‘ସମ୍ବଲପୁର ହଟିଆ – ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

                          ସମ୍ବଲପୁରରୁ ଗୋରଖପୁର ମଧ୍ୟରେ ଯାତ୍ରୀ ସୁବିଧା ଆହୁରି ସୁଗମ ହେବଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର, ୦୧/୦୩/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ‘ସମ୍ବଲପୁର ହଟିଆ – ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ କରିବା ସହ ଏହି ଟ୍ରେନକୁ ସମ୍ପ୍ରସାରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ଦୀର୍ଘ ଦିନର ଅପେକ୍ଷାକୁ ପୂରଣ କରିଥିବା କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ସମେତ ଆଖପାଖ ଜିଲ୍ଲାରେ ଉତ୍ତର ଭାରତର ଅନେକ ଲୋକ ବସବାସ କରନ୍ତି । ଗୋରଖପୁର ହଟିଆ ମୌର୍ଯ୍ୟ ଏକ୍ସପ୍ରେସ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ଦ୍ୱାରା ଏହି ଲୋକଙ୍କର ଥିବା ଦୀର୍ଘ ଦିନର ଅପେକ୍ଷାକୁ ପୂରଣ କରାଯାଇଛି । ଟ୍ରେନଟି ହଟିଆରୁ ବାହାରି ରାଉରକେଲା, ଝାରସୁଗୁଡ଼ା ଓ ସମ୍ବଲପୁର ଷ୍ଟେସନରେ ରହଣୀ ହେବାର ନିଷ୍ପତି ହୋଇଛି । ଏହି ଟ୍ରେନ ଚଳାଚଳ ଦ୍ୱାରା ଗୋରଖପୁର, ବନାରସ ସମେତ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ଭବ୍ୟ ରାମ ମନ୍ଦିର ଦର୍ଶନ କରିବା ପାଇଁ ଯାତ୍ରୀ ବ୍ୟବସ୍ଥା ସୁଗମ ହୋଇଛି । ଏହି ବ୍ୟବସ୍ଥା ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଦେଶରେ ମୋଦି ସରକାରରେ ସବୁ କ୍ଷେତ୍ର ବିଶେଷ ଭାବରେ ରେଳ ବିଭାଗରେ ଲୋକଙ୍କର ପ୍ରତି ଆଶା ବଢିଛି । ପ୍ରାୟ ୪୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ସମ୍ବଲପୁର ଷ୍ଟେସନ ସମେତ ସହରରେ ଥିବା ଅନ୍ୟାନ୍ୟ ଷ୍ଟେସନର ନବୀକରଣ ହେଉଛି । ଆଜିର ପଦକ୍ଷେପ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ସମେତ ଆଖପାଖ ଜିଲ୍ଲାର ଯାତ୍ରୀ ସୁବିଧାକୁ ସୁଗମ କରିବ । ରେଳବାଇ କ୍ଷେତ୍ରରେ ଓଡ଼ିଶାର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅଞ୍ଚଳର ଜନସାଧାରଣଙ୍କ ଯାତାୟତକୁ ଦୃଷ୍ଟିରେ ରଖି ଗତ ଡିସେମ୍ବର ୯, ୨୦୨୨ ଓ ଚଳିତ ଜାନୁଆରୀ ୦୩, ୨୦୨୪ରେ ପତ୍ର ଲେଖି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟ୍ରେନର ଚଳାଚଳକୁ ସମ୍ବଲପୁର ସମ୍ପ୍ରସାରଣ ନେଇ ଅନୁରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ କ୍ରମେ ରେଳ ମନ୍ତ୍ରଣାଳୟ ଗୋରଖପୁର ହଟିଆ – ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *