କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ ବୃଦ୍ଧି କଲେ ରାଜ୍ୟ ସରକାର

ସମ୍ବଲପୁର, ୧୧/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର। ବଢ଼ିଲା କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ । ବୋନସକୁ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଗଲା। ଏଥିରେ ଉପକୃତ ହେବେ ୮ ଲକ୍ଷ ୫୦ ହଜାର ତୋଳାଳି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହାସହ କେନ୍ଦୁପତ୍ର ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶିକୁ ମଧ୍ୟ ରାଜ୍ୟ ସରକାର ବଢାଇଛନ୍ତି । ଏହାକୁ ୨ ଗୁଣା ବୃଦ୍ଧି କରାଯାଇଛି । ସେହିପରି କେନ୍ଦୁପତ୍ର ବନ୍ଧାଳି ଓ ଋତୁକାଳୀନ ଶ୍ରମିକଙ୍କ ପ୍ରୋତ୍ସାହନ ରାଶିକୁ ମଧ୍ୟ ଦୁଇଗୁଣା ବୃଦ୍ଧି କରାଯାଇଛି। ପ୍ରୋତ୍ସାହନ ରାଶି ୫ରୁ ୧୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ସରକାର। ଏଥିପାଇଁ ୧୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଅପରପକ୍ଷେ, ଋତୁକାଳୀନ କର୍ମଚାରୀଙ୍କ ଦରମା ବୃଦ୍ଧି ଦାବି ପୂରଣ ହୋଇଛି। ହେଡ୍‌ ଚେକରଙ୍କ ମାସିକ ଦରମା ୨୨ ହଜାର ୬୩୧ରୁ ୨୪ ହଜାର ୪୨୦କୁ ବୃଦ୍ଧି ପାଇଛି। ମହଙ୍ଗା ଭତ୍ତା(ଡିଏ) ୪ ଶହ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି ପାଇଛି। ସର୍କଲ ଚେକରଙ୍କ ଦରମା ୧୭ ହଜାର ୭୪୦ରୁ ୨୧ ହଜାରରୁ ଅଧିକ ହୋଇଛି। ଡିଏ ୩୦୦ ରୁ ୪୫୦କୁ ବୃଦ୍ଧି ପାଇଛି। ସେହିପରି ବନ୍ଧାଳି ଚେକରଙ୍କ ଦରମା ୧୪ ହଜାର ୮୦୦ ଟଙ୍କାରୁ ୧୭ ହଜାର ୬୮୦କୁ ବୃଦ୍ଧି ପାଇଛି। ଡିଏ ୨ଶହରୁ ୩ଶହ ଟଙ୍କାକୁ ବୃଦ୍ଧି ହୋଇଛି। ମୁନସିଙ୍କ ଦରମା ୧୨ ହଜାର ୪୨୦ରୁ ୧୫ ହଜାର ୨୧୫ ଟଙ୍କାକୁ ବୃଦ୍ଧି ପାଇଛି। ମୁନସି-୨ଙ୍କ ଦରମା ୯ ହଜାର ୮୫୦ରୁ ୧୨ ହଜାର ୩୮୫ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ସେହିପରି କେନ୍ଦୁପତ୍ର କେରି ଦର ମଧ୍ୟ ବୃଦ୍ଧି କରାଯାଇଛି।

ରବିବାର ସମ୍ବଲପୁର ଜିଲ୍ଲା ଚାରମାଲଠାରେ ଆୟୋଜିତ କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇ ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଚାରମାଳରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାର କେନ୍ଦୁପତ୍ର ତୋଳାଳି, ବନ୍ଧାଳି, ସିଜନାଲ କର୍ମଚାରୀ ଶ୍ରମିକ ଯୋଗଦେଇଛନ୍ତି। ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ମହାସମାବେଶରେ ସାମିଲ ହୋଇଛନ୍ତି। ସବୁଜ ହୀରା କେନ୍ଦୁପତ୍ର ରାଜ୍ୟର ୧୫ ଲକ୍ଷରୁ ଅଧିକ ଗରିବ ଲୋକଙ୍କୁ ରୋଜଗାର ଯୋଗାଉଛି। ରାଜ୍ୟର ୩୦ଟି ଜିଲ୍ଲାରୁ ୮ଟିକୁ ଛାଡିଦେଲେ ୨୨ଟି ଜିଲ୍ଲାର ବହୁ ସଂଖ୍ୟକ ଗରିବ ପରିବାର କେନ୍ଦୁପତ୍ର ଉପରେ ନିର୍ଭର କରିଥାନ୍ତି ।

Leave a Reply

Your email address will not be published. Required fields are marked *