ଓଡ଼ିଶା ସମାଚାର

ଓଡିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡିକର ବିକାଶ ପାଇଁ ବୈଠକ ଅନୁଷ୍ଠିତ

ଓଡିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡିକର ବିକାଶ ପାଇଁ ବୈଠକ ଅନୁଷ୍ଠିତ

July 14
18:38 2017

କଟକ, ୧୪/୦୭/୨୦୧୭(ଓଡ଼ିଶା ସମାଚାର)-ଓଡିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂଘର ବୈଠକ ଖପୁରିଆ ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ସଂଘର ସଭାପତି ସୁଶାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖପୁରିଆ ଶିଳ୍ପାଂଚଳରେ ଥିବା ବିଭିନ୍ନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କର ସମସ୍ୟା ସଂପର୍କରେ ଅବଗତ ହେବା ସହିତ ସେସବୁର ସମାଧାନ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ରାଜ୍ୟ କ୍ଷୁଦ୍ର ଶିଳ୍ପ ସଂଘର ସଭାପତି ଦୀପକ କାଜରିଆ ଯୋଗଦେଇ ଖପୁରିଆ ଶିଳ୍ପାଂଚଳରେ ଶିଳ୍ପ ସଂସ୍ଥାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ । କଟକ ମହାନଗର ନିଗମ କର୍ତୃପକ୍ଷ ଓ ଇଡ୍କୋ ପକ୍ଷରୁ ଆବଶ୍ୟକ ସମୟରେ ସହଯୋଗ ମିଳିଲେ ସେମାନଙ୍କର ସମସ୍ୟା ସବୁର ସମାଧାନ ସହଜରେ ହୋଇ ପାରିବ ବୋଲି ସେ ଆଶା ପୋଷଣ କରିଥିଲେ । ଛୋଟ ଦୋକାନୀ ଓ ବସ୍ତି ବାସିନ୍ଦାମାନେ ବର୍ଷା ଦିନେ ଶିଳ୍ପ ସଂସ୍ଥା ମଧ୍ୟକୁ ପାଣି ଛାଡୁଥିବା ଏବଂ ଡ୍ରେନେଜ୍ ବ୍ୟବସ୍ଥା ଗୁଡିକ ଶିଳ୍ପ ସଂସ୍ଥାର ଅବସ୍ଥିତି ଠାରୁ ଅଧିକ ଉଚ୍ଚ ହୋଇଥିବାରୁ ସେଠାରୁ ଜଳ ନିସ୍କାସନ ସଠିକ୍ ଭାବେ ହୋଇ ନପାରୁଥିବା ମୁଖ୍ୟ ସମସ୍ୟା ହୋଇଛି ବୋଲି ଶ୍ରୀ କାଜରିଆ ପ୍ରକାଶ କରିଥିଲେ । ବଡ ବଡ ଟ୍ରକ୍ ଗୁଡିକ ଶିଳ୍ପ ସଂସ୍ଥା ମଧ୍ୟକୁ ପ୍ରବେଶ କରିବା ନେଇ ଟ୍ରାଫିକ୍ ସମସ୍ୟା ଓ କଟକଣା ସହିତ ରାସ୍ତା ଉପରେ ୧୧ କେଭି ବିଦ୍ୟୁତ୍ ତାର ଏହି ସମସ୍ୟାକୁ ଅଧିକ ଜଟିଳ କରୁଛି । ତତ୍ ସହିତ ଅଧିକାଂଶ ରାସ୍ତାରେ ଆଲୋକ ନ ଥିବାରୁ ଅନ୍ଧାର ହେବା ଦ୍ୱାରା ଅସାମାଜିକ ବ୍ୟକ୍ତିଙ୍କର ଚଳପ୍ରଚଳ ବଢି ଚାଲିଛି । କୁଢ କୁଢ ଅଳିଆ ଆବର୍ଜନା ରାସ୍ତା କଡରେ ଜମା ହେବା, ରାସ୍ତା କଡରୁ ଅପସାରଣ କରାଯାଇଥିବା କେବିନ୍ ଗୁଡିକ ଶିଳ୍ପ ସଂସ୍ଥାମାନଙ୍କର ସମ୍ମୁଖରେ ଗଦା ହୋଇ ରହୁଥିବା ସଂପର୍କରେ ସେ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅପର ପକ୍ଷରେ ଜିଲ୍ଲାପାଳ , ଇଡ୍କୋ ପ୍ରତିନିଧିଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କେବିନ୍ ସବୁକୁ ଅପସାରଣ କରିବାକୁ କେବିନ୍ ମାଲିକମାନଙ୍କୁ ସତର୍କ କରାଇ ଦେବାକୁ ପରାମର୍ଶ ଦେଇଛନ୍ତି । ଏହାର ଅବମାନନା ହେଲେ ଇଡ୍କୋ ତରଫରୁ ଗୋଟିଏ ଦିନ ଧାର୍ଯ୍ୟ କରି ପଡି ରହିଥିବା କେବିନ୍ସବୁକୁ ଅନ୍ୟତ୍ର ଅପସାରଣ କରି ନିର୍ଦ୍ଧିଷ୍ଟ ସ୍ଥାନରେ ଫିଙ୍ଗି ଦେବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି ।

 ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂଘର ସଭାପତି ସମରଜିତ୍ ମହାନ୍ତି, କଟକ ମହାନଗର ନିଗମ ଅତିରିକ୍ତ କମିଶନର ରମେଶ ଚନ୍ଦ୍ର ସାଏ, ଡେପୁଟୀ କମିଶନର ସୁମନ ବେହେରା, ସି.ଏମ୍.ସି ସ୍ୱାସ୍ଥ୍ୟ ଅଧିକାରୀ ଡା. ଅଭୟ କୁମାର ପଟ୍ଟନାୟକ, ସ୍ୱାସ୍ଥ୍ୟ କମିଟିର ଅଧ୍ୟକ୍ଷ ରଂଜନ କୁମାର ବିଶ୍ୱାଳ, ଏଡିଏମ୍ଓ ଡା. ବଟକୃଷ୍ଣ ମହଲା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମୀନକେତନ ବେହେରାଙ୍କ ସମେତ ଜିଲ୍ଲା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାର ଅଧିକାରୀ, ସେସୁ, ଜାଇକା, ରାସ୍ତା ଓ କୋଠାବାଡି, ଇଡ୍କୋ ଆଦି ପ୍ରମୁଖ ସଂସ୍ଥାର ମୁଖ୍ୟ ତଥା ସଂଘର କର୍ମକର୍ତା ଏବଂ ସଦସ୍ୟମାନେ ଯୋଗଦେଇ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକ ପାତ କରିଥିଲେ । ପରିଶେଷରେ ଜିଲ୍ଲା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂଘର ସଂପାଦକ ଦୀପାଂଶୁ ଶେଖର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

3 − two =