ଓଡ଼ିଶା ସମାଚାର

ବେଆଇନ ଖଣି ଖନନ ପ୍ରସଙ୍ଗରେ ବିଜେପି ଜନମତକୁ ବିଭ୍ରାନ୍ତି କରିବା ପାଇଁ ଅପଚେଷ୍ଟା କରୁଛି – ବିଜେଡ଼ି

ବେଆଇନ ଖଣି ଖନନ ପ୍ରସଙ୍ଗରେ ବିଜେପି ଜନମତକୁ ବିଭ୍ରାନ୍ତି କରିବା ପାଇଁ ଅପଚେଷ୍ଟା କରୁଛି – ବିଜେଡ଼ି

August 09
21:38 2017

ଭୁବନେଶ୍ୱର , ୦୯/୦୮/୨୦୧୭ ( ଓଡ଼ିଶା ସମାଚାର)-ସୁପ୍ରିମକୋର୍ଟ ତାଙ୍କ ରାୟରେ ଖଣି ପଟ୍ଟାଦାରଙ୍କ ଠାରୁ ୧୦୦ ପ୍ରତିଶତ ଜୋରିମାନା ଆଦାୟ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ଏବଂ ଏହି ଆଦେଶ ଆଧାରରେ ବେଆଇନ ଖଣି ଖନନ କରିଥିବା ପଟ୍ଟାଦାରମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ଏଥିରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଇ ପ୍ରଚଳିତ ବିଧିବ୍ୟବସ୍ଥା ଅନୁସାରେ ଜୋରିମାନା ଆଦାୟ ପାଇଁ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଏହାକୁ ନେଇ ବିଜେପି ଜନମତକୁ ବିଭ୍ରାନ୍ତି କରିବା ପାଇଁ ଅପଚେଷ୍ଟା କରୁଛି । ସେମାନଙ୍କ ବକ୍ତବ୍ୟ ତଥ୍ୟସିଦ୍ଧ ନୁହେଁ । ଏହା ସେମାନଙ୍କର ଅଜ୍ଞତାର ପରିଚାୟକ ଓ ରାଜନୈତିକ ସ୍ୱାର୍ଥ ପ୍ରଣୋଦିତ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ତଥା ମୁଖପାତ୍ର ପ୍ରଶାନ୍ତ ନନ୍ଦ ଓ ମୁଖପାତ୍ର ସମୀର ରଞ୍ଜନ ଦାଶ କହିଛନ୍ତି ।
ରାଜ୍ୟ ସରକାର ବେଆଇନ ଖଣି ଖନନ କରିଥିବା ପଟ୍ଟାଦାରଙ୍କ ଉପରେ ପ୍ରାୟ ୬୮,୦୦୦ କୋଟି ଟଙ୍କାର ଜରିମାନା ଧାର୍ଯ୍ୟ କରିଥିଲେ । ଏହା ସେହି ସମୟରେ ସର୍ବୋଚ୍ଚ ବଜାର ଦରକୁ ନେଇ ହିସାବ କରାଯାଇଥିଲା । ତେବେ ପରବର୍ତୀ ସମୟରେ କେନ୍ଦ୍ରୀୟ କ୍ଷମତା ସଂପନ୍ନ କମିଟି ଏହି ଜୋରିମାନା ରାଶିକୁ ୧୭,୫୭୬.୧୬ ଟଙ୍କା ଧାର୍ଯ୍ୟ କରିଥିଲେ । ଯାହା ଆଇବିଏମ୍ର ଆଭରେଜ୍ ମୂଲ୍ୟ ଉପରେ ଆଧାରିତ, ଯାହାକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି ।
ସୁପ୍ରିମକୋର୍ଟଙ୍କ ରାୟ ଓ ନିର୍ଦ୍ଧେଶ ଅନୁସାରେ ରାଜ୍ୟ ସରକାର ଏହି ଜୋରିମାନା ରାଶି ସଂପର୍କରେ ବ୍ୟାପକ ତର୍ଜମା କରିଛନ୍ତି । ସୁପ୍ରିମକୋର୍ଟ ତାଙ୍କ ରାୟର ପାରାଗ୍ରାଫ୍ ୧୫୬ରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ କେନ୍ଦ୍ରୀୟ କ୍ଷମତା ସଂପନ୍ନ କମିଟିର ସୁପାରିସ ଯୁକ୍ତିସଂଗତ ଏବଂ ଏହା ଗ୍ରହଣୀୟ । ସେହିପରି ସୁପ୍ରିମକୋର୍ଟଙ୍କ ରାୟର ୨୬ ପାରାଗ୍ରାଫ୍ରେ ଉଲ୍ଲେଖ ଅଛି ଯେ ପରିବେଶ ଅନୁମତି ନଥାଇ ବେଆଇନ୍ ଭାବରେ ଖଣି ଖନନ କରାଯାଇଥିବା ଖଣିଜ ଦ୍ରବ୍ୟର ମୂଲ୍ୟ କେନ୍ଦ୍ରୀୟ କ୍ଷମତା ସଂପନ୍ନ କମିଟି ୧୭,୫୭୬.୧୬ କୋଟି ଟଙ୍କା ଆକଳନ କରିଛନ୍ତି, ଏଥିରେ ଲୁହାପଥର ୧୭,୦୯୧.୨୬ କୋଟି ଓ ମାଙ୍ଗାନିଜ୍ ୪୮୪.୯୨ କୋଟି ଟଙ୍କା ଅନ୍ତର୍ଭୁକ୍ତ । ଏହି ଆକଳନକୁ ମାନ୍ୟବର ସୁପ୍ରିମକୋର୍ଟ ଗ୍ରହଣ କରିଥିବାରୁ ଏଥିନେଇ କୌଣସି ଦ୍ୱନ୍ଦ୍ୱ ପ୍ରକାଶ କରିବା ସମୀଚିନ ନୁହେଁ । ଏ ସଂପର୍କରେ ରାଜ୍ୟ ସରକାର ଆବଶ୍ୟକ ଆଇନଗତ ପରାମର୍ଶ ନେଇଛନ୍ତି ଓ ସୁପ୍ରିମକୋର୍ଟଙ୍କ ରାୟକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବା ସହ ଜୋରିମାନା ଆଦାୟ କରାଯିବାକୁ ରାଜ୍ୟ ସରକାର ନିଷ୍ପତିି ନେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ୨୦୧୨ ମସିହାରେ ଅନୁମତି ଠାରୁ ଅଧିକ ପରିମାଣର ଖଣି ଖନନକୁ ନେଇ ଆପତି ଉଠାଇଥିଲା । କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ରିଭିଜିନାଲ ଅଥରିଟି ଏହା ଉପରେ ସ୍ଥଗିତାଦେଶ ଜାରି କରିଥିଲେ । ଏବେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ନୀତିଗତ ନିଷ୍ପତିିକୁ କାଏମ ରଖିବା ସହ କେନ୍ଦ୍ରୀୟ କ୍ଷମତା ସଂପନ୍ନ କମିଟି ଆଧାରରେ ଜୋରିମାନା ଆଦାୟ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ରାଜ୍ୟ ସରକାର ୨୦୧୦-୧୧ ଠାରୁ ଖଣିଜ ଦ୍ରବ୍ୟ ଖନନ ଓ ପରିବହନ ସଂପର୍କିତ ସମସ୍ତ କାର୍ଯ୍ୟ ଯଥା ଟ୍ରାଞ୍ଜିଟ୍ ପାଶ୍ ଓ ପରମିଟ୍ ଆଦିକୁ କମ୍ପୁ୍ୟଟରୀକରଣ କରିଛନ୍ତି । ଡିଜିପିଏସ ସର୍ଭେ, ଉପଗ୍ରହ ଚିତ୍ର ଆଧାରିତ ମନିଟରିଂ ସିଷ୍ଟମ ସହ ଓଡ଼ିଶା ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଗାଡ଼ିଗୁଡିକର ଜିପିଏସ୍ ଟ୍ରାକିଂ କରିବାରେ ଭାରତରେ ପ୍ରଥମ ରାଜ୍ୟ । ଖଣି ପ୍ରଶାସନରେ ରାଜ୍ୟ ସରକାରଙ୍କ ଅନେକ ଅଭିନବ ପଦକ୍ଷେପକୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଇଛି ଏବଂ ସ୍ୱଚ୍ଛତା ନିମନ୍ତେ ଏହିସବୁ ପଦକ୍ଷେପର ଉପଯୋଗିତାକୁ ଅନ୍ୟମାନେ ଅନୁକରଣ କରିଛନ୍ତି ।
ବିଜେପି ସୁପ୍ରିମକୋର୍ଟ ରାୟକୁ ସଠିକ ଭାବରେ ତର୍ଜମା କରିନି ଏବଂ ଜାଣିଶୁଣି ଅଯଥା ବିଭ୍ରାନ୍ତି କରିବାକୁ ଅପଚେଷ୍ଟା କରୁଛି । ବିଜେପି ଯାହା କହୁଛି ତାହା ତଥ୍ୟ ଆଧାରିତ ନୁହେଁ ବରଂ ଏଥିରେ ହୀନ ସ୍ୱାର୍ଥ ନିହିତ ଥିବା ସ୍ପଷ୍ଟ ହୋଇଯାଇଛି । ବିଜେପିର ଅଭିଯୋଗକୁ ଖଣ୍ଡନ କରି ଶ୍ରୀ ନନ୍ଦ କହିଥିଲେ ଯେ ଆମ ସରକାରଙ୍କ ଠାରୁ ତାଙ୍କ ବିଜେପି ଶାସିତ ରାଜ୍ୟ ସରକାର ଶିକ୍ଷା ଲାଭ କରୁ । ସୁପ୍ରିମକୋର୍ଟଙ୍କ ରାୟର କେଉଁ ପାରାଗ୍ରାଫ୍ର ଭୁଲ ତର୍ଜମା କରାହୋଇଛି ତାହା ବିଜେପି ସ୍ପଷ୍ଟ କରୁ । ଅଯଥା ଜନମତକୁ ଜାଣିଶୁଣି ବିଭ୍ରାନ୍ତି କରନ୍ତୁ ନାହିଁ । କେବଳ ବିଭ୍ରାନ୍ତିମୂଳକ ମନଗଢ଼ା କାହାଣୀ, ଯାହାର କୌଣସି ଆଧାର ନାହିଁ, ସେହିଭଳି ପ୍ରସଂଗକୁ ନେଇ ଅଭିଯୋଗ କରିବା ବିଜେପିର ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଯାଇଛି ବୋଲି ଶ୍ରୀ ନନ୍ଦ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

????????????????????????????????????

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

2 × one =