ସଂଜୟଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସହାୟତାର ହାତ ବଢ଼ାଇଲା ଶ୍ରମିକ ସମବାୟ ସମିତି  –  ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ସହାୟତା ପ୍ରଦାନ କରିବାକୁ ଅନୁରୋଧ
ଗରଦପୁର,୨୪/୧୧/୨୦୨୩ (ଓଡ଼ିଶା ସମାଚାର)-ଭାଗ୍ୟ ଭାଗାରି ସାଜିଥିବାବେଳେ ଦଇବ ବି ଦାଉ ସାଧିଛି । ଯେତେବେଳେ ନିଜ କାନ୍ଧରେ ପରିବାର ବୋଝ ବୋହିନେଇ ଥାନ୍ତେ, ସେତେବେଳେ ପରିବାର ଉପରେ ବୋଝ ହୋଇ ପଡ଼ିଛନ୍ତି ଗରଦପୁର ବ୍ଲକ୍ ଭଗବାନପୁର ଗ୍ରାମର ସଂଜୟ ସ୍ୱାଇଁ । ବୟସ ମାତ୍ର ୩୦ ବର୍ଷ । ହେଲେ ଗୋଟିଏ ଛୋଟ ଦୂର୍ଘଟଣା ଯେ ଜୀବନ ଚଲାପଥର ମୋଡ଼ ବଦଳାଇ ଦେଇ ଭାଗ୍ୟ ଆକାଶରେ ଅନ୍ଧକାର ସୃଷ୍ଟି କରିପାରେ , ଏପରି ଏକ ଦୂର୍ଘଟଣା ଦୃଦୟକୁ ଆନ୍ଦୋଳିତ କରିଛି । ସଂଜୟଙ୍କ ଛୋଟ ପରିବାର । ସେ ଏକ ଘରୋଇ ବିସ୍କୁଟ କମ୍ପାନୀରେ କାମ କରୁଥିଲେ । ଯାହା କିଛି ଦରମା ପାଉଥିଲେ , ସେଥିରେ ଘରେ ବିଧବା ମା ସହିତ ୩ ଭାଇଙ୍କୁ ନେଇ ସୁରୁଖୁରୁରେ ପରିବାର ଚଳି ଆସୁଥିଲା । ହେଲେ ନିୟତିର ନୀୟମ ଥିଲା ସମ୍ପୂର୍ଣ୍ଣ ଅଲଗା । ଏତେ ସୁଖ ଭଗବାନ ସହି ପାରିଲେ ନାହିଁ । ଗତ ୨୦୨୧ ମସିହାରେ ଦୋଳ ପୂର୍ଣ୍ଣିମାରେ ରଙ୍ଗ ଖେଳିବା ପାଇଁ ସଂଜୟ ଗାଁ କୁ ଆସିଥିଲେ । ରଙ୍ଗ ଖେଳି ଘରକୁ ଫେରୁଥିବାବେଳେ ଗାଁ ନିକଟସ୍ଥ ଗଜିପୁର ଠାରେ ଏକ ବାଇକ ଦୂର୍ଘଟଣା ଘଟିଲା । ଯାହାକି ଜୀବନର ସବୁ ରଙ୍ଗକୁ ଫିକା କରିଦେଲା । ସେହି ଛୋଟିଆ ଦୂର୍ଘଟଣା ରେ ସଂଜୟ୍ରଙ୍କ ମୁଣ୍ଡ ଫାଟିଗଲା । ପରିବାର ଲୋକେ ତାଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ମେଡ଼ିକାଲ ଓ ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲକୁ ନେଇଥିଲେ । ତେବେ ସେଠାରେ ଭଲ ହୋଇ ଆସିବାର ଏକ ସପ୍ତାହ ମଧ୍ୟରେ ସଂଜୟ କୋମା ହୋଇଗଲେ । ପରିବାରଙ୍କ ଉପରେ ଯେମିତି ଆକାଶ ଛିଣ୍ଡି ପଡ଼ିଲା । ଅଧିକ ଚକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲ ରେ ଭର୍ତି କରାଗଲା । ଚିକିତ୍ସା ଏତେ ବ୍ୟୟ ବହୁଳ ଥିଲା ଯେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ରେ ଥିବା ୫ ଲକ୍ଷ ଟଙ୍କା ସରିବା ପରେ ଘରେ ଥିବା ସୁନା ଗହଣା ଓ ସମସ୍ତ ଚାଷ ଜମି ବିକ୍ରି କରି ଅନ୍ୟୁନ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଗଲାପରେ ସଂଜୟ ଆରୋଗ୍ୟ ହୋଇ ପାରିଲେ ନାହିଁ । ବଡ଼ ଭାଇ ଗୋଟିଏ କମ୍ପାନୀରେ ମାତ୍ର ୧୨ ହଜାର ଟଙ୍କା ରୋଜଗାର କରୁଥିବାବେଳେ ମଝିଆ ଭାଇ ତାମିଲନାଡ଼ୁର ଏକ କମ୍ପାନୀରେ ୨୦ ହଜାର ଟଙ୍କା ପାଉଥିଲେ । ଭାଇର ଚିକିତ୍ସା ପାଇଁ ମଝିଆ ଭାଇଙ୍କୁ ଚାକିରୀ ଛାଡ଼ିବାକୁ ପଡ଼ିଲା । ସେତିକିରେ ଦୁଃଖ ସରିନଥିଲା । ସଂଜୟଙ୍କ ଚିକିତ୍ସାରେ ସବୁକିଛି ସରିବା ପରେ ଏପରିକି ଘରେ ଖାଇବା ପାଇଁ ବି ଚାଉଳ ମିଳିଲା ନାହିଁ । ଯାହା ରାସନ୍ ମିଳିଲା ତାକୁ ବିକି ମଧ୍ୟ ସଂଜୟଙ୍କ ଚିକିତ୍ସାରେ ଖର୍ଚ୍ଚ କରିବାକୁ ପଡ଼ିଲା । ଏହି ଦୁଃଖଦ ଦୁର୍ଦଶାକୁ ସହିନପାରି ବଡ଼ ଭାଉଜ ଓ ମଝିଆ ଭାଉଜ ଘର ଛାଡ଼ି ଏବେ ନିଜ ବାପାଙ୍କ ଘରେ ପିଲା ପିଲି ନେଇ ରହୁଛନ୍ତି । ଏପଟେ ସଂଜୟ ଘରେ ଖଙ୍କରେ ପଡ଼ି ରହି ଆଖିରେ ଲୁହ ଛଳ ଛଳ କରି ପଡ଼ି ରହିଛନ୍ତି । ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ସଂଜୟଙ୍କ ଅଧିକ ଚିକିତ୍ସା ପାଇଁ ଆଉ ୧୦ ଲକ୍ଷ ଟଙ୍କା ସହ ଫିଜିଓ ଥେରାପି ପାଇଁ ୨ ଲକ୍ଷ ଟଙ୍କାର ଆକଶ୍ୟକତା ରହିଛି । ଘରେ ଥିବା ବିଧବା ମା ଏବେ କଣ କରିବେ ସେ ନେଇ ତାଙ୍କ ଆଖିରୁ ଲୁହ ଶୁଖୁନଥିବାବେଳେ ଚୁଲି ମଧ୍ୟ ଅଧା ଦିନ ଅଜଳା ରହୁଛି । ସଂଜୟଙ୍କ ଏପରି ଦୁର୍ଦଶା ଦେଖି କେତେକ ସମାଜସେବୀ ଓ ସାମାଜିକ ସଂଗଠନ ଆର୍ଥିକ ସହାୟତା କରିଥିଲେ ମଧ୍ୟ ତାହା ସମୁଦ୍ରକୁ ଶେଙ୍ଖ । ଏହି ଦୁଃଖଦ ଖବର ପାଇ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ସହାୟତାର ହାତ ବଢ଼ାଇଛି । ସମିତିର ଅତିରିକ୍ତ ସମ୍ପାଦକ ସ୍ୱରୂପ କୁମାର ରାଉତ ସଂଜୟଙ୍କ ଘରେ ପହଂଚି ତାଙ୍କ ପରିବାର ଖାଇବା ନିମନ୍ତେ ରାସନ ସାମଗ୍ରୀ ପ୍ରଦାନ କରିବା ସହ ସବୁ ଦିନ ପାଇଁ ରାସନ ପ୍ରଦାନ କରିବାକୁ ପ୍ରତିଶୃତି ଦେବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତେବେ ସଂଜୟ କିପରି ଅଧିକରୁ ଅଧିକ ଚିକିତ୍ସା ପାଇବେ , ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଂଠି , କୌଣସି ସହୃଦୟ ବଦାନ୍ୟ ବ୍ୟକ୍ତି , ସାମାଜିକ ସଂଗଠନ ସହାୟତାର ହାତ ବଢ଼ାନ୍ତି ତାହା ହେଲେ ସଂଜୟ ଭଲ ହୋଇ ତାଙ୍କ ଓଠରେ ହସ ଫୁଟିବା ସହ ଭାଙ୍ଗି ଯାଇଥିବା ପରିବାର ଯୋଡ଼ି ହୋଇ ପାରନ୍ତା । ଯଦି କେହି ସହୃଦୟ ବ୍ୟକ୍ତି ବା ଅନୁଷ୍ଠାନ ସଂଜୟଙ୍କୁ ସହାୟତା ପ୍ରଦାନ କରିବାକୁ ଚାହାନ୍ତି , ତାହାହେଲେ – ସଂଜୟ କୁମାର ସ୍ୱାଇଁ, ସା/ପୋ- ଭଗବାନପୁର, ଥାନା କୁଦାନଗରୀ, ବ୍ଲକ୍ ଗରଦପୁର , ଜିଲା କେନ୍ଦ୍ରାପଡ଼ା , ମୋବାଇଲ ନଂ-୮୬୫୮୬୩୬୧୨୬ରେ ସମ୍ପର୍କ କରିବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *