ଚାଲାଣ ବେଳେ ୫୦ ଶୁଆ ଶାବକ ଉଦ୍ଧାର ,ମାଫିଆକୁ ମାଡ଼ି ବସିଲା ବନ ବିଭାଗ

ରାଇରଙ୍ଗପୁର, ୧୦/୦୧/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶାରେ ଚାଲିଛି ପକ୍ଷୀ ଗଣନା । ଜୀବଜନ୍ତୁ ସୁରକ୍ଷା, ସଂଖ୍ୟା, ପରିବେଶ ଉପରେ ତର୍ଜମା କରୁଛି ବନ୍ୟପ୍ରାଣୀ ବିଭାଗ ଓ ପରିବେଶ ବିଭାଗ । ବନ୍ୟଜନ୍ତୁ ସୁରକ୍ଷା ପାଇଁ ମାଫିଆଙ୍କ ଉପରେ କଠୋର ନିୟମ ଲାଗୁ କରିଛନ୍ତି । ହେଲେ ବନ୍ୟପ୍ରାଣୀ ମାଫିଆ ନିୟମକୁ ଫୁ କରି ଦେଉଛନ୍ତି । ବନ ବିଭାଗକୁ ଚାଲେଞ୍ଜ ଦେଉଛନ୍ତି ବନ୍ୟପ୍ରାଣୀ ରାକେଟ । ସୂଚନାଯୋଗ୍ୟ ରାଇରଙ୍ଗପୁର ବନାଂଚଳ ଅନ୍ତର୍ଗତ ଗୋରୁମହିଷାଣୀ ବିଟ୍ ଅନ୍ତର୍ଗତ ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ସୋମବାର ଦିନ ଭୋର ସମୟରେ ୫୦ଟି ଶୁଆ ଶାବକ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଂଚି ବନ୍ୟପ୍ରାଣୀ ମାଫିଆକୁ ମାଡି ବସିଲା । ବନ୍ୟପ୍ରାଣୀ ମାଫିଆ ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁଲେଇଶିଳା ଗ୍ରାମର ମହମ୍ମଦ ସାହାଜାଦ୍ (୩୦ଙ୍କ ପାଖରୁ ବନ ବିଭାଗ ଟିଭିଏସ୍ ବାଇକ୍ ଓଡି ୧୧ ଏମ୍ ୬୯୨୫ ଜତ ସହ ଦୁଇଟି ପେଟିରେ ରଖିଥିବା ୫୦ଟି ଶୁଆକୁ ଉଦ୍ଧାର କରି ରାଇରଙ୍ଗପୁର ବନାଂଚଳ କାର୍ଯ୍ୟାଳୟକୁ ଆଣିଥିଲେ । ଶାବକମାନଙ୍କୁ ବନ ବିଭାଗ ତରଫରୁ ଯତ୍ନ ନିଆଯାଉଛି । ବନ ବିଭାଗ ମହମ୍ମଦ ଶାହାଜାଦ୍ ନାମରେ ଏକ ମାମଲା ନମ୍ବର ୧୨୭/୨୪ ରୁଜୁ କରି ତାକୁ କୋର୍ଟ ଚାଲାଣ କରାଯାଇଛି । ଏହି ରାକେଟରେ ଆହୁରି ୨/୩ ଜଣ ଥିବା ସଂପୃକ୍ତ ଥିବା ବନ ମାଫିଆ ମହମ୍ମଦ ସାହାଜାଦ୍ ସ୍ୱିକାର କରିଛି । କିଛି ଦିନ ପୂର୍ବରୁ ମଧ୍ୟ ୨୦ଟି ଶୁଆ ଶାବକ ବିକ୍ରି କରିଛି । ଏହି ଶାବକକୁ ରାଇରଙ୍ଗପୁର ଅଂଚଳରେ ବିକିଲେ ୭୦୦ ରୁ ୮୦୦ ଟଙ୍କା ପାଆନ୍ତି । ଯେଉଁ ଦଲାଲମାନେ ଏହାକୁ କିଣନ୍ତି ସେମାନେ ଭୁବନେଶ୍ୱର ସମେତ ବଡ଼ ବଡ଼ ସହରେ ୩୦୦୦ରୁ ୪୦୦୦ ଟଙ୍କା ରେ ବିକ୍ରି କରନ୍ତି । ଚଢ଼ାଉରେ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ସେନାପତି, ଫରେଷ୍ଟର କାଶୀନାଥ ହାଁସଦା, ଫରେଷ୍ଟର ଆଲୋକ ସେଠୀ, ଫରେଷ୍ଟର ଯଶୋବନ୍ତ ମହାକୁଡ଼ ଏବଂ ଅନ୍ୟମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *