ଅନୁଗୋଳ ବାଗେଡିଆ ଠାରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ସମାରୋହରେ କେନ୍ଦ୍ରମନ୍ତ୍ରୀ


ଖେଳର ବାତାବରଣ ତିଆରି କରିବାରେ ବାଗେଡିଆ ଆଗରେ ରହିଛିଧର୍ମେନ୍ଦ୍ର ପ୍ରଧାନ

ବାଗେଡିଆ/ଅନୁଗୋଳ, ୩୧ /୧୨/୨୦୨୩ (ଓଡ଼ିଶା ସମାଚାର)- ବାଗେଡିଆର ନିଜସ୍ୱ ସଂସ୍କାର ଅଛି । ଏହି ମାଟିରେ ଜନ୍ମ ହୋଇ ଅନେକ ସୁଯୋଗ୍ୟ ସନ୍ତାନ ନିଜର ଦକ୍ଷତାର ପରାକାଷ୍ଠା ଦେଖାଇଛନ୍ତି । କ୍ରିକେଟ୍ ଓ ଫୁଟବଲ ଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଖେଳର ବାତାବରଣ ତିଆରି କରିବାରେ ବାଗେଡିଆ ଆଗରେ ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରବିବାର ଅନୁଗୋଳ ଜିଲ୍ଲା ଛେଣ୍ଡିପଦାର ବାଗେଡିଆ ଠାରେ ‘ବାଗେଡିଆ କ୍ରିକେଟ୍ ଆସୋସିଏସନ’ ପକ୍ଷରୁ ଆୟୋଜିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ସବୁ ବିଷୟରେ ପାରଙ୍ଗମ ଦେଖାଉଥିବା ଅଞ୍ଚଳ ହେଉଛି ବାଗେଡିଆ । ଏହ ଅଞ୍ଚଳରେ ପୂର୍ବରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଛି । ଆଗାମୀ ଦିନରେ ଆୟୋଜକମାନେ ଭଲିବଲ୍ ପ୍ରତିଯୋଗିତା ଆୟୋଜନ କରିବାର ଯୋଜନା କରିଛନ୍ତି । ଖେଳୁଆଡ ମନଭାବ ତିଆରି କରିବାରେ ବାଗେଡିଆ ଆଗରେ ଅଛି ।

ସ୍ଥାନୀୟ ଅଞ୍ଚଳରେ କ୍ରିକେଟ୍ ପ୍ରତିଯୋଗିତା ମାଧ୍ୟମରେ ଖେଳ ପ୍ରତି ଯୁବପିଢିଙ୍କୁ ଆକୃଷ୍ଟ କରିବା ଦିଗରେ ଏଭଳି କ୍ରିକେଟ୍ ପ୍ରତିଯୋଗିତାର ଆୟୋଜନ ବେଶ୍ ପ୍ରଶଂସନୀୟ । ଯୁବବର୍ଗ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଥିବା ଖେଳକୁ ନେଇ ଉତ୍ସାହ ଓ ଉଲ୍ଲାସ ଦେଖି ବହୁତ ଖୁସି ଲାଗିଲା । ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥିବା ଆସୋସିଏସନର ସମସ୍ତ ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ବାଗେଡିଆ ଅଞ୍ଚଳର ମହାପୁରୁଷ ସ୍ୱର୍ଗତ ଆନନ୍ଦ ଚନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

Leave a Reply

Your email address will not be published. Required fields are marked *