କନିକା ରାଣୀ ଙ୍କ ପାଟକୁରା ଗସ୍ତ 

                                                           ବିଜେପି ସାଂସଦ ପ୍ରାର୍ଥି ହେବା ଚର୍ଚ୍ଚା

ଗରଦପୁର, ୨୮/୦୨/୨୦୨୪ (ଓଡ଼ିଶା ସମାଚାର)- ସାଧାରଣ ନିର୍ବାଚନ ଆଉ ମାତ୍ର କେଇଟା ମାସ ବାକି ଥିବାବେଳେ ବିଜେପି ରାଜନୀତି ରେ ଘଡ଼ିକେ ଘୋଡ଼ା ଛୁଟୁଛି । ବିଜେପି ର ରାଷ୍ଟ୍ରିୟ ଉପାଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଉତରପ୍ରଦେଶର ବିଜେପି ପ୍ରଭାରୀ ନିଯୁକ୍ତି ପାଇଲା ପରେ ନିର୍ବାଚନ ଲଢ଼ିବେ କି ନଲଢ଼ିବେ ସେ ନେଇ ଆଲୋଚନା ହେଉଥିବାବେଳେ କନିକା ରାଜା ତଥା ପୂର୍ବତନ ସାଂସଦ ସ୍ୱର୍ଗତ ଶୈଳେନ୍ଦ୍ର ନାରାୟଣ ଭଂଜଦେଓଙ୍କ ମଝିଆଣି ବୋହୁ ତଥା ରାଣୀ କୁମାରାଣୀ ଦୂର୍ଗାଦେବୀ ଙ୍କ ପାଟକୁରା ଗସ୍ତ ଚର୍ଚ୍ଚାକୁ ଆହୁରୀ ଖୋରାକ ଯୋଗାଉଛି ।  ଗତକାଲି ତାଙ୍କ  ପାଟକୁରା ଗସ୍ତ ସମୟରେ ବିଭିନ୍ନ ଅଂଚଳ ବୁଲିବା ସହ ମାହାଳ ଠାରେ ଥିବା ଜଗନ୍ନାଥ ମନ୍ଦିର ରେ ନିଜର ଅନୁଗତଙ୍କ ସହ କିଛି ବିଜେପି ବରିଷ୍ଠ କର୍ମୀଙ୍କ ବୈଠକ କରିଥିଲେ । ଏହି ବୈଠକରେ ଜିଲା ବିଜେପି ଓବିିସି ସେଲ ସଭାପତି ସତ୍ୟ ପ୍ରକାଶ ସାମଲ , ଜିଲା ସାଧାରଣ ସମ୍ପାଦକ ରଶ୍ମିରଂଜନ ରାଉତ , ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ବନ୍ଦନାରାଣୀ ରାଉତରାୟ , ଜିଲା କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ନାୟକ , ପୂର୍ବତନ ସରପଂଚ ପ୍ରଜେଶ ନାୟକ , ପୂର୍ବତନ ଜିଲା ପରିଷଦ ସଭ୍ୟ ସନ୍ତୋଷ ଜେନା , ଶିବପ୍ରସାଦ ସିଂହ,କେଦାର ସାମନ୍ତରାୟ, ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ସାମିଲ ହୋଇ ଦଳିୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ବିଭିନ୍ନ ଅଂଚଳକୁ ବୁଲିଯାଇ ରାଣୀ ଜନସାଧାରଣଙ୍କ ସହ କଥା ହୋଇଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଟି ଯେଉଁ ନେତା ବା କର୍ମୀ ଦୂର୍ଗା ଦେବୀ ଙ୍କ ସହିତ ସାମିଲ ହୋଇଥିଲେ , ସେମାନେ ସମସ୍ତେ ବୈଜୟନ୍ତ ପଣ୍ଡା ଙ୍କ ଅନୁଗତ ଅଟନ୍ତି । ଏଥିନେଇ ଅନୁମାନ କରାଯାଉଛି କି ରାଣୀ ବିଜେପି ସାଂସଦ ପ୍ରାର୍ଥି ହୋଇ ପାରନ୍ତି । ତେବେ ଏଥି ପୂର୍ବରୁ ଦୂର୍ଗାଦେବୀ ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ୍ ଗସ୍ତ କରିଥିଲେ । ତେବେ ଆଜି ଗସ୍ତ ସମୟରେ ସେ ବିଭିନ୍ନ ଅଂଚଳ ବୁଲି ବିଭିନ୍ନ ସମସ୍ୟା ଜାଣିବା ସହ ବିଭିନ୍ନ ଦେବ ଦେବୀ ମନ୍ଦିର ଯାଇ ଆଶିର୍ବାଦ ନେଇଛନ୍ତି । ସେ ବିଜେପି ରୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥି ହେବାକୁ ଆଶାୟୀ ଅଛନ୍ତି ।  ଯଦି ଦଳ ପ୍ରାର୍ଥି କରେ ସେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଗଣମାଧ୍ୟମ ପ୍ରତିନିଧି ଙ୍କୁ ନିଜର ପ୍ରତିକ୍ରିୟା ରେ କହିଛନ୍ତି । ତେବେ ଆଶୟୀ ପ୍ରାର୍ଥିନୀ ଦୂର୍ଗା ଦେବୀ ଙ୍କ ପିତା ଗୁଜୁରାଟ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଥିବାବେଳେ ବିଜେପି ର ଜଣେ ଟାଣୁଆ କର୍ମକର୍ତା ଅଟନ୍ତି । ଏପଟେ ରାଣୀ ଦୂର୍ଗା ଦେବୀ କନିକା ରାଣୀ ହୋଇଥିବାରୁ ଆଳି ଓ କନିକା ଅଂଚଳରେ ତାଙ୍କର ମଧ୍ୟ ଜନସାଧାରଣଙ୍କ ସହିତ ପ୍ରଭାବ ଓ ସମ୍ପର୍କ ରହିଛି । ଏହାଛଡ଼ା ଶ୍ୱଶୁର ଶୈଳେନ୍ଦ୍ର ନାରାୟଣ ଭଂଜଦେଓ ସାଂସଦ ଥିବାହେତୁ ତାଙ୍କର ପରିଚୟର କିଛି ଆବଶ୍ୟକତା ନାହିଁ ବୋଲି ଆଲୋଚନା ହେଉଛି । ଯଦି ବିଜେପି ତାଙ୍କୁ ପ୍ରାର୍ଥି କରେ ତାହାହେଲେ ଶାସକ ବିଜେଡ଼ି ଓ କଂଗ୍ରେସ ଦଳକୁ କଡ଼ା ଚାଲେଂଜର ସମ୍ମୁଖୀନ ହେବାକୁ ପଡ଼ିପାରେ । ତେବେ ଏହି ଗସ୍ତ କାର୍ଯ୍ୟକ୍ରମରେ ରାଜ୍ୟ ନେତୃତ୍ୱ ଅବା ପୂର୍ବତନ ସାଂସଦ ବୈଜୟନ୍ତ ଙ୍କ କେତେ ସମର୍ଥନ ରହିଛି , ତାହା ଆଗକୁ ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଆଲେଚନା ହେଉଛି ।

Leave a Reply

Your email address will not be published. Required fields are marked *