ବିଶିଷ୍ଟ ସମାଜବାଦୀ ଜନନେତା ରବି ରାୟଙ୍କ ୯୭ତମ ଜୟନ୍ତୀ

ଭାରତୀୟ ସମ୍ବିଧାନର ପଞ୍ଚମ ଓ ଷଷ୍ଠ ଅନୁସୂଚୀ ଅନୁଯାୟୀ  ସ୍ୱତନ୍ତ୍ର ଶାସନ ବ୍ୟବସ୍ଥା ମାଧ୍ୟମରେ ଆଦିବାସୀ ଗୋଷ୍ଠୀମାନଙ୍କୁ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବା ହିଁ ରାଷ୍ଟ୍ରର ଦାୟିତ୍ୱ – ପ୍ରଫେସର ଭର୍ଜିନିୟସ ଖାଖା

ଭୁବନେଶ୍ୱର, ୨୬/୧୧/୨୦୨୩ (ଓଡ଼ିଶା ସମାଚାର)-ଭାରତର ସମସ୍ତ ନାଗରିକଙ୍କର ଯେଉଁ ସବୁ ଅଧିକାର ଅଛି, ଆଦିବାସୀମାନଙ୍କର ମଧ୍ୟ ସେ ସବୁ ଅଧିକାର ଅଛି। ସେ ସବୁ ସହିତ ଆଦିବାସୀମାନଙ୍କୁ କିଛି ସ୍ୱତନ୍ତ୍ର ଅଧିକାର ଦିଆଯାଇଛି। ଏହି ସ୍ୱତନ୍ତ୍ର ଅଧିକାରଗୁଡିକ ମୋଟାମୋଟି ତିନି ପ୍ରକାରର। ପ୍ରଥମତଃ, ଗୋଟିଏ ପକ୍ଷରେ ସଂସଦ, ରାଜ୍ୟମାନଙ୍କର ବିଧାନସଭା ଓ ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥା ଭଳି ରାଷ୍ଟ୍ର ଅନୁଷ୍ଠାନ ଏବଂ ଅନ୍ୟପକ୍ଷରେ, ସରକାରୀ ଚାକିରୀ ଓ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ସରଂକ୍ଷଣର ସୁବିଧା। ଦ୍ବିତୀୟରେ, ସେମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ହିତକର କାର୍ଯ୍ୟକ୍ରମ। ହିନ୍ଦୁ ସମାଜର ଉଚ୍ଚନୀଚ ଭେଦଭାବପୂର୍ଣ୍ଣ ଜାତି ବ୍ୟବସ୍ଥାର ସବାତଳେ ଥିବା ଦଳିତ ସମୁଦାୟ ମଧ୍ୟ ଉପରୋକ୍ତ ଦୁଇ ଅଧିକାରକୁ ଉପଭୋଗ କରନ୍ତି। ତୃତୀୟଟି ନିର୍ଦ୍ଦିଷ୍ଟ ଭାବେ ଆଦିବାସୀ ଗୋଷ୍ଠୀମାନଙ୍କ ପାଇଁ ଅଭିପ୍ରେତ। ତାହା ହେଉଛି ଭାରତୀୟ ସମ୍ବିଧାନର ପଞ୍ଚମ ଓ ଷଷ୍ଠ ଅନୁସୂଚୀ ଅନୁଯାୟୀ  ସ୍ୱତନ୍ତ୍ର ଶାସନ ବ୍ୟବସ୍ଥା ମାଧ୍ୟମରେ ଆଦିବାସୀ ଗୋଷ୍ଠୀମାନଙ୍କୁ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବା। ଉଭୟ ଅନୁସୂଚୀର ଲକ୍ଷ୍ୟ ହେଉଛି ସେମାନଙ୍କର ସ୍ୱାର୍ଥ, ହିତ ଓ ଅସ୍ମିତାକୁ ସୁରକ୍ଷିତ ରଖିବା। ସମ୍ବିଧାନର ଷଷ୍ଠ ଅନୁସୂଚୀ ଅନ୍ତର୍ଗତ ଅଞ୍ଚଳ ବହୁଳାଂଶରେ ସମ୍ବିଧାନର ଉଦ୍ଦେଶ୍ୟକୁ ସାଧିତ କଲାବେଳେ, ପଞ୍ଚମ ଅନୁସୂଚୀ ଅତି ଦୟନୀୟ ଭାବେ ବିଫଳ ହୋଇଛି। ଯାହା ହେଉ ନା କାହିଁକି, ଜମି, ଜଙ୍ଗଲ ଓ ଅନ୍ୟାନ୍ୟ ସମ୍ପଦ ଉପରେ ଆଦିବାସୀମାନଙ୍କର ଅଧିକାରକୁ ସୁରକ୍ଷିତ ରଖିବା ତଥା ସାମାଜିକ ବିକାଶକୁ ବୃଦ୍ଧି କରିବା କ୍ଷେତ୍ରରେ ଷଷ୍ଠ ଅନୁସୂଚୀ ବେଶ ସଫଳ ହୋଇଛି। ଅର୍ଥାତ୍, ଗଣତାନ୍ତ୍ରିକ ପରିସର ଓ ସୁଶାସନକୁ ସମ୍ପ୍ରସାରିତ କରିବା ପାଇଁ ଷଷ୍ଠ ଅନୁସୂଚୀ ଏକ ଉପକରଣ। ଏମିତି ଏକ ଉପକରଣ ପଞ୍ଚମ ଅନୁସୂଚୀ ଅନ୍ତର୍ଗତ ଆଦିବାସୀମାନଙ୍କର ଏକାନ୍ତ କାମ୍ୟ ବୋଲି ଲୋକସଭାର ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ସମାଜବାଦୀ ନେତା ରବି ରାୟଙ୍କ ୯୭ତମ ଜୟନ୍ତୀ ଅବସରରେ ‘ଭାରତୀୟ ସମ୍ବିଧାନର ପଞ୍ଚମ ସୂଚୀ – ଇତିହାସ, ବ୍ୟବସ୍ଥା ଓ ଏହାର ଅପରାଧିକ ଅବହେଳା’ ଶୀର୍ଷକ ସପ୍ତମ ରବି ରାୟ ସ୍ମାରକୀ ବକ୍ତୃତା ପ୍ରଦାନ କରି ବିଶିଷ୍ଟ ସମାଜ ବିଜ୍ଞାନୀ ପ୍ରଫେସର ଭର୍ଜିନିୟସ ଖାଖା ନିଜ ବକ୍ତବ୍ୟ ରଖିଥିଲେ।

ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ରବି ରାୟ ସ୍ମୃତି କମିଟି ଓ ଲୋହିଆ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ବିଶିଷ୍ଟ ସମାଜବାଦୀ ଜନନେତା ରବି ରାୟଙ୍କ ସଂସଦୀୟ ଗଣତନ୍ତ୍ର ତଥା ସାମାଜିକ ଓ ରାଜନୈତିକ ଜୀବନୀ ଓ ସ୍ମାରକୀ ବକ୍ତୃତାର ଆବଶ୍ୟକତା ସମ୍ପର୍କରେ ଉପରେ ନିଜ ମତ ରଖିଥିଲେ।  ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ  ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବରଗଡ଼ ଜିଲ୍ଲାରେ ବୃକ୍ଷରୋପଣକୁ ବ୍ୟାପକ କରାଇଥିବା ପରିବେଶ କର୍ମୀ ମୀନକେତନ ସାହୁଙ୍କୁ ‘ରବି ରାୟ ଲୋକଶକ୍ତି ସବୁଜ ପୁରସ୍କାର’ ପ୍ରଦାନ କରାଯିବା ସହ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ନିଜର ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ସତ୍ତ୍ୱେ ଲୋହିଆ ଏକାଡେମୀର ସଭାପତି ସାରଦା ଚରଣ ମହାନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ବହୁ ସଂଖ୍ୟାରେ ସାମାଜିକ, ରାଜନୈତିକ ତଥା ସଙ୍ଗଠନର କର୍ମୀମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *