ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ-୨୦୨୪ ପାଳିତ

‘ପ୍ରକୃତି ଓ ପରିବେଶର ସୁରକ୍ଷା ଓ ସମୃଦ୍ଧି ପାଇଁ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୃଷ୍ଟି ଓ ସୁରକ୍ଷା ଅପରିହାର୍ଯ୍ୟ’

‘ପ୍ରଗତି ଓ ପ୍ରକୃତି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ : ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ

ଭୁବନେଶ୍ୱର, ୨୧/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପ୍ରକୃତି ଯେତିକି ସମ୍ପଦ ଓଡ଼ିଶାକୁ ଦେଇଛି ସେତିକି ସମ୍ପଦ ଦେଶର ଅନ୍ୟ କୌଣସି ରାଜ୍ୟକୁ ପ୍ରଦାନ କରିନାହିଁ । ତେଣୁ ଓଡ଼ିଶାରେ ଜନ୍ମନେଇ ଆମେମାନେ ଭାଗ୍ୟବାନ । ପ୍ରକୃତି ଓ ପରିବେଶର ସୁରକ୍ଷା ଓ ସମୃଦ୍ଧି ପାଇଁ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୃଷ୍ଟି ଓ ସୁରକ୍ଷା ଅପରିହାର୍ଯ୍ୟ । ଆମେ ଯଦି ଏଗୁଡ଼ିକର ସୁରକ୍ଷା କରିବା ନାହିଁ ତା’ହେଲେ ଭବିଷ୍ୟତ ପିଢ଼ି ଆମକୁ କ୍ଷମା ଦେବେ ନାହିଁ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଉଲ୍ଲେଖ କରିଛନ୍ତି ।

ଆଜି ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପ୍ରଗତି ଓ ପ୍ରକୃତି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଉଭୟଙ୍କ ମଧ୍ୟରେ ସଠିକ୍‌ ସନ୍ତୁଳନ ରକ୍ଷା କରି ଆମକୁ ଆଗକୁ ଅଗ୍ରସର ହେବାକୁ ପଡ଼ିବ । ଏହି ଗୁରୁଦାୟିତ୍ୱକୁ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ବୈଷୟିକ ଜ୍ଞାନକୌଶଳର ବ୍ୟବହାରପୂର୍ବକ ସଠିକ୍‌ ଭାବେ ନିିର୍ବାହ କରିବା ଉଚିତ ।

ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ବିବରଣୀ-୨୦୨୧ ଆକଳନ ଅନୁଯାୟୀ ଗତ ଦୁଇ ମୂଲ୍ୟାଙ୍କନ ବର୍ଷରେ ଅର୍ଥାତ୍‌ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଉଭୟ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ଏବଂ ବୃକ୍ଷ ଆଚ୍ଛାଦିତ ଅଞ୍ଚଳରେ ୮୯୩ ବର୍ଗ କିଲୋମିଟର ଅଭିବୃଦ୍ଧି ଘଟିଛି । ଜଙ୍ଗଲ ଅଭିବୃଦ୍ଧି ଦ୍ୱାରା ବର୍ଷା ଅଧିକ ହେବା ସହ ଭୂପୃଷ୍ଠ ପାନୀୟ ଜଳ ଓ ପ୍ରଦୂଷଣ ସମସ୍ୟା ହ୍ରାସ ପାଇଥାଏ । ତେଣୁ ଆମକୁ ବୃକ୍ଷରୋପଣକୁ ଆହୁରି ବ୍ୟାପକ କରିବାକୁ ପଡ଼ିବ । ଏଥି ପାଇଁ ସମସ୍ତଙ୍କର ସହଯୋଗ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ କାମନା କରିଛନ୍ତି ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚଳିତ ବିଶ୍ୱ ବନ ଦିବସ ପାଳନର ବିଷୟବସ୍ତୁ ‘ଜଙ୍ଗଲ ଓ ଅଭିନବୀକରଣ’ ଉପରେ ଆଲୋକପାତ କରିଥିଲେ । ଜଙ୍ଗଲକୁ ପଲିଥିନ୍‌ମୁକ୍ତ କରିବା ପାଇଁ ବିଭାଗ ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାପକ କରାଯିବ । ଅଭିନବୀକରଣ ଅଧିନରେ ଡ୍ରୋନ୍‌ ମାଧ୍ୟମରେ ହାତୀଙ୍କ ଗଣନା, ନନ୍ଦନକାନନକୁ ବିଶ୍ୱସ୍ତରୀୟ ପ୍ରାଣୀ ଉଦ୍ୟାନରେ ରୂପାନ୍ତରୀକରଣ ଆଦି ଅନେକ ପଦକ୍ଷେପ ବିଭାଗ ଗ୍ରହଣ କରିଛି ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟାପ୍ରାଣୀ) ଶ୍ରୀ ସୁଶାନ୍ତ ନନ୍ଦ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପ୍ରାକୃତିକ ସନ୍ତୁଳନ ବଜାୟ ରଖିବା ପାଇଁ ବନ୍ୟପ୍ରାଣୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆଗାମୀ ଦିନରେ ରାଜ୍ୟରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗକୁ ଆହୁରି ବ୍ୟାପକ କରାଯିବ । ତା’ସହ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ଫରେଷ୍ଟ ରେଞ୍ଜର ପଦବୀର ୪୦ ଜଣ ବନ କ୍ଷେତ୍ର କର୍ମଚାରୀ/ଅଧିକାରୀଙ୍କୁ ବିଶ୍ୱ ବନ ଦିବସ ପୁରସ୍କାର-୨୦୨୪ ପ୍ରଦାନ କରାଯାଇଥିଲା । ତା’ସହ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ସଂକଳନ କରି ‘ଓଡ଼ିଶା ବନ ବିଭାଗ-୨୦୨୪ର ହାଇଲାଇଟ୍‌’ ଶୀର୍ଷକ ପୁସ୍ତକ ଉନ୍ମୋଚିତ ହୋଇଥିଲା ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ସୁରକ୍ଷା ଓ ଚିରସ୍ଥାୟୀ ପରିଚାଳନା) ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଧନ୍ୟବାଦ ପ୍ରଦାନ ଅବସରରେ କହିଲେ ଯେ ଜଙ୍ଗଲ ଆଉ ସ୍ଥାନୀୟ ସମ୍ବଳ ହୋଇ ରହିନାହିଁ । ବର୍ତ୍ତମାନ ଏହା ବିଶ୍ୱର ସମ୍ବଳ ଭାବରେ ପରିଗଣିତ ହେଉଛି । ପ୍ରକୃତି ରହିଲେ ଆମେ ରହିବା ବୋଲି ସେ ପ୍ରକାଶ କରିଛନ୍ତି । ଅଧ୍ୟାପକ ଶ୍ରୀ ମୃତୁ୍ୟଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ଓଡ଼ିଶାର ବନ୍ୟଜନ୍ତୁ, ନନ୍ଦନକାନନ, ଇକୋ-ଟୁରିଜିମ୍‌, ଔଷଧୀୟ ବୃକ୍ଷ, ବିଭାଗୀୟ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବେଶିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି ।

Leave a Reply

Your email address will not be published. Required fields are marked *