ଦେବଗଡ଼ରେ ଚଷା ସମାଜ ଏବଂ ପଛୁଆ ବର୍ଗ ସମାଜର ବନ୍ଧୁ ମିଳନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ସମାଜକୁ ଆଗକୁ ନେବାକୁ ହେଲେ ସବୁ ବର୍ଗର ଲୋକଙ୍କୁ ସାଙ୍ଗରେ ନେବାକୁ ପଡିବଧର୍ମେନ୍ଦ୍ର ପ୍ରଧାନ

• ନିଜର ସଫଳ ରାଜନୈତିକ କ୍ୟାରିୟର ପାଇଁ ଦେବଗଡବାସୀଙ୍କୁ ଦେଲେ ଶ୍ରେୟ
• ଚାଷୀ ଭାଇ ଭଉଣୀଙ୍କ ସହ ମିଶି ଭୋଜନ କଲେ କେନ୍ଦ୍ରମନ୍ତ୍ରୀ
• ଦେବଗଡ଼ ସହ ମୋର ସମ୍ପର୍କ ବହୁତ ପୁରୁଣା, ଏହି ସ୍ଥାନକୁ ଆସିଲେ ମୋର ଆତ୍ମବିଶ୍ୱାସ ବଢେ
• ଦେବଗଡକୁ ଜ୍ଞାନ ଓ ଦକ୍ଷତାର ଅତ୍ୟାଧୁନିକ କେନ୍ଦ୍ର ବନାଇବା
• ବାରକୋଟକୁ ରେଳପଥ ସଂଯୋଗ କରିବା ପାଇଁ ସର୍ଭେ କାମ ଆରମ୍ଭ ହୋଇଛି
• ମୋଦି ସରକାରରେ ବଞ୍ଚିତ ଓ ପଛୁଆ ବର୍ଗର ଲୋକମାନେ ସଶକ୍ତ ହେଉଛନ୍ତି
• ମୋଦି ଗ୍ୟାରେଣ୍ଟିକୁ ଓଡ଼ିଶାକୁ ଆଣିବା ପାଇଁ କଲେ ଆହ୍ୱାନ
• କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩  ଲକ୍ଷ କୋଟି ଟଙ୍କା ମିଳିଥିବା ବେଳେ ମୋଦି ସରକାରରେ ୧୮ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମିଳିଛି
• ଓଡ଼ିଶାରେ ସମ୍ବେଦନହୀନ ସରକାର ଯୋଗୁଁ ବଞ୍ଚିତ ବର୍ଗର ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ

ତିଳେଇବଣି, ୨୪/୦୨/୨୦୨୪ (ଓଡ଼ିଶା ସମାଚାର)-ଆମେ ଚଷା ଲୋକମାନେ । ସମାଜରେ ଲୋକଙ୍କ ପ୍ରତି ଆମର ଦାୟିତ୍ୱ ଅଧିକ ଅଛି । ସମାଜକୁ ଆଗକୁ ନେବା ପାଇଁ ହେଲେ ସବୁ ବର୍ଗର ଲୋକଙ୍କୁ ସାଙ୍ଗରେ ନେବାକୁ ପଡିବ ବୋଲି ଶନିବାର ଦେବଗଡ଼ର ତିଳେଇବଣି ଠାରେ ‘ଜିଲ୍ଲା ସ୍ତରୀୟ ଚଷା ସମାଜର ବନ୍ଧୁ ମିଳନ’ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ନିଳବେର୍ଣ୍ଣିସାହି ଠାରେ ପଛୁଆ ବର୍ଗ ସମାଜର ପୃଥକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଗ୍ୟାରେଣ୍ଟିକୁ ଓଡ଼ିଶାକୁ ଆଣିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।  

ଏହି ଅବସରରେ ସେ କହିଛନ୍ତି ଯେ ଦେବଗଡ଼ ସହ ମୋର ସମ୍ପର୍କ ବହୁତ ପୁରୁଣା । ଦେବଗଡକୁ ମୁଁ ବହୁତ ପାଖରୁ ଦେଖିଛି । ଏଠାକାର ଗୁରୁଜନ, ମାତୃଶକ୍ତି ଏବଂ ଭାଇ  ଭଉଣୀ ମାନେ ସବୁବେଳେ ମୋତେ ଆଶୀର୍ବାଦ କରି ଆସିଛନ୍ତି । ମୁଁ ଆଜି ଯେଉଁଠି ପହଞ୍ଚିଛି, ଏହି ଅଞ୍ଚଳର ଆଶୀର୍ବାଦରେ ପହଞ୍ଚିଛି । ଦେବଗଡ ପ୍ରତି ମୋର ବିଶେଷ ଆକର୍ଷଣ ଅଛି । ଏହି ସ୍ଥାନକୁ ଆସିଲେ ମୋର ଆତ୍ମବିଶ୍ୱାସ ବଢେ । କୃଷିଭିତ୍ତିକ ଅଞ୍ଚଳ ଦେବଗଡରେ ଚାଷ ଓ ପାଠପଢା ପ୍ରତି ବିଶେଷ ଆସକ୍ତି ସର୍ବଦା ରହିଆସିଛି । ଏବେ ଜିଲ୍ଲାକୁ ନୂଆ ସ୍ତର ପର୍ଯ୍ୟନ୍ତ ନେବାର ସମୟ ଆସିଯାଇଛି । ମୁଁ ଯେଉଁଠି ବି ଥାଏ, ଯେଉଁ ଭୂମିକାରେ ଥାଏ, ସମସ୍ତେ ମିଶି ଦେବଗଡ ଜିଲ୍ଲାର ନୂଆପିଢିକୁ ଆଧୁନିକ ଶିକ୍ଷା ସହ ଯୋଡିବା । ଦେବଗଡକୁ ଜ୍ଞାନ ଓ ଦକ୍ଷତାର ଅତ୍ୟାଧୁନିକ କେନ୍ଦ୍ର ବନାଇବା ପାଇଁ ସମସ୍ତେ ସାମୂହିକ ଦାୟିତ୍ୱ ନେବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।

କୃଷି ପ୍ରଧାନ ଅଞ୍ଚଳ ଦେବଗଡର ଲୋକଙ୍କ ମୁଖ୍ୟ ଜୀବିକା ଚାଷ । ଦେବଗଡର ବିକାଶ ପାଇଁ ମୋଦୀ ସରକାରଙ୍କ ପାଖରେ ଅର୍ଥର ଅଭାବ ନାହିଁ । ମୋଦୀଜୀ ପ୍ରଧାନମନ୍ତ୍ରୀ ପଦବୀରେ ଥିବା କାରଣରୁ ଦେବଗଡରେ ସଡକପଥର ଉନ୍ନତି ହୋଇଛି । ଲାଇଟର ଉନ୍ନତିକରଣ ହୋଇଛି । ବାରକୋଟକୁ ରେଳପଥ ସଂଯୋଗ କରିବା ପାଇଁ ସର୍ଭେ କାମ ଆରମ୍ଭ ହୋଇଛି । ଏଠାକାର ଅନ୍ନଦାତାଙ୍କ ଉନ୍ନତି ଓ କଲ୍ୟାଣ କରି ସ୍ଥାନୀୟ ଅର୍ଥନୀତିକୁ ମଜଭୂତ୍ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିବା ସହ ସ୍ଥାନୀୟ ଲୋକଙ୍କର ଦାବି ତଥା ମା’ ରଣଚଣ୍ଡୀଙ୍କ ମନ୍ଦିର ତିଆରି କରିବା ପାଇଁ ଉଦ୍ୟମ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।  ଏହି ଜିଲ୍ଲା ସ୍ତରୀୟ ଚଷା ସମାଜର ବନ୍ଧ ମିଳନରେ ଯୋଗଦେବା ପରେ ଧାଡ଼ିରେ ଛିଡ଼ା ହେଇ ଚାଷୀ ଭାଇ ଭଉଣୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଭୋଜନ କରିଥିଲେ ।

ପଛୁଆ ବର୍ଗ ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶ ଆଜି ଆଗକୁ ବଢୁଛି ।  ମୋଦୀ ସରକାରରେ ବଞ୍ଚିତ ଓ ପଛୁଆ ବର୍ଗର ଲୋକମାନେ ସଶକ୍ତ ହେଉଛନ୍ତି । ଓଡ଼ିଶାର ଜନଜାତି ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାବାସାହେବ ଡକ୍ଟର ଆମ୍ବେଦକରଙ୍କ ପ୍ରତି ସବୁଠୁ ବଡ ଶ୍ରଦ୍ଧାଞ୍ଜଳି । ମୋଦୀ ସରକାରଙ୍କ ଯୋଜନାରେ ଅପେକ୍ଷାରୁ ଅଧିକ ଟଙ୍କା ଓଡ଼ିଶାକୁ ଆସୁଛି । କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ମାତ୍ର ୩  ଲକ୍ଷ କୋଟି ଟଙ୍କା ମିଳିଥିବା ବେଳେ ମୋଦୀ ସରକାରରେ ୧୮ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମିଳିଛି । ମାତ୍ର ଏଠାରେ ସମ୍ବେଦନହୀନ ସରକାର ଯୋଗୁଁ ବଞ୍ଚିତ ବର୍ଗର ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ । ଚଳିତ ଥର ଓଡ଼ିଶାବାସୀ ସ୍ୱାଭିମାନର ଲଢେଇ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *