଲ, ବି ପି ସି ଏଲ ଟର୍ମିନାଲ୍ ହେଡସ ଏବଂ ଏନ ଜି ଓ ସଂସ୍ଥା ଗୁଡିକୁ ସଚେତନତା କାର୍ୟ୍ୟକ୍ରମ କରିବା ପାଇଁ କୁହାଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ଆରକ୍ଷୀ ଅଧୀକ୍ଷକ ପାରାଦ୍ଵୀପ, ପାରାଦ୍ଵୀପ ଲକ,ଆଦର୍ଶ ଥାନା,ମେରାଇନ ଥାନା,ଅଭୟଚନ୍ଦ୍ରପୁର ଥାନା, ଜଟାଧାରୀ ମୁହାଣ ମେରାଇନ ଥାନା ର ଭାରପ୍ରାପ୍ତ ଅଧିକାରୀ, ପାରାଦ୍ବୀପ ପୌର ପରିଷଦର ନିର୍ବାହୀ ଅଧିକାରୀ, ଚଣ୍ଡିଖୋଲ ଏନଏଚ ଏଆଇ ର ସଭ୍ୟ, ଡମ୍ପର ଆସୋସିଏସନ, ପାରାଦ୍ବୀପ ପରିବହନ ଲିମିଟେଡ ର କର୍ମକର୍ତ୍ତା,ଇଡକୋ,ପି ପି ଏଲ, ବିପି ସି ଏଲ, ଆଇ ଓ ସି ଏଲ, ଏଚ ପି ସି ଏଲ ର ଟର୍ମିନାଲ୍ ହେଡସ,ଏନ ଜି ଓ ଆହ୍ଵାନ ର କର୍ମକର୍ତ୍ତା,ସି ଆଇ ଏସ ଏଫ ର ଡେପୁଟି କମାଣ୍ଡାଣ୍ଟ, ପାରାଦ୍ବୀପ ଚିକିତ୍ସାଳୟର ଡାକ୍ତର, ବସ୍ ଟ୍ରକ୍ ସଂଘ ର କର୍ମକର୍ତ୍ତା, ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *