ଏସିଡ ଆକ୍ରମଣରେ ୩ ଆହତ, ଆକ୍ରମଣକାରୀକୁ କାବୁ କଲେ ସ୍ଥାନୀୟ ଲୋକେ

ଫୁଲବାଣୀ, ୨୮ /୧୨/୨୦୨୩ (ଓଡ଼ିଶା ସମାଚାର)- ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଶଶୀ ପାନ ଦୋକାନ ଛକରେ ଏସିଡ ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ବାପା, ପୁଅ ଏବଂ ଅନ୍ୟ ଜଣେ ଯୁବକ ଅଛନ୍ତି । ଏସିଡ ଆକ୍ରମଣକାରୀକୁ ସ୍ଥାନୀୟ ଲୋକ କାବୁ କରି ମାଡ଼ ମାରିବାରୁ ସେ ମଧ୍ୟ ଆହତ ହୋଇଛି  । ସମସ୍ତ ଆହତ ମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି  ।

ଖବର ପାଇ ଟାଉନ ଥାନା ପୋଲିସ ଏବଂ ଫୁଲବାଣୀ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି  । ଏସିଡ ମାଡ ରେ ଚନ୍ଦ୍ର ମହାନ୍ତି , ତାଙ୍କ  ପୁଅ ସୁରଜ ମହାନ୍ତି ଏବଂ ତାଙ୍କ ସାଙ୍ଗ ରାକେଶ ମିଶ୍ର  ଆହତ ହୋଇଛନ୍ତି । ଏସିଡ ଫିଙ୍ଗିଥିବା ବ୍ୟକ୍ତିଙ୍କ ନାମ ପ୍ରମୋଦ ସାହୁ ବୋଲି ଜଣାପଡ଼ିଛି  । ସୂଚନା ଅନୁସାରେ ସୁରଜ ଏବଂ ସାଙ୍ଗ ରାକେଶ ଶଶୀ ପାନ ଦୋକାନ ଛକରେ ନିଜ ବାଇକ ଉପରେ ବସିଥିବା ବେଳେ, ହଠାତ୍ ପ୍ରମୋଦ ସାହୁ ଗୋଟିଏ ଢାଳରେ ଏସିଡ ଆଣି ସୁରଜର ମୁହଁକୁ ଫିଙ୍ଗି ଦେଇ ଥିଲା ଏବଂ ସେଥିରୁ କିଛି ଏସିଡ ରାକେଶ ଉପରେ ମଧ୍ୟ ପଡ଼ିଥିଲା  । ସୁରଜର ବାପା ଚନ୍ଦ୍ର ମହାନ୍ତି ଏହି ଖବର ଶୁଣି ସେଠାକୁ ଆସିବାରୁ ପ୍ରମୋଦ ସାହୁ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗିଥିଲା  । ଏହି ସମୟରେ ସ୍ଥାନୀୟ ଲୋକ ମାନେ ପ୍ରମୋଦ ସାହୁକୁ କାବୁ କରି ମାଡ଼ ମାରିଥିଲେ  । ଏହି ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରମୋଦ ସାହୁକୁ ଧରିବା ସହିତ ସମସ୍ତ ଆହତ ଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରିଥିଲେ  । ତେବେ ସେ କେଉଁ କାରଣ ପାଇଁ ଏସିଡ ଆକ୍ରମଣ କରିଛି, ସେ ନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରମୋଦ ସାହୁ ସେମାନଙ୍କ ଉପରେ ଏସିଡ ଫିଙ୍ଗିଥିବା ସନ୍ଦେହ କରାଯାଉଛି ବୋଲି ଫୁଲବାଣୀ ଏସ୍ ଡି ପିଓ ସୁପ୍ରସନ୍ନ ମଲ୍ଲିକ କହିଛନ୍ତି  ।

Leave a Reply

Your email address will not be published. Required fields are marked *