ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ  ବାରିପଦା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ

ଭୁବନେଶ୍ୱର, ୧୦/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଗତକାଲି ଶୁକ୍ରବାର ବାରିପଦା ଓଏଲଆଇସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ।  କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସେ ବିଭାଗୀୟ ଯନ୍ତ୍ରୀମାନଙ୍କସହିତ ଡିଭିଜନ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ବିଜୁ କୃଷକ ବିକାଶ ଯୋଜନାରେ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ, ଗଭୀର ସେଚକୂପ ମାଧ୍ୟମରେ ଜଳସେଚନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ ହୋଇଥିଲେ । ବିଭାଗୀୟ ଯନ୍ତ୍ରୀମାନଙ୍କୁ ବିଭିନ୍ନ ଅଂଚଳର ଚାଷୀମାନଙ୍କ ପାଖକୁ ଯାଇ ସେମାନେ ପ୍ରକଳ୍ପ ଯୋଗେ କିପରି ଉପକୃତ ହେଉଛନ୍ତି, ସେ ସମ୍ପର୍କରେ ତଦାରଖ କରିବା ସହିତ କ୍ଷେତ୍ରସ୍ତରରେ କୃଷକମାନଙ୍କର ଯେଉଁସବୁ ସମସ୍ୟା ରହୁଛି, ତାହାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ କହିଥିଲେ । ଏହି ପରିଦର୍ଶନ ପରିପ୍ରେକ୍ଷୀରେ ଶ୍ରୀ ପତ୍ରୀ କହିଥିଲେ ଯେ,  ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜଳସେଚନ ଉପଯୋଗୀ ହେଉଥିବା ଅଂଚଳ ଗୁଡିକରେ ଚାଷ ଜମିକୁ ଆବଶ୍ୟକଜଳସେଚନ ସୁବିଧା  କରି କୃଷିର ଉନ୍ନତି ପୂର୍ବକ କୃଷକମାନଙ୍କର ଆୟ ବୃଦ୍ଧି ପାଇଁ  ଗୁରୁତ୍ୱ ଦେଇଆସିଛନ୍ତି । କୃଷି କ୍ଷେତ୍ରରେ ମହିଳା କୃଷକମାନଙ୍କ ଭାଗିଦାରିତାକୁ ଗୁରୁତ୍ୱ ଦିଆଯାଉଛି । ‘୫-ଟି’ ଉପକ୍ରମ ଆଧାରରେ ନିର୍ମାଣାଧିନ ପ୍ରକଳ୍ପଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା, କାର୍ଯ୍ୟକ୍ଷମ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ, ଯେଉଁଠି ଉଠା ଜଳସେଚନ ପ୍ରକଳ୍ପଗୁଡିକୁ ବିଦ୍ୟୁତ୍ ଯୋଗାଣର ସମସ୍ୟା ରହୁଛି,ଶକ୍ତି ବିଭାଗର ସମନ୍ୱୟରେ ସେ ସବୁକୁ  ସମାଧାନ କରିବା ସହ  କୃଷି, ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗ ଆଦି ବିଭାଗର ସହଯୋଗରେ କୃଷି ବିବିଧିକରଣକୁ ପ୍ରୋତ୍ସାହିତ କରି ବିଭିନ୍ନ ଅର୍ଥକାରୀ ଫସଲ କରିବା, ସହଭାଗୀ ଜଳସେଚନରେ ସହଯୋଗ କରିବାଏବଂ ପାଣି ପଂଚାୟତଗୁଡିକର ସୁପରିଚାଳନାରେ ଆବଶ୍ୟକ ସହାୟତା କରିବାକୁ କ୍ଷେତ୍ର ସ୍ତରରେ କାର୍ଯ୍ୟ କରୁଥିବା ଯନ୍ତ୍ରୀମାନଙ୍କୁ ଶ୍ରୀ ପତ୍ରୀ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

          ଏହି ପରିଦର୍ଶନ ସମୟରେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଚନ୍ଦୁ ମୁର୍ମୁ,ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ହରେକୃଷ୍ଣ ସିଂ, ବିନୋଦ କୃଷ୍ଣ ମହାନ୍ତି ଓ ମଧୁମାଳତୀ ବେସ୍ରା, ଏଷ୍ଟିମେଟର ଶ୍ରୀ ସରୋଜ କୁମାର ନାୟକ, ସହକାରୀ ଯନ୍ତ୍ରୀ ଶ୍ରୀ ସୁକଦେବ ଭୋଇ ଓ ଶ୍ରୀ ଅଭୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

-0-

Leave a Reply

Your email address will not be published. Required fields are marked *