ବିବେକାନନ୍ଦ ଶିଶୁ ମନ୍ଦିର ର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନ , ୧୦/୦୨/୨୦୨୪ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ବିବେକାନନ୍ଦ ଶିଶୁ ମନ୍ଦିର ର ୨୩ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନଟବର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ,ଶିକ୍ଷା ହିଁ ଶୃଙ୍ଖଳା ସିଖାଇଥାଏ । ଲକ୍ଷ୍ୟ ପ୍ରାପ୍ତି ପାଇଁ ସ୍ୱାଭିମାନ ସହିତ କେବେ ବି ସାଲିସ କରନାହିଁ, କାହିଁକି ନା ତୁମ ସ୍ୱାଭିମାନ ହିଁ ତୁମ ବ୍ୟକ୍ତିତ୍ଵ ର ପରିଚୟ । ନିଷ୍ଠା , ଏକାଗ୍ରତା ସହ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ସୁରପ୍ରତାପ ପୁର ସେବା ସମବାୟ ସମିତି ସଭାପତି ଶ୍ରୀମତୀ ପୁଷ୍ପଲତା ରାଉତ,ପୂର୍ବତନ ସରପଂଚ ଖୁଲଣା ରାଉତ,ଅବସରପ୍ରାପ୍ତ ଶିକ୍ଷକ ଅଚ୍ୟୁତାନନ୍ଦ ସାହୁ,ଶିକ୍ଷାବିତ୍ ପବିତ୍ର ସାମଲ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ନିରୁପମା ମହାନ୍ତି ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟ ର ସଫଳତା ସହିତ ଅଭାବ ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅହଲ୍ୟା ବାରିକ ସ୍ବାଗତ ଭାଷଣ ଦେଇଥିବା ବେଳେ ସ୍ନେହାଞ୍ଜଳି ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନ ର ସମ୍ପାଦକ ରମେଶ ଚନ୍ଦ୍ର ପାଣି ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ଓ କୁଶଳୀ କାରିଗର ଶ୍ରୀଧର ପରିଡ଼ା ଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ଓ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କୁନି କୁନି ପିଲାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନିରୁପମା ନାୟକ,ପ୍ରତିମା ରାଉତ,ଇନିବାଳା ଭୂତିଆ , ମମତା ବାରିକ,ରଶ୍ମିତା ବେହେରା,ରୋଜାଲିନ ବେହେରା,ମିନତି ଲେଙ୍କା ଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୂମା ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ପ୍ରାରମ୍ଭ ରେ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ନିର୍ମିତ ବିବେକାନନ୍ଦ ପାଠାଗାର କୁ ମନ୍ତ୍ରୀ ଉଦଘାଟନ କରିଥିଲେ ।

Leave a Reply

Your email address will not be published. Required fields are marked *