ବିଶିଷ୍ଟ ସାହିତ୍ୟିକା ବିଜୟିନୀ ଦାସଙ୍କ ବିୟୋଗ 

 କଟକ, ୧୪ /୦୧/୨୦୨୪ (ଓଡିଶା ସମାଚାର / ଅଭୟ ଜେନା )- ବିଶିଷ୍ଟ ଗାଳ୍ପିକା, ସାହିତ୍ୟିକା ବିଜୟନୀ ଦାସ୍ ଙ୍କ ପରଲୋକ ଘଟିଛି । ଶନିବାର ୭୯ ବର୍ଷ ବୟସରେ  ତାଙ୍କର ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କଟକ ସିଡିଏ ଠାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ପୁତ୍ର ଅମରଜିତ୍ ଦାସ ଓ ଝିଅ ମଧୁମିତା ମହାନ୍ତି ଙ୍କ ସହ ଜ୍ବାଇଁ ଓ ପୁତ୍ରବଧୂ ଉପସ୍ଥିତ ଥିଲେ। ସେ ଏକା ଧାରାରେ ଜଣେ ସୁଲେଖିକା,କବି,କଥାସାହିତ୍ୟିକା ଓ ଔପନ୍ୟାସିକା ଥିଲେ। ଦେବଦାସୀ ଉପନ୍ୟାସ ତାଙ୍କୁ ବିଶେଷ ପରିଚୟ ଦେଇଥିଲା। ସେହିପରି କବିତା ସଙ୍କଳନ, କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ପରି ୩୦ ଟି ପୁସ୍ତକ ରଚନା କରିଯାଇଛନ୍ତି।ତାଙ୍କର ବିରଳ କୃତି ଉପନ୍ୟାସ ଦେବଦାସୀ ପାଇଁ ତାଙ୍କୁ ୧୯୯୧ ସମିହାରେ ଓଡିଶା ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କର ଦେବଦାସୀ ଉପନ୍ୟାସ କୁ ହିନ୍ଦୀ ରେ ଅନୁବାଦ କରାଯିବା ସହ ଏହା ଉପରେ ଏକ ଟେଲିଫିଲ୍ମ ମଧ୍ୟ ନିର୍ମାଣ କରାଯାଇଥିଲା। ତାଙ୍କୁ ୧୯୬୮ ମସିହାରେ ଚିତ୍ରପୁରୀ ସମ୍ମାନ, ୨୦୨୦ ରେ ବୀଣାପାଣି ମହାନ୍ତି କଥାସାହିତ୍ୟ,ଗଙ୍ଗାଧର ରଥ ସମ୍ମାନ ଓ ୧୯୯୫ ରେ ରାଧାନାଥ ରାୟ ସ୍ମୃତି ସମ୍ମାନ ଓ ୧୯୯୩ ରେ ସାହିତ୍ୟ ଏକାଡେ଼ମୀ ପ୍ରଜ୍ଞା ସମ୍ମାନ ସହ ବହୁ ସମ୍ମାନ ର ଅଧିକାରୀ ଥିଲେ ବିଜୟନୀ ଦାସ୍। ଦୀର୍ଘ ୫୦ ବର୍ଷ ଧରି ସେ ‘ଜୀବନରଙ୍ଗ’ ପତ୍ରିକା ର ସମ୍ପାଦିକା ଭାବେ କାର୍ଯ୍ୟ କରିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି  ତାଙ୍କର ଶେଷ ଦର୍ଶନ କରିବା ସହ ଶୋକ ପ୍ରକାଶ କରିଛନ୍ତି। କଟକ ଶତୀଚଉରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Leave a Reply

Your email address will not be published. Required fields are marked *